Unknown

 

 

 

 

 

 

 

 

 

 

 

କ୍ଷଣିକା

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

ଉତ୍ସର୍ଗ

 

ସ୍ନେହର ମିଛୋଇ,

 

ତୁ ମିଛ କହ, ସତ କହ, ମୁଁ ତାକୁ ସତ ମଣିଛି ବୋଲି ତୁ ମୋତେ ଏଡ଼େ ସହଜରେ କ୍ଷଣକ ଭିତରେ ସାରା ଜୀବନ ପାଇଁ କନ୍ଦେଇ ଦେଇପାରିଲୁ ।

 

ଲକ୍ଷ ଜୀବନର କ୍ଷଣ ଷଣର ଅନୁଭୂତିକି ନିଜ ଛାତିଉପରେ ପକାଇ ମୁଁ ସହାନୁଭୂତି ଦେଇ ଯାହା ଲେଖିଛି, ସେସବୁ ତୋର ନହୋଇ ଆଉ କା'ର ହେବ ।

 

ତୋର

କେହି ନୁହେଁ

☆☆☆

 

ଭିକାରିଟି ନିତି ନିତି ଆସେ । ଚାରିଆଡ଼ୁ ବୁଲି ବୁଲି ଆସି ଶେଷରେ ଏଇ କୁଟୀର ଦୁଆରରେ ଆଳ ପାତିଦିଏ । ସୁକୁମାରୀ ଗୋଟିଏ କୁମାରୀ ଅଞ୍ଜଳି ଭରି ଭିକ ଦେଇଯାଏ । ତାରି ଥାଳ ପୂର୍ଣ୍ଣ ହୋଇଯାଏ । ସେତିକିରେ ।

 

ଭିକାରି ଚାଲିଯାଏ । ଶେଷଥର ପାଇଁ ଚପଳା ବାଳିକାର ଦୟାବିମଳ ମୁଖମଣ୍ଡଳକୁ ଚାହିଁଦେଇ ସେ ଫେରିପଡ଼େ । ଭିକ୍ଷାରେବି ଯେମିତି ଗୋଟାଏ ତୃପ୍ତି ଅଛି । ସେ ତୃପ୍ତି ଭିକ୍ଷା ମାଗିବାର ଯଥାର୍ଥତାରେ ନୁହେଁ, ଭିକ୍ଷା ଦେବାର ସାର୍ଥକତାରେ ପୁଷ୍ଟ ହୁଏ ।

 

ଦିନ ପରେ ଦିନ ବିତିଯାଏ–ଏମିତି । ଭିକାରି ଦୁଆର ଆଗରେ ଆସି ଠିଆହୁଏ । ଏକତାରାରୁ ଝଙ୍କାର ଉଠିବାକ୍ଷଣି ଅନ୍ନପୂର୍ଣ୍ଣାର ଚିତ୍ତ ଚଞ୍ଚଳ ହୋଇଉଠେ । ଭିକାରିର ମଧୁର ଭଜନ ଶୁଣୁଶୁଣୁ କୁମାରୀ ଗୋଟିଏ ସୁନା ରାଇଜର ସପନ ଦେଖେ । ଭିକାରିର ଥଳୀରେ ଚାଉଳ ଅଜାଡ଼ିଦେଇ ସେ ଭିକାରିର ମୁହଁକୁ ଅନାଇ ରହେ । ଭିକାରି ଯାହା କହେ ସେ ସବୁ ବୁଝେ, ଯାହା ନ କହେ ତା’ବି ।

 

ଅନେକଦିନ ଚାଲିଗଲା । ଭିକାରି ଆସିପାରିନଥିଲା । ସେଦିନ ସେ କୁଟୀର ଦ୍ୱାରରେ ଆସି ଠିଆହେଲା । ଖୁବ୍‍ ଧୀରେ ଧୀରେ ସେ ଗୀତ ଆରମ୍ଭ କଲା । ଭାବୁଥିଲା, କୁମାରୀ ଆସି ଅଭିମାନ କରିବ, ‘ଏତେଦିନ କେଉଁଠି ଥିଲରେ ପାଗଳା !’ ସେ ତା’ର କି ଉତ୍ତର ଦେବ ? ସେ ଉତ୍ତର ଦେବ ତା’ର ଏଇ ଛାତିଫଟା ସଙ୍ଗୀତରେ । ସେ ଗାଇବାକୁ ଲାଗିଲା । କ୍ଷମା ପାଇବାପାଇଁ ତା’ ହୃଦୟ ସତେ ଯେମିତି ଆତୁର ହୋଇଉଠୁଥିଲା । ସେ ଚିତ୍କାର କରିଉଠିଲା । ସଙ୍ଗୀତର ସ୍ୱର ଯେପରି ତୁହାଇ ତୁହାଇ କାହାକୁ ଡାକୁଚି । ମନେହେଲା ଗଛପତ୍ର ଯେମିତି ଥରିଉଠୁଛି ସେ ଆର୍ତ୍ତ ନାଦରେ, କିନ୍ତୁ ମଣିଷର ଚିହ୍ନବର୍ଣ୍ଣ ନଥିଲା । କେହି ଶୁଣିଲେ ନାହିଁ ତା’ ଗୁହାରି । ତା’ ହୃଦୟ ଟିକି ଟିକି ହୋଇ ଝଡ଼ିପଡ଼ୁଥିଲା, ତଥାପି କେହି ଶୁଣିଲେ ନାହିଁ ।

 

ସେଇଦିନ ଭିକାରି ଘର ଛାଡ଼ିଲା, ଦ୍ୱାର ଛାଡ଼ିଲା, ବାରଦୁଆରେ ଘୂରି ବୁଲିଲା ନିରେଖ ଜନ ପ୍ରାୟେ ତା’ରି ଅନ୍ୱେଷଣରେ । ଦିନ ଯାଏ ରାତି ଆସେ, ରାତି ଯାଏ ଦିନ ଆସେ, ଖିଆ ନାହିଁ, ପିଆ ନାହିଁ, ଶୁଆ ନାହିଁ, ବସା ନାହିଁ ଭିକାରି ଖୋଜି ବୁଲୁଥାଏ କାହିଁ ତା’ର ଅନ୍ନପୂର୍ଣ୍ଣା ! ତା’ ଭିତରଟା ଶୋଷିଲା ପଥୁକି ଭଳିଆ ହାୟ ହାୟ କରି ଉଠେ । ଆପଣାର ଅବଶ ଚରଣକୁ ଆପଣ ହାତରେ ଆଉଁସୁ ଆଉଁସୁ କେତେବେଳେ ଟିକିଏ ଥକା ମାରେ । କାହାର ଅଇଣ୍ଠା ପତରରୁ ଶୁଖିଲା ଭାତଖଣ୍ଡିଏ ପାଇ ଉଦରର ଜ୍ୱାଳା ନିବାରଣ କରେ । ପୁଣି ବୁଲେ, ପୁଣି ଖୋଜେ, ଖୋଜା ତା’ର ସରେ ନାହିଁ, ଦୁଃଖ ତା’ର ଘୁଞ୍ଚେ ନାହିଁ । ଖୋଜିବାର କ୍ଳେଶରେବି ଯେମିତି ଗୋଟାଏ ଆନନ୍ଦ ଅଛି । ସେ ଆନନ୍ଦ ଖୋଜିବାର ସାର୍ଥକତାରେ ନହେଉ, ଖୋଜିବାର ଯଥାର୍ଥତାରେ ପୁଷ୍ଟ ହୁଏ ।

 

ଆଗରେ ଏକ ବିଶାଳ ପ୍ରାସାଦ । ଭିକାରି ତୋରଣ ସମୀପରେ ଯାଇଁ ଉଭାହେଲା । ବହୁ ଲୋକଙ୍କର ଯାତାୟାତ, କିନ୍ତୁ ଭିକାରି ଉପରେ କାହାରି ଦୃଷ୍ଟି ପଡ଼ିବାକୁ ନାହିଁ । ଭିକାରି ଗୀତ ଗାଇବା ପାଇଁ ଏକତାରା ତାରରେ ଆଙ୍ଗୁଳି ଦେବାକ୍ଷଣି ଲୋକେ–‘ଦୂର୍–ଦୂର୍’ କଲେ । ସେ ନିରାଶ ହୋଇ ଫେରିଲା ।

 

‘‘ଭିକାରି !’’ ପଛଆଡ଼ୁ କିଏ ଡାକିଲା ।

 

ଭିକାରି ଥକିଗଲା । ଫେରିପଡ଼ି ଚାହିଁଲା–ଶିବୀକାର ଦ୍ୱାର ଅର୍ଦ୍ଧନ୍ମୁକ୍ତ । ସେଇ ଛିଦ୍ର ଭିତରୁ ଯୋଡ଼ିଏ ସଜଳ ନୀଳ ଆଖି ଜଳିଉଠୁଛି ।

 

ଶିବୀକା ଧୀରେ ଧୀରେ ପ୍ରାସାଦ ମଧ୍ୟରେ ପ୍ରବେଶ କଲା । ସଙ୍ଗେ ସଙ୍ଗେ ମଙ୍ଗଳ ମହୁରି ବାଜିଉଠିଲା । ଗୋଟାଏ କି ଅଜ୍ଞାତ ଆତଙ୍କରେ ଭିକାରିର ହୃଦୟ କମ୍ପିଉଠିଲା ।

 

‘‘ରାଜବାଟୀର ପଛପଟକୁ ଚାଲ !’’ ଜଣେ ଅପରିଚିତ ବ୍ୟକ୍ତି ଆସି ଡାକିଲା । ଭିକାରିର ମୁଖରେ ଭାଷା ନଥିଲା । ମନ୍ତ୍ରମୁଗ୍‌ଧପରି ସେ ସେହି ବ୍ୟକ୍ତିର ପଛେ ପଛେ ଚାଲିଲା ।

 

ପ୍ରାସାଦର ପକ୍ଷଦେଶସ୍ଥ ଦ୍ୱାର ସମ୍ମୁଖରେ ସେ ଉଭାହେଲା । ଭିତରରୁ ଆଜ୍ଞା ହେଲା–ଭିକାରି, ଗୀତ । ଭିକାରି ଧୀରେ ଧୀରେ ଧଇଲା–‘ରତ୍ନ ସିଂହାସନ ମଉଡ଼ମଣିକି କହିବୁଟି କଥାଏ, ମୋହ କର୍ମକୁ ଯେ ବଧିର ହୋଇଲେ ନଶୁଣିଲେ ଦୟାମୟେ ।’

 

ସଙ୍ଗୀତ ଶେଷ ହେଲା । ରାଜା ଏବଂ ରାଣୀ ଉଭୟେ ବିଜେ କଲେ । ରାଣୀ ନିଜ ହାତରେ ଭିକାରିର ଜୀର୍ଣ୍ଣ ଥଳୀଟିକି ସ୍ୱର୍ଣ୍ଣ ମୁଦ୍ରାରେ ପୂର୍ଣ୍ଣ କରିଦେଲେ ।

 

ଭିକାରି ଥରେ ରାଣୀଙ୍କ ମୁଖକୁ ନିରେଖି ଚାହିଁଲା । ତା’ପରେ ଧୀରେ ଧୀରେ ନିଜର ଥଳୀଟିକୁ ରାଣୀଙ୍କର ପାଦତଳେ ଉଝାଇଦେଇ ଖୁବ୍‌ ଦ୍ରୁତଗତିରେ ପଳାଇଗଲା ।

 

‘‘ଭିକାରି, ଭିକାରି !’’ ରାଣୀ ଡାକିଲେ ।

 

‘‘ଭିକାରି, ଭିକାରି !’’ ରାଜା ମଧ୍ୟ ଡାକିଲେ ।

 

‘‘ଭିକାରି, ଭିକାରି !’’ ପାତ୍ର ମନ୍ତ୍ରୀମାନେ ଚିତ୍କାର କଲେ ।

 

ଭିକାରି କାହାରି କଥା ଶୁଣିଲା ନାହିଁ ।

 

ଭିକାରି ଅନ୍ନପୂର୍ଣ୍ଣାର ରୂପ ଦେଖିଛି । ତଥାପି ଭିକାରି ଆପଣାର ଅନ୍ତରର ଅନ୍ନପୂର୍ଣ୍ଣାକୁ ଦେଶ ବିଦେଶରେ ଖୋଜିବୁଲୁଛି କାହିଁ ତା’ର ଅନ୍ନପୂର୍ଣ୍ଣା !

 

ତା’ର ଥାଳ ଆଉ କେବେ ପୂର୍ଣ୍ଣ ହେଲାନାହିଁ ।

☆☆☆

 

ବିସ୍ମରଣ

 

‘ସୁଷମା !’

 

ଶ୍ରୀହର୍ଷ ଡାକିଲା । ଶ୍ରୀହର୍ଷର ଛାଇ ଦେହରେ ତା’ର ପ୍ରତିମୂର୍ତ୍ତି । ସୁଷମା ମନେମନେ ତା’ରି ଚରଣରେ ଅର୍ଘ୍ୟ ଅର୍ପଣ କରୁଥିଲା ।

 

ଶ୍ରୀହର୍ଷ ଡରୁଥିଲା, ସୁଷମା କାନ୍ଦିବ କି ? କିନ୍ତୁ ସୁଷମାର ଆଖିରେ ଲୁହ ନଥିଲା । ମୁଖମଣ୍ଡଳରେ ଅପୂର୍ବ ଦୀପ୍ତି–ଗୌରବର ପରିଭାଷା ପରି ।

 

‘ମୋର ଆଜି ବଡ଼ ଆନନ୍ଦ ସୁଷମା, ମୁଁ ତମ ଭଳି ବାଳିକାର ପରିଚୟ ପାଇଛି ।’

 

ରାଜଦୂତମାନେ ବନ୍ଦୀ ଶ୍ରୀହର୍ଷକୁ ଘେନିଯିବାକୁ ବସିଲେ ।

 

‘ନମସ୍କାର !’ ଶ୍ରୀହର୍ଷ ବିଦାୟ ମାଗିଲା ।

 

‘ହର୍ଷ !’

 

ଶ୍ରୀହର୍ଷ ଚାଲି ଯାଉଥିଲା । ସୁଷମା ପଛଆଡ଼ୁ ଆକୁଳ ହୋଇ ଡାକିଲା । ଶ୍ରୀହର୍ଷ ଫେରିପଡ଼ି ଚାହିଁଲା । ସୁଷମା ବାଷ୍ପ ଆକୁଳ ନେତ୍ରରେ ଚାହିଁଥାଏ–‘ହର୍ଷ କୁହ, ଏଇ ଶେଷଥର–ଆଉ ଥରକ ପାଇଁ କହିଯାଅ–’ କହୁଥିଲା ।

 

ଆଉ କହିପାରିଲା ନାହିଁ ।

 

‘କ’ଣ ?’ ହର୍ଷ ପଚାରିଲା ।

 

ସୁଷମା ପୁଣି ତଳକୁ ମଥା ପୋତିଦେଲା ।

 

‘କ’ଣ ସୁଷମା !’ ଶ୍ରୀହର୍ଷ ପୁଣି ପ୍ରଶ୍ନ କଲା–କ’ଣ କହିବି ?’

 

‘ଯାହା ମୁଁ କେବେ ଭୁଲିପାରିବି ନାହିଁ ।’ ସୁଷମା କହିପାରିଲା ।

 

ହର୍ଷ ହସିଲା । କହିଲା–‘ସେ କଥା ତମେ ଜାଣ ।’

 

ରାଜଦୂତମାନେ ଶ୍ରୀହର୍ଷକୁ ଘେନିଗଲେ । ସୁଷମା ଆଉ ଚାହିଁପାରିଲା ନାହିଁ ତା’କୁ । ତଳକୁ ଚାହିଁ ସେ ଅସ୍ତଗାମୀ ସୂର୍ଯ୍ୟର କ୍ରମ ମଳିନ କିରଣର ତାପ ଅନୁଭବ କରୁଥିଲା, ବରଂ ସେଇ ତାପର ତାକୁ ଏକପ୍ରକାର କରୁଣ ହସ ହସି କହୁଥିଲା–‘ସେକଥା ତମେ ଜାଣ ସୁଷମା ।’

 

ହଁ, ଶରତର ସନ୍ଧ୍ୟା ହସିଉଠିଥିଲା ସେଦିନ । ସେଭଳି ହସ ଆଉ କେବେ ହସିନାହିଁ ସେ-। ଅନେକ ଶରତ ଗଲାଣି, ଶୀତର ଧୂସର ଆଭାରେ ମିଶି ମିଶି ଗଲାଣି କେତେ ଶରତର ସାନ୍ଧ୍ୟ କୁଙ୍କୁମ କିନ୍ତୁ ସେଦିନର ସେ କିରଣ–ହର୍ଷ ବିଷାଦର ସମ୍ମିଶ୍ରଣ ସେ ।

 

ସେ ଅନେକଦିନର କଥା ।

 

ତା’ପରେ ଆସିଲା ଶ୍ରୀହର୍ଷର ଯାବଜ୍ଜୀବନ ଦ୍ୱୀପାନ୍ତର ସମ୍ୱାଦ, ରାଜଦ୍ରୋହ ଅପରାଧରେ । ସହସା ନଗରରେ ବିଷାଦର ଛାୟା ଘୋଟିଗଲା । ସମସ୍ତଙ୍କ ମୁଖରେ ‘ଆହାରବ’ ଭରିଉଠିଲା । ସୁଷମା ଅତି ଶାନ୍ତ ଭାବରେ ସ୍ୱାଗତ କରିଥିଲା ସେଦିନ ସେଇ ସମ୍ୱାଦକୁ ।

 

ଶୀତ ଚାଲିଯାଇଛି, ଆସିଛି ବସନ୍ତ । ନୂତନତ୍ୱ ନାହିଁ, ଏ ତ ଚିରଦିନର ରୀତି କିନ୍ତୁ ସେଦିନ ସୁଷମା ସେଇ ପୁରାତନ ଭିତରେ ନୂତନର ସନ୍ଧାନ ପାଇଲା । ଶ୍ରୀହର୍ଷ ଯାହା କହି ଯାଇଥିଲା, ସେ କେବଳ ତା’ରି ସୂଚନା । ରାଜଦ୍ରୋହୀ ଶ୍ରୀହର୍ଷ ।

 

ସେ କ’ଣ ଏଇ କଥା ! ଜଗତର ସମସ୍ତ କ୍ଷଣିକ ଅସ୍ଥିରତା ଭିତରେ ଏଇ କ’ଣ କେବଳ ଅକ୍ଷୟ ସନାତନ ! ଯାହାକୁ ସେ ଜାଣେ । ଜାଣିଥିଲା । ଯାହାକୁ ସେ ପାଇଛି । ଗୋଟାଏ ଅପୂର୍ବ ଅନବଦ୍ୟ ପଦାର୍ଥ ।

 

ଅରୁଣର ପ୍ରେମରେ ସେଦିନ ସେ ସନ୍ଧାନ ପାଇଥିଲା ଯାହାକି ଅପାଶୋର ଅସରନ୍ତି । ମଣିଷର ଏଇ ଭୁଲ ଜୀବନଟା ଭିତରେ । ମଣିଷ ମଣିଷକୁ ଭୁଲିଯାଇ ପାରେ, କିନ୍ତୁ ଭୁଲିପାରେ ନାହିଁ ଗୋଟିଏ କଥା, ସେ ଏଇ ପ୍ରେମ ।

 

ଆଉ ଦିନେ । ତା’ର କେତେଦିନ ପରେ । ଅନେକ ଦିନ ହେଇଗଲାଣି । ସୁଷମାର କୋଳ ଉଜ୍ଜ୍ୱଳ କରି ଆବିର୍ଭୂତ ହେଲା ଆଉ ଗୋଟିଏ ଅମୂଲ୍ୟ ବସ୍ତୁ । ଦେବଶିଶୁ ସାତ୍ୱିକୀ । ପ୍ରଣୟର ଅବଦାନ ରୂପେ । ପ୍ରେମର କ୍ରମ ବିକାଶ ସେ । ଭଲପାଇବାର ଧାରାବାହିକତା । ସ୍ନେହର ଅତୁଟା ସ୍ମୃତି ।

 

ୟା ଭିତରେ କେତେ ଶରତ ଶୀତ ଚାଲିଯାଇଛି । ଚାଲିଗଲା ।

 

ସେଦିନ ଦାଣ୍ଡ ଦୁଆରରେ କିଏ ଆସି ଠିଆହେଲା, କିଏ ଏ ? ରୁକ୍ଷ ବିତ୍ରସ୍ତ ଅର୍ଦ୍ଧପକ୍ୱ କେଶଗୁଚ୍ଛ । ଶ୍ମଶ୍ରୁ ବିଶୃଙ୍ଖଳ ମୁଖମଣ୍ଡଳ । କୋଟରଗତ ଚକ୍ଷୁ । ଛିନ୍ନ ପରିଧାନ । କ୍ଷୀଣ ଦେହ । ବୟସର କଷାଘାତ–ତା’ର ଚିହ୍ନ ଅତି ସୁସ୍ପଷ୍ଟ ।

 

‘ମା’ ବାଇୟା !’ ସାତ୍ୱିକୀ ଡରେ ଘରକୁ ପଳାଇଲା ।

 

‘ମୋ ଛୁଆ !’ ବୋଲି କହି ସୁଷମା ପୁଅକୁ ଜାକିନେଲା କୋଳରେ । ଆଉ କିଟିମିଟି କରି ଚାହିଁଲା ପାଗଳାକୁ । ସେଇ ପାଗଳାକୁ । ଦୁଆର ବନ୍ଧ ପାଖରେ ଠିଆହୋଇ ।

 

‘ଭାକ୍‌, ଭାକ୍‌, ଭାକ୍‌ ଏଠୁ !’ ସୁଷମା କ୍ଷେପି ଉଠିଲା ।

 

ପାଗଳା ଚାହିଁଥାଏ । ଓଠ ଉପରେ ଗୋଟେ ନିଷ୍ଠୁର ହସ ଉଠି ମଧ୍ୟ ଉଠିପାରୁ ନଥାଏ ।

 

ହଠାତ୍‌ ସଙ୍କେତ ଶବ୍ଦ ହେଲା । ରାଜଦୂତମାନେ ଚାରିଆଡ଼େ ଘେରିଗଲେ । ସମୟ ଥିଲା, କିନ୍ତୁ ପାଗଳ ଗଲା ନାହିଁ । ପାରିଥିଲେ ପାରିଥାନ୍ତା, କିନ୍ତୁ ପଳାଇଲା ନାହିଁ । ନିର୍ଭୀକ ନିଷ୍ପନ୍ଦ, କେବଳ ନିସ୍କମ୍ପ ନେତ୍ରରେ ଚାହିଁ ରହିଥାଏ ସେଇ ସୁଷମାକୁ ।

 

ବିଦ୍ରୂପ ନୁହେଁ । କରୁଣ ନୁହେଁ । ଅସଙ୍ଗତ ନୁହେଁ । ଅନର୍ଥକ ନୁହେଁ । ଅଥଚ ଗୋଟାଏ ବିକୃତ ହସ ସେ ହସିଲା । ବଡ଼ ଭୀଷଣ କିନ୍ତୁ–

 

ରାଜଦୂତମାନେ ବନ୍ଦୀଶାଳାରୁ ପଳାୟନକାରୀ ବନ୍ଦୀକୁ ନିର୍ମମ ପ୍ରହାର କରି ଘେନି ଯାଉଥିଲେ । ଶ୍ରୀହର୍ଷ ଆଜି ଆଉଥରେ ପଛକୁ ଚାହିଁ କହିଲା– ‘ସଂସାରରେ ଗୋଟିଏ କଥା ଅଛି, ମଣିଷ ତାକୁ କେଭେ ଭୁଲିପାରେ ନାହିଁ, ସେ ହେଉଚି– ବିସ୍ମରଣ !’

 

ସୁଷମା ଚାହିଁଥିଲା । ଶ୍ରୀହର୍ଷ ଆଉ ପଛକୁ ଫେରି ଚାହିଁନାହିଁ ।

 

ଶ୍ରୀହର୍ଷ କହିଗଲା–‘ସେଇ ମଣିଷ ଜୀବନର ଦାରୁଣ ଅଭିଶାପ ।’ ସୁଷମାକୁ ସେମିତି ଲାଗିଲା, ଶ୍ରୀହର୍ଷ କହିଗଲା ପରି ।

 

ସେ କିନ୍ତୁ ମାନିଲା ନାହିଁ । ମାନିବାକୁ ପ୍ରସ୍ତୁତ ନଥିଲା ।

 

ଛୁଆଟିକୁ ଆହୁରି ଛାତି ପାଖକୁ ଯାକିନେଇ ସେ ପ୍ରତିବାଦ କରୁଥିଲା–‘ନା ନା, ସେଇ ହଉଛି ଭଗବାନଙ୍କ ବରଦାନ । ଏଇ ଦୁଃଖମୟ ସଂସାରରେ ।’ ଶ୍ରୀହର୍ଷ କଥାର ପ୍ରତିବାଦ ସେ ।

 

ସାତ୍ୱିକୀ ହସିଦେଲା । ସୁଷମା ଚୁମାଟିଏ ଖାଇ ଚାଲିଗଲା ଘର ଭିତରକୁ । ଦାଣ୍ଡରେ କେହି ନଥିଲେ ।

☆☆☆

 

ମଧୁଶଯ୍ୟା

 

ବିମୋହିତ ଧୀରେ ଧୀରେ ସେଇ ଘରଆଡ଼କୁ ଗଲା ।

 

ବହୁତ ଦୂର ବାଟ । ବାଟ ଚାଲୁ ଚାଲୁ ବାଟ ଚଲାର ନହସରେ ମନେ ନାହିଁ କେଉଁଠିକି ଯିବାକୁ ହବ । ଅଥଚ ବାଟ ବଣାହେଇ ଯାଇନାହିଁ । ଆଉ ଅଳପ ଦୂର ଅଛି ପହଞ୍ଚିବାକୁ । ଭାରି କଷ୍ଟ । ହଠାତ୍‌ ମନେପଡ଼ିଗଲା ଲହଡ଼ି ମାଡ଼ିଆସିଲା ପରି । ଲକ୍ଷର କଳ୍ପନା, ପହୁଞ୍ଚିବାର ଆନନ୍ଦ ମନକୁ ଯେମିତି ବଳେଇନିଏ ଦି’ଗୁଣ ବଳରେ ଦୂର ବାଟର ସବୁ ଦୁଃଖକୁ ଆପଣା ଅଗୋଚରରେ ଖସେଇ ପକେଇ ଠିକ୍‌ ସେମିତି । ବିମୋହିତର ଆଗ୍ରହ ଯେମିତି ବନ୍ଧ ଭାଙ୍ଗି ପକେଇଲା ।

 

ଭଣ୍ଡାରୀଟା ଠାରିଦେଇ ଚାଲିଗଲା । ଇସାରାରେ ସେ ଯାହା କହିଗଲା, କଥାଠାରୁ ଢେର୍‌ ସୁସ୍ପଷ୍ଟ । ସେ କେଉଁଆଡ଼କୁ ଗଲା କିଜାଣି । ମିଛୁଟାରେ ବିମୋହିତ ତା’ ଯିବା ବାଟକୁ ଚାହିଁଲା । ଚାରିଆଡ଼କୁ ଅନେଇଲା । ସାଙ୍ଗମାନେ ପ୍ରାୟ ଶୋଇପଡ଼ିଛନ୍ତି । ସେ ପାଦ ଉଠାଇ ଆଗକୁ ବଢ଼ିଲା ।

 

ଗୋଡ଼ଟା ଥରିଲା । ସେ ମାନିଲା ନାହିଁ । ଛାତିଟା ଡେଇଁଲା । ତାକୁ ସେ ଶୁଣିଲା ନାହିଁ । ଦିହଟା ଚଞ୍ଚଳ ହେଲା । ଦୁର୍ବଳ ମଣିଷ ଯେମିତି ବଳ ଦେଖାଏ ସେମିତି । ସେ ଆପଣାକୁ ବୁଝେଇପାରୁନଥିଲା, ସମସ୍ତେ ଯାହା କରନ୍ତି; ସେ ସେଇୟା କରିବାକୁ ଯାଉଛି ବୋଲି । ଅତଚ ସେ ଦୁର୍ବଳତାକୁ ଜୟ କରିବାକୁ ଚାହୁଁଥିଲା । କାରଣ ଦେଖାଇ ନୁହେଁ–ଜବରଦସ୍ତି । ସେ ପେଲି ପଶିଗଲା ଘର ଆଡ଼କୁ । ଭରା ନଈକି ବାନ୍ଧି ଗୋଟାଏଠି ଘାଇ ଖୋଲିଦେଲା ପରି ।

 

ଦୁଆର ପାଖରେ, ଦୁଆରକୁ ଚାଖଣ୍ଡେ ଛାଡ଼ି ସେ ଦମ୍‌କିନା ରହିଗଲା । ପୁଣି ଥରେ ଚାହିଁଲା–କେହି ନାହାନ୍ତି ତ !

 

କେହି ନଥିଲେ । ସେ ଦରଆଉଜା ଦୁଆରର କବାଟଉପରେ ହାତ ଦେଲା । ଟିକିଏ କେଁ ପୁଣି ଶବ୍ଦ ହେଲା ଲୁହାପେଞ୍ଚର । ସେ ଚମକିପଡ଼ିଲା । ପୁଣି ଥରେ ପଛକୁ ଫେରିପଡ଼ି ଚାହିଁଲା–କିଏ ଯେମିତି ଚାହୁଁଛି ।

 

ବିଭୂତି କହିଥିଲା । ଯତୀ ବାଜି ମାରିଥିଲା । ସେମାନେ ସବୁ କ’ଣ ଚାହିଁଚନ୍ତି ! ମିଛଟାରେ ଆଖି ବୁଜି ପଡ଼ିଚନ୍ତି ?

 

ସେ ଖଞ୍ଜାରେ ସେ ଦରବୁଢ଼ୀ ମାଇପୁଟା ନୂଆବୋଉ ନେଖା ହବ–କାହିଁ ତ କେହି ନାହାନ୍ତି !

 

ଯଦି ଆସି ଦେଖନ୍ତି ! ଛି ଛି, କି ଲାଜ କଥା ।

 

ତା’ପରେ ସେ ହସି ପକେଇଲା । ବୋଧହୁଏ ନିଜକୁ । ସେ ହସ ଭିତରେ ଅନେକ କଥା ।

 

ସେ କବାଟ ଖୋଲିଦେଇ ଭିତରକୁ ଗଲା । ତାପରେ ବନ୍ଦ କରିଦେଲା ଏକା ରାହାରେ-। ବାହାରେ ଆଉ କାହାରି ଚିହ୍ନବର୍ଣ୍ଣ ନାହିଁ । କିଏ ଆସିଲେ ବି କିଛି ଦେଖିପାରିବେ ନାହିଁ-। କବାଟକୁ ଭଲକରି କିଳି ଜଞ୍ଜିର ଲଗେଇଦେଲା । ସେ ପାଖର ଆକାଶଟା କଉଁ କଣା ବା ଫାଙ୍କବାଟେ ଏ ପାଖକୁ ଉଙ୍କିମାରିଦବ କାଳେ । ଭଲକରି ଜଞ୍ଜିର ଲଗେଇଦେଲା ।

 

ଖିଡ଼ିକି, ଛୋଟ ଖିଡ଼ିକିଟିଏ ଖୋଲା ଥିଲା । ସେବାଟେ ଅନ୍ଧାର ରାତିର ମିଞ୍ଜିମିଞ୍ଜି ତରାଗୁଡ଼ାକ ଚାହିଁ ଜଳକା ପରି ଅନେଇ ରହିଚନ୍ତି । ଦୁଆରପଶା ଆକାଶ ଆଉ ଝରକା ଡିଆଁ ଆକାଶ ଭିତରେ ବହୁତ ତଫାତ୍‌ । ସେ ପାଖ ଆକାଶ ତା’ ଆସିବାକୁ ଦେଖିଛି । ଆଉ ସେ ଆସିବାବେଳକୁ ତା’ ପଛେ ପଛେ ଯେମିତି ଗୋଡ଼େଇ ଆସୁଛି ସିଂହରାଶି ପରି । ଏପାଖ ଆକାଶ ତାକୁ ଦେଖି ଉହାଡ଼ରେ ଲୁଚିଯିବାକୁ ମନେ କରୁଛି । ସପ୍ତର୍ଷି ମଣ୍ଡଳପରି ଆପଣା ଧ୍ୟାନରେ ବସିଯିବା ପାଇଁ ।

 

ତଥାପି ସେ ଝରକା ବନ୍ଦ କରିଦେଲା । ବନ୍ଦ କରିଦେଲାବେଳେ ତା’ ମୁହଁରେ ପୁଣି ଟିକିଏ ହସ ଫୁଟିଉଠିଲା । ସେ ହସର ଅର୍ଥ ଏକାଧିକ ।

 

ପଲଙ୍କ ଉପରେ ଫୁଲ ଶେଯ । ସେ କୋଣରେ ପିଲିସଜ ଉପରେ ପିତଳ ଦୀପଟିଏ ଜଳୁଛି–ଘିଅ ଦୀପ । ତଳେ ମସିଣା ଉପରେ ବସିଛି–ସେ । ଅନେଇଦେଇ ବିମୋହିତ ଥମିଗଲା । ଥକି ଗଲା ପରି । ତେଣିକି ଗୋଡ଼ ବଢ଼ଉ ବଢ଼ଉ ଗୋଡ଼ର–ହାଡ଼ ପୁଞ୍ଜାକ ମେଳେଇ ଯାଇଁ ମାଉଁସ ମେଞ୍ଚେ ହେଇଗଲା କି ଆଉ । କ’ଣ କହିବାକୁ ଚାହୁଁଥିଲା । ଜିଭଟା ଭିତରେ ହାଡ଼ ଖଞ୍ଜିହୋଇ ସେ ଯେମିତି ଲେଉଟୁ ନାହିଁ ।

 

ସେ ପୁଣି ହସିଲା । ସେ ହସର ଅର୍ଥ ଗୋଟିଏ ।

 

ସେ ଜାଣୁ । ତା’ ଜାଣିବାରେ କ’ଣ ଅଛି । ଆରେ, ସେ ନ ଜାଣିବ କିମିତି । ତା’ ନଜାଣିଲା ପରି ବିମୋହିତର କ’ଣ ଥାଇପାରେ ?

 

ତଥାପି ଲାଜ ମାଡ଼ୁଥିଲା । ସେ ଭାବିବ କ’ଣ ! କିନ୍ତୁ ତା’ ଭାବିବାରେ ଯାଏ ଆସେ କେତେ । ତା’ର କ’ଣ ଆଉ ସ୍ୱତନ୍ତ୍ରତା ଅଛି । ସେ ଦୁହେଁ ଯେ ଏକ । ସେ ତା’ର ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ, ସୁଖ ଦୁଃଖର ସାଥି ।

 

ଖାଲି କ’ଣ ସେତିକି ! ତା’ରି ପାଇଁ ତ ସବୁ । ଏ ଶେଯ ଦୀପ, ନଡ଼ିଆ, ଘର ଦୁଆର ସାଜସଜ୍ଜା ସବୁ । ସବୁଥିରେ ତା’ର ଅଧିକାର । ନାଜ କରିହେବ କେମିତି !

 

‘ବିଭା !’ ସେ ଡାକିଲା ।

 

ଉତ୍ତରୀର ଓଢ଼ଣା ଭିତରେ ଅଲକ୍ଷ ସ୍ପନ୍ଦନ ଛଡ଼ା ଆଉ କେହି ସ୍ୱୀକାର କରିନାହିଁ ସେ ସମ୍ୱୋଧନ ।

 

ଏତିକିବେଳେ ତା’ର ମନେହେଲା କବାଟ ସେ ପଟରୁ କଉଁ ଟିକିଏ ଛିଦ୍ର ଭିତର ଦେଇ କିଏ ଯେମିତି ସହସ୍ର ଆଖିକରି ଚାହିଁଲା ଆସି ।

 

ସେ ତାକୁ ସତ ବୋଲି ମାନିବାକୁ ପ୍ରସ୍ତୁତ ନଥିଲା । ତଥାପି ଏଥର ତାର ଡାକ ଆହୁରି ଧୀର ହେଇଗଲା–ବିଭା ।

 

ବିଭା ତଥାପି ନୀରବ । ବିମୋହିତ ହସିଲା । ଏ ହସିବାର ଅର୍ଥ ହସିବା ।

 

ସେ ପୁଣି ଥରେ ଥରେ କବାଟ ଆଉ ଝରକା ଆଡ଼କୁ ଚାହିଁ ବିଭା ପାଖରେ ଯାଇଁ ବସିପଡ଼ିଲା । ବିଭାକୁ ତା’ର ବାହୁଲତାରେ ଘେରିନେଇ ପୁଣି ଥରେ ଖୁବ୍‌ କୋମଳ କରି ଡାକିଲା–ବିଭା !

 

ତା’ ଜବାବ ଯେମିତି ଘର ଆରପାଖରୁ କିଏ ଦେଲା । ସେ ତେଣିକି କାନ ଦେଲାନାହିଁ । ‘ବିଭା ବିଭା ମ ।’ ବିଭାକୁ ସେ ହଲେଇଦେଲା । ବିଭା ତଥାପି ନିଶ୍ଚଳ । ହଲିଲାବି ନାହିଁ ।

 

‘କ’ଣ ବେଶୀ ବଳ ହବ ନା ?’ ସେ ବଳ କଲା । ବିଭା ବିମୋହିତ ଉପରକୁ ଢଳିପଡ଼ିଲା । ପଡ଼ିଗଲା ତା’ ଉପରେ । ବିମୋହିତ ଉଠେଇନେଲା ତାକୁ, ତା’ର ସେଇ ଦୁର୍ବଳ ଅବସ୍ଥାରେ ।

 

ବିଭାକୁ ପଲଙ୍କରେ ବସାଇ ଦେଇ ସେ ପୁଣି ଥରେ ଚାହିଁଲା ଚାରିଆଡ଼କୁ । ଉପରେ ଚାଳ, ତଳେ ମାଟି, ଚାରିଆଡ଼େ କାନ୍ଥ ଛଡ଼ା ଆଉ କେହି ନାହାନ୍ତି ତ ! ତଥାପି ସେ ଚଞ୍ଚଳ ହୋଇ ଉଠୁଥିଲା । ତା’ ଛାତି ନାଚୁଥିଲା । ମୁହଁଟା ଗରମ ।

 

ସେ ଓଢ଼ଣା କାଢ଼ିଦେଲା । ବିଭା ତଳକୁ ମୁହଁ ପୋତିଦେଇ ବସିଲା ଖୁମ୍ୱ ପରି । ବିମୋହିତ ଆଶ୍ଚର୍ଯ୍ୟ ହୋଇଗଲା । ବିଭା କେମିତି ଆଗରୁ ଜାଣିଲା ସେ କଥା ।

 

ତା’ହେଲେ କ’ଣ ସମସ୍ତେ ଜାଣନ୍ତି ! କେବଳ ବିଭୂତି ଯତୀ ନୁହନ୍ତି, ଖାଲି ତା’ର ଆଈ ନୂଆବୋହୂ ନୁହନ୍ତି, ସେ ଭଣ୍ଡାରାଟା ବି ଏକଲା ନୁହେଁ–ସମସ୍ତେ ଜାଣନ୍ତି ! ବନ୍ଧୁବାନ୍ଧବ ପ୍ରିୟା ପ୍ରୀତି, ଯେ ଅଛନ୍ତି, ଯେ ବରଯାତ୍ରୀ ଯାଇଥିଲେ, ଯାହାକୁ ନିମିତ୍ତ ପଠାଯାଇଥିଲା, ଯେ ଆସିଲେ, ଯିଏ ବା ନ ଆସିପାରିଲେ ଜଣେ କେହିବି ବାଦ୍‌ ଯାଇନାହିଁ ସେଥିରୁ–ସମସ୍ତେ ଜାଣନ୍ତି ତା’ ହାଲ ! ଦୁନିଆଯାକ ସମସ୍ତେ ଜାଣନ୍ତି ଯେ ତା’ର ଆଜି ମଧୁଶଯ୍ୟା ।

 

ସମସ୍ତେ ଜାଣନ୍ତି ଯେ ସେ ଏଠିକି ଆସିଛି । ସମସ୍ତେ ଜାଣିଥିଲେ ଯେ ସେ ଏଠିକି ଆସିବ । କେହି ଆସି ଦୁଆର ମୁହଁରୁ ଥାଇ ନ ଦେଖିଲେ ବି ସମସ୍ତେ ଦେଖିଲାପରି–ସମସ୍ତଙ୍କ ଆଖି ସାମନାରେ ସେ ଅଭିନୟ କରୁଛି ।

 

ସେ ହସିଲା । ପାଗଳ ପରି ।

 

ସେ ବିଭାକୁ ଗୋଟିଏ ଚୁମା ଦେଲା । ମନେହେଲା ଯେମିତି ଦୁଆର ସେ ପଟରେ କିଏ ହସି ପକେଇଲା । ସେ ଦୁଆର ଆଡ଼କୁ ଚାହିଁଦେଲା । ଯେମିତି କିଏ ସବୁ ଦଉଡ଼ି ପଳଉଚନ୍ତି । ସେ ବିଭାକୁ ଖୁବ୍‌ ଜୋରରେ ଛାତି ପାଖକୁ ଭିଡ଼ିନେଲା । ବାହାରେ ଯେମିତି ହସର ଖଣ୍ଡିଆଭୂତ ଉଡ଼ୁଛି । ସେ ଝଡ଼ ଭିତରେ ବିଭା ଆଉ ସେ ଦୁଇଜଣ ।

 

ମନେହେଲା ବିଭା ଯେମିତି ତା’ର ଅନେକଦିନର ଚିହ୍ନା ଅନେକ ଦିନର ଜଣାଲୋକ । ବହୁପୂର୍ବରୁ ବିବାହିତା ସ୍ତ୍ରୀ । କେତେଦିନରୁ ଘର କଲେଣି । ଦୁନିଆଯାକ ଜାଣନ୍ତି ସେ କଥା । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ପର୍ଯ୍ୟନ୍ତେ । ଗଛପତ୍ର ନଈ ନାଳ ଏମିତିକି ଦାଣ୍ଡର ଧୂଳି ବାଲିବି ଜାଣିଗଲେଣି–ବିଭା ବିମୋହିତ ସ୍ତ୍ରୀ ପୁରୁଷ, ବିବାହିତ ।

 

ଖାଲି ସେତିକି ନୁହେଁ । ଏ ଅପବାଦକୁ ଲୁଚାଇବାକୁ ଯେମିତି ଆଉ ବାଟ ନାହିଁ । ବିଭା ସତେ ଯେମିତି ବିମୋହିତର ସନ୍ତାନର ମା’ ହେଇସାରିଛି–ବହୁଦିନ ଆଗରୁ ।

 

ଆଉ ଲାଜ କ’ଣ ?

 

ଧଡ଼କିନା କବାଟ ଖୋଲି ବିମୋହିତ ଏକା ନିଶ୍ୱାସକେ ବାହାରକୁ ଚାଲି ଆସିଲା । ବିଜୟ ସାରି ଦୁର୍ବଳ ବିଜୟୀ ଯେମିତି ପଳେଇଯାଏ ରଣଭୂଇଁରୁ ।

 

ତା’ର ମନେହେଲା, ହଠାତ୍‌ ଯେମିତି ବାହାଘରର ବାଜା ସବୁ ବନ୍ଦ ହେଇଗଲା । ରୋଷଣୀ ଦପ୍‌ଦପ୍‌କିନା ଲିଭିଗଲା । ଏଇ ଦଣ୍ଡକ ଆଗରୁ କାନରୁ ଅତଡ଼ା ଖସି ପଡ଼ୁଥିଲା ଢୋଲ ଟମକ ତୁରୀ, ଭେରୀ, ମହୁରୀର ଚିତ୍କାରରେ । ବାଣ ଫୁଟି ଆଖିରୁ ଝୁଲ ଖସେଇ ପକଉଥିଲା । ଯେମିତି ନିହାତି ଗୋଟାଏ ପୁରାତନ ଅସଭ୍ୟ ତାକୁ ଘୋଡ଼େଇବାପାଇଁ ନିହାତି ଅଯଥା ଆଡ଼ମ୍ୱର ଏ-। ଅଯଥା ଆବରଣ । ଅକାରଣ ସାଜସଜ୍ଜା ।

 

ଆଉ ତା’ର ଦରକାର ନାହିଁ ଏବେ ।

☆☆☆

 

ଶିଳା

 

ବୌଦ୍ଧ ବିହାରର ଗୋଟିଏ ଏକାନ୍ତ ସ୍ଥାନରେ ଶିଳା ଖଣ୍ଡେ ପଡ଼ିଥାଏ । ଶିଳା ନୁହେଁ, ଗୋଟିଏ ପ୍ରସ୍ତର ମୂର୍ତ୍ତି । ତା’ର ଇତିହାସ କେହି ଜାଣନ୍ତି ନାହିଁ । ସେ କେଉଁଠୁ ଆସିଥିଲା, କିଏ ଆଣିଥିଲା, କିଏ ଗଢ଼ିଥିଲା, କାହିଁକି ଗଢ଼ିଥିଲା ତା’ ଖବର କେହି ରଖିନାହାନ୍ତି । ହୁଏତ କେଉଁ ଦେବୀ ମୂର୍ତ୍ତି ହେଇଥିବ କିମ୍ବା କେଉଁ ନାଟଶାଳାର ଶିଳାସ୍ତମ୍ଭରୁ ଚ୍ୟୁତ ହୋଇ ପଡ଼ିଥିବ, ଅଥବା କେଉଁ ଭ୍ରାମ୍ୟମାନ ସୌଦାଗରର ସଂଗ୍ରହ ମଧ୍ୟରୁ ଗୋଟିଏ । ତା’ର ଅସାବଧାନତାରୁ ଖସିପଡ଼ିଛି ପଥ ମଧ୍ୟରେ । କିଏ କହିବ ସେ କଥା !

 

ଦିନେ ହୁଏତ ତା’ର ମୂଲ୍ୟ ଥିଲା । ଅମୂଲ ମୂଲ । ଆଜି ମୂର୍ତ୍ତିଟି ଛିନ୍ନମସ୍ତା । ନାରୀର ଅବୟବ । ଭଗ୍ନ, ବିକ୍ଷତ । କେଉଁଦିନ, କେତେ ବର୍ଷପୂର୍ବେ କେତେ ଶତାବ୍ଦି ଆଗେ ଏ ମୂର୍ତ୍ତିର ଆଦର ମଣିଷ କିଭଳି ଭାବରେ କରିଥିଲା ସେ କଥା କେହି କହିପାରିବ ନାହିଁ । କିନ୍ତୁ ବୌଦ୍ଧଯୁଗର ଏଇ ପ୍ରାରମ୍ଭିକ କାଳରେ ତା’ର ମୂଲ୍ୟ ତୁଚ୍ଛ ଅକର୍ମଶିଳା ସଙ୍ଗେ ସମାନ ।

 

କେହି ଦେଖନ୍ତି ନାହିଁ । କେହି ଭ୍ରୂକ୍ଷେପ କରନ୍ତି ନାହିଁ । ଏକାନ୍ତ ସ୍ଥାନ । କେହି ଆସନ୍ତି ମଧ୍ୟ ନାହିଁ । ସୌମ୍ୟବନ୍ତ ଏକାକୀ ଆସେ । ପ୍ରତିଦିନ ସନ୍ଧ୍ୟାରେ ସେଇ ମୂର୍ତ୍ତି ପାଖରେ ଆସି ଠିଆହୁଏ । ହାତରେ ଥାଏ ଗୁଚ୍ଛଚ୍ୟୁତ ଗୋଟିଏ ଫୁଲ । ବୃନ୍ତ ହୀନ । ସେଇ ପଥର ମୂର୍ତ୍ତି ଉପରେ ସେ ଫୁଲଟିକି ଚଢ଼େଇଦେଇ ସେ ଚାହେଁ । ମୂର୍ତ୍ତିଟି ହସିଉଠେ । ସେ ହସ ତା’ର ପାଷାଣ ଦେହର ପ୍ରତି ସୂକ୍ଷ୍ମ ଛିଦ୍ର ଭିତରୁ ଚୁଇପଡ଼େ । ସୌମ୍ୟବନ୍ତ ସେ ହସରୁ କ’ଣ ପାଏ କିଜାଣି । ସେ ହସରୁ କ’ଣ ବୁଝେ ସେଇ ଜାଣେ । ତା’ପରେ ସେ ଫେରିଯାଏ ।

 

ଫୁଲଟି ଝାଉଁଳିପଡ଼େ । ପବନର ହିଂସା ହୁଏ । କେବେ କେବେ ତାକୁ ଉଡ଼େଇନେଇ ତଳେ ପକେଇଦିଏ । ସୂର୍ଯ୍ୟର ବି ଲୋଭ ହୁଏ । ଫୁଲର ସମସ୍ତ ରସ ସମସ୍ତ କୋମଳତାକୁ ଗ୍ରାସ କରିଯାଏ । ଫୁଲଟି କେବେ କେବେ ସେଇ ପଥର ମୂର୍ତ୍ତି ଉପରେ ଶୁଖି ଶୁଖି ମିଳେଇଯାଏ । ଟିକିଏ ଦାଗ ରହିଥାଏ । ସେ ବି ଲିଭିଯାଏ ଆସ୍ତେ ଆସ୍ତେ ।

 

ଏକଥା କେହି ଜାଣନ୍ତି ନାହିଁ । ହୁଏତ ଅନେକେ ଦେଖିଛନ୍ତି ଯିବା ବାଟରେ । କିନ୍ତୁ ଭଙ୍ଗା ପଥର ଖଣ୍ଡ ଉପରେ ଗୋଟାଏ ଦୁଇଟା ଫୁଲ ଦେଖି ତହିଁର ବିଶେଷତ୍ୱ ଲକ୍ଷ୍ୟ କଲା ଭଳିଆ ସ୍ପୃହା କାହାରି ନଥିଲା ।

 

ସେଦିନ ସୁପ୍ରଭାତ । କିମ୍ବା ଦୁର୍ଦ୍ଦିନ କିଏ କହିବ ! ଜଣେ କଳାବିତ୍‌ କାରିଗର ସେଇ ପଥ ଦେଇ ଫେରୁଥିଲେ । ଅବହେଳିତ ଶିଳା ମୂର୍ତ୍ତି ଉପରେ ଦୃଷ୍ଟି ପଡ଼ିଗଲା । ମୂର୍ତ୍ତିର ମାହାତ୍ମ୍ୟ ଦେଖି କ୍ଷଣକରେ ବୁଝିପାରି ଭଗ୍ନ ବିଗ୍ରହଟିକୁ ତାଙ୍କର କଳ୍ପିତ ଗୋଟିଏ କଳା ବା କାରୁକାର୍ଯ୍ୟର ଆଦର୍ଶ କରିବାକୁ ଘେନିଗଲେ । ସୌମ୍ୟବନ୍ତ ଜାଣେ ନାହିଁ ।

 

ସେଦିନ ସନ୍ଧ୍ୟାରେ ମଧ୍ୟ ସୌମ୍ୟବନ୍ତ ସେଇ ସ୍ଥାନଟିକୁ ଗଲା । ହାତରେ ଫୁଲ ଥିଲା । କିନ୍ତୁ ଆଗରେ ମୂର୍ତ୍ତି ନଥିଲା । ଫୁଲ ଖସିପଡ଼ିଲା ।

 

ସୌମ୍ୟବନ୍ତ ଖୋଜିଲା । କିନ୍ତୁ ଖୋଜିବାରେ ସ୍ପୃହା ନଥିଲା । ଯେମିତି ପାଳିତ ପକ୍ଷୀ ପିଞ୍ଜରା ଭାଙ୍ଗି ପଳେଇ ଯାଇଛି ।

 

ମୂର୍ତ୍ତି ହଜି ଯାଇଛି । କିନ୍ତୁ ସେଇ ସ୍ଥାନରେ ରହିଛି ଗୋଟାଏ ଚିହ୍ନ । ଖରା, ବର୍ଷା, ଶୀତ, କାକରରୁ ସୁରକ୍ଷିତ ସେଇ ସ୍ଥାନଟି ଯେ କି ଅନେକ ଦିନଯାଏ ସେଇ ମୂର୍ତ୍ତିକି ବକ୍ଷର ବହିବାର ମୂଲ ସ୍ୱରୂପ ପାଇଛି ଏଇ ସ୍ମୃତି । ସୌମ୍ୟବନ୍ତ ତା’ରି ଉପରେ ଫୁଲକୁ ଛିଡ଼ାଇ ଟିକି ଟିକି ପାଖୁଡ଼ାକୁ ବିଞ୍ଛୁଡ଼ି ଦେଲା ।

 

‘ସୌମ୍ୟବନ୍ତ ।’

 

ପଛଆଡ଼ୁ କିଏ ଡାକିଲା । ସୌମ୍ୟବନ୍ତ ଚାହିଁ, ଦେଖିଲା ବିବୁଦ୍ଧ ।

 

‘ସେଠି କ’ଣ ଦେଖଉଛ ସୌମ୍ୟ ।’

 

‘ପ୍ରାଣ–ବନ୍ତ ପ୍ରସ୍ତରର ଗତି ।’

 

‘ପ୍ରସ୍ତରର ଗତି !’

 

‘ହଁ, ଆଶ୍ଚର୍ଯ୍ୟ ହେଉଛୁ ଯେ । ହେଇଟି ଦେଖ୍‌ତାର ପାଦ ଚିହ୍ନ ।’

 

‘ପାଗଳ ।’

 

‘ମୋର ନିଜର ଅନୁଭୂତି ବିବୁଦ୍ଧ; ଜୀବନ୍ତର ପୂଜାରେ ଜଡ଼ ମଧ୍ୟ ଚେତନ ହେଇଯାଏ ।

☆☆☆

 

ସତୀ

 

ସେ ଚିତା ? ସେତକ ତା’ର ଅବଶେଷ । ଏଇ କାନ୍ଥରେ ଯୋଡ଼ ଉପରେ ପୋଛ ଲିପାହୋଇ ଚାଲିଛି–ପ୍ରତିବର୍ଷ । କିନ୍ତୁ ସେଇ ଚିତାଟାକୁ ମୁଁ ଲିପିବାକୁ ଦେଇନାହିଁ ସେ କୋଣରୁ । ତମେ ତାକୁ ଲିପେଇ ଦେବାକୁ ଚାହୁଁଛ ? ଅସୁନ୍ଦର ଦିଶିଲାଣି । ବହୁତ ପୁରୁଣା ହେଇଗଲାଣି, ନୁହେଁ-?

 

ଏ ଚିତା କେ’ ଲେଖିଥିଲା ଜାଣ ?

 

ସେଦିନ ସାବିତ୍ରୀ ବ୍ରତ । ମା’ ସାବିତ୍ରୀ ଉପବାସ କରିଥିଲେ । ପୂଜା ସରିଲା । ଆମ ଦିହିଙ୍କ ମୁଣ୍ଡରେ ଚନ୍ଦନ ଟୋପା ଦେଇ ଦିହିଙ୍କ ହାତରେ ଗୋଟିଏ ଗୋଟିଏ ଭୋଗନଡ଼ୁ ଧରେଇ, କ’ଣ ଭାବି କିଜାଣି ମା’ ଆଉ ଥରେ ଦଣ୍ଡବତ କଲେ । ସାବିତ୍ରୀ ମୋତେ ଚାହିଁଲା ମୁଁ ତାକୁ ଚାହିଁଲି-। ଠାକୁରଙ୍କୁ ପହିଲେ ସେ ଜୁହାରେ ହେଲା । ମୁଁ ବି ଜୁହାରେ ହେଲି । ମୁଁ ମୁଣ୍ଡିଆଟାଏ ମାରି ଉଠିପଡ଼ିଲି । ସାବିତ୍ରୀ ଉଠି ନଥିଲା, ମା’ ବି ଉଠିଲେ । ସେତେବେଳଯାଏଁ ସାବି ସେମିତି ଅଧିଆ ପଡ଼ିଛି । ସାବି ମୁଣ୍ଡରେ ହାତ ବୁଲେଇଦେଇ ମା’ ହସିଲେ । ସାବି ଉଠିପଡ଼ିଲା । ଲାଜ ଗରଗର ସାବି ମୁହଁଟି ସେତେବେଳେ କେଡ଼ିକି ବକଟେ ହେଇଗଲା । ତମରି ମୁହଁ ପରି । ଭାରି ସୁନ୍ଦର ଦିଶୁଥାଏ ।

 

ମା’ ତେଣିକି ଉଠିଗଲେ । ମୁଁ ସିନ୍ଦୁରରୁ ମେଞ୍ଚେ ନେଇ ତା’ କପାଳରେ ବୋଳିଦେଲି । ସେ ପଳେଇଗଲା ନାଜରେ । ସେଇଦିନ ଏ ଚିତାଟି ଲେଖୁଥିଲା ସେ ।

 

ହଁ, ସେଇ ସାବିତ୍ରୀ । ସେଦିନ ବି ଏ ଚିତାଟା ସେଇଠିଥାଏ । ଏତେ ଖରାପ ହେଇନଥିଲା । ଟିକିଏ ଫିକା ପଡ଼ି ଯାଇଥିଲା । ବୋଧହୁଏ ସେ ପାଖ କୋଣରୁ ଟିକିଏ ଝଡ଼ି ବି ପଡ଼ିଥିଲା । ସାବିତ୍ରୀଙ୍କ ଘର କାନ୍ଥରେ ସେଦିନ ଧାନଶିସା ମଣ୍ଡା ଫୁଲ ଫୁଟେଇ ସାବି ଚାଲିଗଲା ଆଉ କାହା ଘରେ ଲକ୍ଷ୍ମୀ ପାଦ ପକେଇବାକୁ ।

 

ତା’ପରେ ଅନେକ ଘଟଣା । ଗୋଟିକ ପରେ ଗୋଟିଏ ଘଟିଯାଇଛି । ମୁଁ ଟାଣିହେଇ ଚାଲିଥାଏ । ମୋ ଜୀବନରେ ସେମିତି ନୂଆ କିଛି ନାହିଁ । ଏଇ ଚିତା ଭଳି କିମିତିକା ଏକାରକମିଆ-। ମା’ ମରିଗଲେ । ସେଇଟା ଗୋଟାଏ ଘଟଣା ଯାହାକି ମୋର ମନେଅଛି । ବାକି ସବୁ ଭସା ମେଘ ପରି ଭାସିଯାଇଛି ।

 

ବେଶୀ ସମୟ ବାହାରେ କଟେ । ବେଳେବେଳେ ଘରକୁ ଆସେ । ସେ ଚିତାଟା ଉପରେ ନଜର ପଡ଼ିଯାଏ । ଚମକିଉଠେ କାହାଘରକୁ ଚାଲି ଆସିଛି ।

 

ସାବି ଘର ଅନେକ ଦୂରରେ । ସାବି ଘର ବାନ୍ଧିଥିଲା । ମୋର ଘର କାହିଁ ।

 

ଦିନେ ହଠାତ୍‌ ଶୁଣିଲି, ସାବି ତା’ ଘରୁ ପଳେଇଛି । ଠିକ୍‌ ପଳେଇ ନଥିଲା । ତେବେ ଗାଁ ଲୋକେ ସେଇୟା କହିଲେ । ପ୍ରକୃତରେ ସେ ତା’ ଗାଁ ଲେଖାରେ କେଉଁ ଭାଇ ସାଙ୍ଗରେ ଯାଇଥିଲା ତା’ ସ୍ୱାମୀକି ଖୋଜିବାକୁ । ଲୋକେ ସେଇ ଭାଇକି ଲଗେଇ ତାକୁ କେତେ କଥା କହିଲେ ।

 

ସାବିର ସ୍ୱାମୀ କଲିକତାରେ ଥିଲା । ଛ ମାସେ ବର୍ଷେ ଥରେ ଘରକୁ ଆସେ । ମାସେ ପକ୍ଷେ ରହିଯାଏ । ମୁଁ ଭାବୁଥିଲି ସାବିର ସେ ଦିନଗୁଡ଼ିକ କେଡ଼େ ସୁଖରେ କଟୁଥିବ । ଆଉ ଯେଉଁଦିନ ତା’ର ସ୍ୱାମୀ ତା’ଠୁଁ ବିଦାୟ ନେଇ ଯାଉଥିବ ସେଇଦିନଠୁଁ ପୁଣି ଫେରିବାଦିନକୁ କେଡ଼େ ଆଗ୍ରହ ଆନନ୍ଦରେ ଚାହିଁ ବସିଥିବ । ଆଉ ତା’ରି ପ୍ରତୀକ୍ଷାକୁ ଭାବି ଭାବି ଦୂର ବିଦେଶରେ ତା’ ସ୍ୱାମୀ କେଡ଼େ ଆନନ୍ଦ ନ ପାଉଥିବ ।

 

ମୋର ସେ କଳ୍ପନା ମିଛ ହେଇଗଲା । ସାବିର ସ୍ୱାମୀ ଆଉ ଫେରିଲା ନାହିଁ ।

 

ସେଦିନ ବି ଏ ଚିତାଟା ଥାଏ । ଆଉ ଟିକିଏ ସଫା ଦିଶୁଥିଲା । ଇୟାଠୁ ଅଳପ ଗୋବର ପାଣିର ଛିଟା ପଡ଼ିଥାଏ । ଆଗଠୁ ଆଉ ଗୋଟେ ଦି’ଟା ଯାଗାରୁ ଝଡ଼ି ଝଡ଼ି ଯାଉଚି ।

 

ସାବିର ଖଣ୍ଡେ ଟିପଣା ଆମ ଘରେ ଥିଲା । ମା’ ଆଣି ପକେଇଥିଲେ ମୋ କୋଷ୍ଠି ସାଙ୍ଗରେ । ମୋର ମନେଅଛି, ନାହାକ ସେଦିନ କହିଥିଲା–ଏ ଗୋଟିଏ ସତୀ କୋଷ୍ଠି । ମା’ କହିଲେ, ଝିଅଟିର ଗୁଣ ଜାଣି ନାଁ ଦେଇଚି ଦାସ ଘର ବୋହୂ ।

 

ସେ କୋଷ୍ଠିଟା ଥିଲା । ମୁଁ ସେଇଦିନ ତାକୁ ଟିକି ଟିକି କରି ଫିଙ୍ଗିଦେଲି ।

 

ୟା ଭିତରେ ଦିନାକେତେ ଚାଲିଗଲା । କାନ୍ଥର ଚିତାଟା ସେମିତି ଥାଏ । ସହରରେ ଗୋଟେ ଶ୍ରମିକ ଗଣ୍ଡଗୋଳ ହେଲା । ମୋତେ ଆସିଲା ନିମନ୍ତ୍ରଣ । ଜେଲରୁ ଫେରିଚି ଏଇ କେଇଟା ଦିନ ହେଲା । ପୁଣି ଗୋଳମାଳ ଭିତରେ ପଡ଼ି ଏତେ ଚଞ୍ଚଳ ଭିତରେ ପଶିବାକୁ ଖୁବ୍‌ବେଶି ମନ ବଳୁ ନଥିଲା । କିନ୍ତୁ ସେଟା ତ ଗୋଟେ ନିଶା । ନିଶା ଛାଡ଼ିଗଲାବେଳେ ଦଣ୍ଡକ ପାଇଁ ମନେହୁଏ ଆଉ ଖାଇବି ନାହିଁ । ପୁଣି ଯେତେବେଳେ ହାତରେ ବୋତଲ ପଡ଼େ, ଆଉ ଛାଡ଼େ କିଏ !

 

ମୋ ପହଞ୍ଚିବା ପରେ ପରେ ହାଉଆଟା ଟିକିଏ ତାହିଉଠିଲା । ମାଲିକମାନେ ଗୁଣ୍ଡା ଲଗାଇଦେଲେ । ଢେଲାଟା ମୋ ଉପରେ ନବସି ମୋ ପାଖ ଲୋକର ମୁଣ୍ଡଟା ଛତୁ କରିଦେଲା । ରକତ ଝର ଝର କି ବହି ଯାଉଥାଏ । ସଙ୍ଗେ ସଙ୍ଗେ ତାକୁ ହାସପାତାଳକୁ ନେଇଗଲେ । ଆଉ ଦଶ ପଚାଶ ବି ଆଘାତ ପାଇଲେ । ସଭା ଭାଙ୍ଗିଗଲା । ଲୋକେ ଛିନ୍‌ଛତ୍ର ହେଇ ପଳେଇଗଲେ ।

 

ମୁକୁଲି ବସ୍ତି ଆଡ଼କୁ ବାହାରିଲି । ଅବସ୍ଥା ଦେଖିବାପାଇଁ । ଲୋକ କାଳେ ସାହସ ହରେଇ ପକେଇବେ ।

 

ବସ୍ତି ଭିତରେ ବୁଲୁଚି । ନିହାତି ନୁଙ୍ଗୁରା ଗଳି । ଜଣେ ଲୋକ ଆସି କହିଲା–ବାବୁ ସେ ଘରେ କିଏ ତମକୁ ଡାକୁଛି । ମୁଁ ବୁଲିପଡ଼ି ସେ ଘରଆଡ଼କୁ ଚାହିଁଲି, ମାଇପିଟିଏ ଠିଆହେଇଚି । ମୁଁ କାବା ହେଇଗଲି ।

 

ଗଲି । ଘରଟା ଟିକିଏ ଭଲ । କୁଲିଙ୍କ ଘରଠୁ ଠିକିଏ ଫରାକତ । ସୁତୁରା ବି ।

 

ସାବି ଆସି ନଥ୍‌କିନା ମୋ ଗୋଡ଼ତଳେ ପଡ଼ିଗଲା । ଗୋଡ଼ରୁ ଧୂଳି ନେଇ ସେ ଯେତେବେଳେ ଉଠିଲା ମୁଁ ଚାହିଁ ପାରିଲି ନାହିଁ । ଖାଲି ଚିହ୍ନିଦେଉଚି ଯାହା । ମଥାରେ ମେଞ୍ଚେ ସିନ୍ଦୁର । ଶ୍ରୀ ବୋଇଲେ ସେତକ । ଆଉ କିଛି ନାହିଁ । ଶ୍ରୀହୀନ ଜୀବନର ସେଇତକ ସମ୍ୱଳକୁ ଦାଣ୍ଡରେ ପକେଇ ତା’ରି ତଳେ ଆପଣାର ଅବସାଦକୁ ଘୋଡ଼ାଇବାର ଚେଷ୍ଟା କରୁଥାଏ ।

 

ଦିନ ଦୁଇଟା ହେବ । ସକାଳୁ କିଛି ଖାଇ ନାହିଁ । ଓଠ ଶୁଖିଯାଇଛି । ନିଜେ କଳାକାଠ ପଡ଼ି ଯାଇଛି । କିନ୍ତୁ ସାବି କାଳୀ ନୁହେଁ । ଆଖି ଧୂସର । ସେ ମଦିରା ନାହିଁ । ଖାଲି ପୂଜାର ଅର୍ଚ୍ଚନା-

 

‘‘ମୋତେ ଚିହ୍ନିପାରୁଚ !’’ ସେ ପଚାରିଲା ।

 

ସେଦିନ ଘରୁ ବାହାରିଲାବେଳକୁ ଏଇ ମଳିଛିଆ ଚିତାଟାକୁ ଚାହିଁ ଯାଇଥିଲି । ସେଦିନ ଏ ଚିତାକୁ ଚିତା ବୋଲି ଚିହ୍ନିଥିଲି । କାନ୍ଥରେ କିଏ ଚୂନ ନେସିଦେଇଚି ବୋଲି ଭୁଲ କରିନଥିଲି ।

 

ସେ ମୋତେ ବସିବାକୁ କହିଲା । ତା’ର ‘ସିଏ’ ଆସିବାଯାଏ । ମୋତେ ଖାଇବାକୁ ବି କହିଲା ଭାରି ସନ୍ତର୍ପଣରେ । ସେବା ପୂଜା ସାରି ଚାହିଁ ବସିଥାଏ ତା’ର ‘ସେ’ ଆସିଲେ ‘ତାଙ୍କୁ’ ଖାଇବାକୁ ଦେଇ ତା’ ପରେ ନିଜେ ବସିବ ।

 

ମୁଁ ଟିକିଏ ବସିଲି । ତା’କଥା ଏଡ଼ିପାରିଲି ନାହିଁ । ମନ ଚଞ୍ଚଳ ହେଉଥାଏ । ଯିବାପାଇଁ ଯେତେ ନୁହେଁ ସେଠି ନ ରହିବା ପାଇଁ ବେଶୀ । ସେ ମୋତେ ଅନେକ କଥା ପଚାରିଗଲା ଏକା ରାହାରେ । ମୁଁ ତାକୁ କିଛି ପଚାରି ପାରିଲି ନାହିଁ ।

 

ମୁଁ ଲକ୍ଷ୍ୟ କଲି, ତା’ ମୁହଁରେ ସେ ଆଗ ସଙ୍କୋଚ ନାହିଁ । ମନେହେଲା ଯେମିତି ବଡ଼ ନିର୍ଭୀକ ହେଇଯାଇଛି । କିନ୍ତୁ ନିର୍ଲଜ୍ଜ ନୁହେଁ ।

 

କେତେବେଳେକେ ଗୋଟେ ମଣିଷ ଆସିଲା । ମୋଟା ପେଟା ଲୋକଟାଏ । ମଥାରେ ପଗଡ଼ି । ହାତରେ ଲାଠି । ସାବି ତାକୁ ଚିହ୍ନେଇଦେଲା ମୁଁ କିଏ ।

 

‘ଭାଇ ।’

 

ସେ ଲୋକଟା ମୋତେ ଦଣ୍ଡବତ କଲା । ଯେମିତି ଭାରି ବାଧ୍ୟ ପିଲାଟିଏ ।

 

କିନ୍ତୁ ସେ ତ ସାବିର ସ୍ୱାମୀ ନୁହେଁ । କିମ୍ୱା ଯଉଁଭାଇ ସାଙ୍ଗରେ ଗାଁରୁ ପଳେଇ ଆସିଥିଲା ସେ ବି ନୁହେଁ ।

 

ସାବି ଦଉଡ଼ିଯାଇ ଛୋଟ ଗିନାଟିରେ ପାଣି ଟିକିଏ ଆଣି ତା’ ଗୋଡ଼ ପାଖରେ ଦେଖେଇଲା । ସେ ଗୋଡ଼ ଧୋଇ ଆସି ବୁଢ଼ା ଆଙ୍ଗୁଳିକି ବୁଡ଼େଇଦେଲା ସେଥିରେ । ସାବି ତାକୁ ମୁଣ୍ଡରେ ମାରି ପିଇଦେଲା ।

 

ମୁଁ ସାବିକି ଚାହୁଁନଥିଲି । ସେ ଲୋକଟାକୁ ଚାହିଁଥିଲି । ମୋ ତା’ ଭିତରେ କେତେ ତଫାତ୍‌ । କିନ୍ତୁ ତଫାତ୍‌ଟା କେଉଠି ବୁଝି ହେଉନଥାଏ ।

 

ସେଠୁ ଫେରିଆସି ଶୁଣିଲି, ସେ ଲୋକଟା କୁଲି ସର୍ଦ୍ଦାର । ମାଲିକର ଡାହାଣ ହାତ । ମୋତେ ମାରିବାପାଇଁ ଲୋକ ଖଞ୍ଜେଇଥିଲା ସେଇ ।

 

ତଥାପି ମୋର ତା’ ଉପରେ ରାଗ ହେଲାନାହିଁ । ସେ ସାବିର ସ୍ୱାମୀ ।

 

ତଥାପି ମୋର ମନେହେଲା–ସାବି ବାସ୍ତବିକ ସତୀ ସାବିତ୍ରୀ ।

 

ଏ ଚିତାଟା ?

 

ତମର ଯଦି ଇଚ୍ଛାହୁଏ, ପୋଛିଦିଅ !

☆☆☆

 

ସତ୍ୟ

 

ଆମେ ଦୁଇଜଣ ଯାକ ଇନ୍ଦିରାକୁ ଭଲପାଉଥିଲୁ । ଦୁଇଜଣ ଯାକ ଚାହୁଁଥିଲୁ ତାକୁ ପାଇବାକୁ, ତାକୁ ଆପଣାର କରିବାକୁ । ବିନୋଦ ଆଉ ମୁଁ ।

 

ଦୁହେଁଯାକ ଏକାଦିନେ ତାକୁ ଦେଖିଥିଲୁ । ସମୁଦ୍ରକୂଳରେ ବୋଧହୁଏ ସେଇଦିନ ସେଇଠି ଦୁହେଁଯାକ ଏକା ସାଙ୍ଗରେ ପ୍ରଥମ ଦର୍ଶନରେ । ଇନ୍ଦିରାରେ ସେମିତି ଝିଅ ।

 

ବିନୋଦ ଯାଏ ସମୁଦ୍ର କୂଳଆଡ଼କୁ ବୁଲି । ଆଗରୁ ବି ଯାଉଥିଲା । କିନ୍ତୁ ସେଇଦିନ ପାଖରୁ ନିୟମିତ ।

 

ମୁଁ ଯାଏ ଦେଉଳକୁ । ଆଗରୁ ବି ଯାଉଥିଲି । କିନ୍ତୁ ସେଦିନ ପାଖରୁ କୌଣସି ଦିନ ବାଦ୍ ପଡ଼େ ନାହିଁ । ନିହାତି ଜରୁରି କାମ ନଥିଲେ ।

 

ବିନୋଦ ପ୍ରତିଦିନ ଯାଏ । ଦିନ୍‌ ସନ୍ଧ୍ୟାବେଳକୁ । ସେଇ ସମୁଦ୍ର କୂଳକୁ–ସେଇଠିକି । କିନ୍ତୁ ଦେଖାହୁଏ କ୍ୱଚିତ୍‌ । ବିନୋଦ କିନ୍ତୁ ଚାହିଁ ବସିଥାଏ ତା’ରି ପଥକୁ । ସମୁଦ୍ରର ଢେଉ ଗଣୁଥାଏ କି କ’ଣ । ହସେ କି କାନ୍ଦେ ସେଇ ଜାଣେ । ଯେଉଁଦିନ ସେ ଚଞ୍ଚଳ ଫେରିଆସେ ମୁଁ ବୁଝିପାରେ ଯେ ସେଦିନ ସେ ଇନ୍ଦିରାକୁ ଦେଖିଛି । ସେତେବେଳକୁ ଚିହ୍ନା ହେଇନଥାଏ ।

 

ଦେଉଳରେ ସନ୍ଧ୍ୟା ଆରତି ହୁଏ । ମୁଁ ଠାକୁରଙ୍କୁ ଚାହିଁ ରହେ, ପ୍ରଣାମ କରେ । ମନେହୁଏ ମୋ ସାଙ୍ଗେ ମୋ ବାଁ ପାଖରେ ଆଉ ବି କିଏ ଜଣେ ଯେମିତି ପ୍ରଣାମ କରୁଛି ଆସି । ଦୁହିଁଙ୍କ ଉପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲାପରି ଲାଗେ । ଚନ୍ଦନକୁ ଗୋଳି ବୋଳି ଦେଲାପରି ରୋମ ମୂଳ ଫୁଲିପଡ଼େ । ଯେଉଁଦିନ ମୁଁ ଡେରିରେ ଘରକୁ ଫେରେ, ସେଦିନ ମୋର କାହିଁକି କିଜାଣି ପ୍ରଥମରୁ ଯେମିତି ମନେହୁଏ ଆଜି ମୁଁ ଏକା ଏକା । ସେ ଆସି ନାହିଁ । କେହି ଆସିନାହାନ୍ତି-। ମୋ ସାଙ୍ଗରେ କେହି ଠାକୁରଙ୍କୁ ଦଣ୍ଡବତ କରିନାହାନ୍ତି । ମୁଁ ବେଢ଼ା ଭିତରେ ବୁଲେ-। ଡେରି ହେଇଯାଏ ।

 

ମୋର ଆଗେ ଚିହ୍ନାହେଲା । ସେଦିନ ଭିଡ଼ ଭିତରେ ମୁଁ ବାଟ କରି ଦେଇଥିଲି । ଇନ୍ଦିରାର ମା’ ଓ ବାପା ଦିହେଁଯାକ ଥିଲେ । ମୋତେ ସେମାନେ କହିଥିଲେ ବେଳହେଲେ ତାଙ୍କ ସେଠିକି କେବେ କେମିତି ବୁଲି ଆସିବାକୁ । ଇନ୍ଦିରା ମୋତେ କିଛି କହିନଥିଲା । ମୁଁ ବି କିଛି କହିପାରିନଥିଲି । ସେ ମୋତେ ଚାହିଁଥିଲା । ମୁଁ ବି ତାକୁ ଚାହିଁଥିଲି । ଏକା ସାଙ୍ଗରେ । ସେମିତି ଥରୁଟେ । କିନ୍ତୁ ଆମ ଦୁହିଙ୍କର ଚିହ୍ନା ଦେଇଥିଲା ପରି ମୋତେ ଲାଗିଲା । ଅନେକ ଦିନର ଚିହ୍ନା ।

 

ବିନୋଦ ଦିନେ ଯାଇଥିଲା ମୋ ସାଙ୍ଗରେ । ଏମିତି ବୁଲୁ ବୁଲୁ । ମୋର ବନ୍ଧୁ ଭାବରେ-। ସେଠି ଯାଇ ବିନୋଦ ଏକ ନୂଆ ବିନୋଦ ହେଇଗଲା । ମୁଁ ତାକୁ ସେମିତି ପୁରୁଣାରେ କେବେ ଦେଖିନଥିଲି । ଆଗରୁ । ତା’ର ଯୋଗ୍ୟତା ଦଶଗୁଣ ବଢ଼ିଯାଇଥିଲା ପରି ଲାଗିଲା-। ସେ ବୋରାବୋରି ଜମେଇ ରଖିଥିଲା ଆସରକୁ । ନିଜର ଉପସ୍ଥିତିର ପ୍ରାଧାନ୍ୟ ସେ ସବୁବେଳେ ଜାହିର କରି ରଖିଥାଏ ଅନ୍ୟ ଉପରେ । ତା’ କଥାର ପ୍ରତିବାଦ କରିବାପାଇଁ ସେ କାହାକୁ ସୁଯୋଗ ଦିଏ ନାହିଁ । ସେଦିନ ତା’ କଥାର ପ୍ରତ୍ୟେକ ପଦ ଯେମିତି ଅନ୍ୟଙ୍କୁ ବାଧ୍ୟ କରୁଥିଲା ମାନି ନେବାପାଇଁ-

 

ମୁଁ ଯାଏ । ବିନୋଦ ଯାଏ । ଇନ୍ଦିରା ଘରେ ଆମ ଦୁହିଙ୍କର ଭେଟ ହୁଏ କମ୍‌ । କିନ୍ତୁ ସେ ଜାଣେ ମୁଁ ଯେବେ ଯାଏ । ସେ ଗଲେ ମୁଁ ସବୁବେଳେ ଜାଣିପାରେ ନାହିଁ । ଜାଣିବାର ଇଚ୍ଛା ମଧ୍ୟ ରଖେ ନାହିଁ ।

 

ମୁଁ ଯାଇଁ ଇନ୍ଦିରାର ମା’, ଇନ୍ଦିରା ଭାଇ ଏମାନଙ୍କ ସାଙ୍ଗରେ କଥାହୁଏ । ଇନ୍ଦିରାର ଛୋଟ ଛୋଟ ଭଉଣୀ ଦୁଇଟି ଆସି ମୋ ଉପରେ ଲଦି ହୁଅନ୍ତି । ମନେହୁଏ, ଇନ୍ଦିରା ଶହେଜଣ ହେଇ ମୋ ଚାରିଆଡ଼େ ମୋତେ ଘେରିଯାଇଛି । ମୋତେ କଥା ନ କହିଲେ କ’ଣ ହେଲା । ମୋଠାରୁ ଦୂରରେ ରହିଲା ତ କ’ଣ ହେଲା । ସେ କାନ୍ଥ ବାଡ଼ ଟେବୁଲ ଚଉକି ଚାରିଆଡ଼େ ଇନ୍ଦିରାର ସାନ୍ନିଧ୍ୟ ମୁଁ ଉପଲବ୍‌ଧି କରେ ।

 

ଇନ୍ଦିରା ନଥାଏ । କାମ କରୁଥାଏ । ସବୁବେଳେ କାମ, କାମ । ମୁଁ ଚାହେଁ ଦେଖେ । ମନେହୁଏ ସେ କାମରୁ ଯେମିତି ଗୋଟେ ଅନୁରାଗ ଅଛି । ସେ କାମଟା ବି ମୋରି ପାଇଁ–ମୋ’ରି ଉଦ୍ଦେଶ୍ୟରେ ।

 

ବେଳେବେଳେ କେତେବେଳେ କିମିତି ଆସେ । ପାଖରେ ଚଉକିଟି ଉପରେ ବସେ । ମୁଁ କହେ ବସିବାକୁ । ସେ ବସେ । ସେଇ ଢେର । ତାଠୁ ମୋର ଯେମିତି ବେଶୀ କିଛି କହିବାର ନଥାଏ । ଆଉ କିଛି କହିପାରେ ନାହିଁ । ସେ ଚାଲିଗଲେ ମନେହୁଏ ଆହୁରି କ’ଣ ରହିଗଲା ପରା ! ଭାବେ, ମୁଁ ବୋଧହୁଏ କହିଛି । କିନ୍ତୁ ସେ ବୁଝିପାରିଲା ନାହିଁ । ଆମ ଦୁହିଁଙ୍କର ମନ ଏକ, କିନ୍ତୁ ଭାଷା ଯେମିତି ଦୁଇଟା । କେହି କାହା ମନ କଥା ବୁଝାଇ କହିପାରେ ନାହିଁ ।

 

ସେ ପାଖରେ, ବସିଥିଲେ ମୋତେ ମାଡ଼ିପଡ଼େ । ହାଲୁକା ମନଟା ଟଳଟଳ ହେଉଥାଏ–ଥିର ହେଇଯାଏ ସେ ଭାଗରେ । ମଝିରେ ମଝିରେ ମୁଁ ତାକୁ ମଥାଟେକି ଚାହେଁ । ସେ ତଳକୁ ମୁହଁପୋତି ବସିଥାଏ । ବେଳେବେଳେ ଚାରିଆଖିର ଭେଟ ହେଇଯାଏ । ମୋର ସବୁ ସାର୍ଥକ ହେଇଗଲା ପରି ଲାଗେ । ଅନେକ ଅବୁଝା କଥା ବୁଝି ହେଇଯାଏ ।

 

ବିନୋଦ ଯେତେବଳେ ଯାଏ, ଗୋଟା ଘରଟା ତା’ର ଉପସ୍ଥାନ ପକାଏ । ସମସ୍ତେ ସରବ ହେଇଉଠନ୍ତି । ଇନ୍ଦିରାର ଭାଇ ଭଉଣୀ ସମସ୍ତେ । ବିନୋଦର ପ୍ରତି ଅଙ୍ଗରେ ତରଙ୍ଗ ଖେଳିଯାଏ । ସେ ଉତଳା ହେଇଉଠେ । ତା’ ଦେହର ଢେଉ ଯେମିତି ଯାଇ ବାଜେ ଇନ୍ଦିରା ଦେହରେ । ଇନ୍ଦିରା ଚଞ୍ଚଳ ହେଇଉଠେ । ସଜାଗ ହେଇଉଠେ । ଆପଣାକୁ ଆପଣାର ଆୟତ୍ତ ଭିତରେ ରଖିପାରେ ନାହିଁ । ପେଜ ହାତରେ ଢାଳି ହେଇଯାଏ । ଫୁଟିଲା ଫୋଟଣ ଫୁଟିକରି ମୁହଁ ଉପରେ ପଡ଼େ । ପାନ ଥାଳିଆ ଖସିପଡ଼େ ହାତରୁ । ଡୋଳା ଯୋଡାକ ଖାଲି କଣକୁ ଖସି ବୁଲୁଥାଏ । ଓଠ ଫାଙ୍କରେ ହସର ରେଖା କିଏ ବଙ୍କାକରି ଗାର ଟାଣିଦେଇଛି ଯିମିତି ।

 

ଦୁହେଁ ବସି କଥା ହୁଅନ୍ତି । ଖୁବ୍‌ଧୀରେ । ନାଁ ସେ କଥାର ନିୟମ ନାହିଁ । ଶୃଙ୍ଖଳା ନାହିଁ । ଖାଲି ବସି ବସି ନୁହେଁ । ବାଟରେ ଘାଟରେ, ଘରେ ଦୁଆରେ ବାହାରେ, ଯାଉ ଯାଉ, ଉଠୁ ଉଠୁ ସେ ହଠାତ୍ ଆରମ୍ଭ ହୁଏ ପୁଣି ହଠାତ୍‌ ଶେଷ ହୁଏ । ମୁଖବନ୍ଧ ନଥାଏ କିମ୍ୱା ମନ୍ତବ୍ୟ ନଥାଏ । ଯେଉଁଠିପାରେ ସେଇଠି ଆରମ୍ଭ ହୁଏ, ଯେଉଁଠିପାରେ ସେଇଠି ଶେଷ ହେଇଯାଏ । ନୂଆକରି ଆରମ୍ଭ କରିବାକୁ ପଡ଼େ ନାହିଁ । ଯେତେବେଳେ ଆରମ୍ଭ ହୁଏ, ସେ ଯେମିତି ଆରମ୍ଭ ନୁହେଁ–ଆଗ କଥାର ଜେର । ଅଥଚ ଯେତେବେଳେ ସରେ ସେତେବେଳେ ସରିଯାଏ ଏକାବେଳକେ ପୂର୍ଣ୍ଣଛେଦ ପକେଇ, ସେକଥା ଆଉ ଯେମିତି ପୁଣି ଥରେ ଉଠିବ ନାହିଁ । ମା’ ଡାକ ଦିଅନ୍ତି । କଥାର ଖିଅ ଛିଡ଼ିଯାଏ ।

 

ବିନୋଦ ଯାଇ ଇନ୍ଦିରାର ମା’ଙ୍କ ପାଖରେ ବସେ । ଇନ୍ଦିରା ବି ବସିଥାଏ । ଦୁହେଁ ଯେମିତି ତାଙ୍କ ପାଖରେ ଦୁଇଟି ଛୁଆ । ସେ ଇନ୍ଦିରାକୁ ମାରେ । ଇନ୍ଦିରାକୁ ପେଲିଦିଏ । ପୁଣି କୁଣ୍ଢେଇ ପକେଇ ସାକୁଲେଇ ବହଲେଇ ପକାଏ । ତାଙ୍କରି ଆଗରେ ।

 

ମୁଁ ଯାଏ । ଛାଡ଼ି ଆସେ ପତ୍ରିକା କି ବହିଖଣ୍ଡେ । ଭଲ ଭଲ ଯାଗାରେ ମୋର ଚିହ୍ନ ଥାଏ–ଟିପଣୀ ଥାଏ । ଭାବେ ଇନ୍ଦିରା ପଢ଼ିବ । କେବେ କେବେ ବହି ମାଗିବାକୁ ଭୁଲି ବି ଯାଏ ।

 

ବିନୋଦ ଯାଏ । ଇନ୍ଦିରାକୁ ସାଙ୍ଗରେ ଘେନି ଆସିବା ପାଇଁ । ସିନେମା ଦେଖିବାକୁ, ସମୁଦ୍ରକୂଳ ବୁଲି ଯିବାକୁ ।

 

ସେତେବେଳେ ହୁଏତ ଠାକୁରେ ମୋ ପ୍ରଣତି ଘେନୁଥାନ୍ତି ।

 

ମୁଁ ଯାଏଁ ଖାଲି ହାତରେ । ଫେରିଆସେ ଭାରି ହୃଦୟ ନେଇ । ବିନୋଦ ଯାଏ ଉପହାର ନେଇ, ଫେରିଆସେ ଫୁଲ ପରି ହାଲୁକା ପ୍ରାଣରେ ।

 

ମୁଁ ଫେରିଆସି କବିତା ଲେଖେ । ସେ କବିତା କେହି ପଢ଼ନ୍ତି ନାହିଁ । ଧୀରେ କି ଛିଡ଼ାଇ ଦିଏ । ବିନୋଦ ଫେରିଆସେ ଘରେ ବସି ଚିଠି ଲେଖିବାପାଇଁ । ତା’ର ଉପସ୍ଥିତିର କଇଫିୟତ୍‌ ଦେବାପାଇଁ । ଇନ୍ଦିରା ପାଖରେ ନରହିଥିବା ସମୟର ଗୋଟାଏ ବିବରଣୀ ଲେଖି ବସେ । ଫଳରେ କେହି କାହାରିଠାରୁ ଦଣ୍ଡକପାଇଁ ବିଛିନ୍ନ ହୁଏ ନାହିଁ । ମୁଁ ସବୁ ଛିନ୍ନ କରି ଫିଙ୍ଗିଦିଏ ଆପେ ଆପେ ।

 

ବିନୋଦ କହେ ମୋ ଆଗରେ–‘ଇନ୍ଦିରା ମୋତେ ଭଲପାଏ ।’ ଭାରି ସରଳ ପିଲା ସେ-

 

ମୁଁ ଭାବେ ମୋ’ରି ମନଭିତରେ–ନା’, ଇନ୍ଦିରା ମୋତେ ଭଲପାଏ ।’ କାହାରିକି କହିପାରେ ନାହିଁ ।

 

ଇନ୍ଦିରା ବିନୋଦକୁ ଥଟା କରେ । ବିନୋଦ ମଧ୍ୟ ରହସ୍ୟ କରେ । ଇନ୍ଦିରା ପଚାରେ–‘‘ତମ କନିଆ କିମିତି ହବ କହିଲ ବିନୋଦ ଭାଇ !’’ ବିନୋଦ କହେ–‘ତୋ’ରି ପରି ।’ ଇନ୍ଦିରା ହସେ । ବିନୋଦ ତାକୁ ପାଖକୁ ଭିଡ଼ିଆଣି ତା’ର କୁଞ୍ଚିତ କେଶର କୋମଳ ସ୍ପର୍ଶ ଆପଣା ଗଣ୍ଡର କୂପ ମୂଳରେ ଅନୁଭବ କରେ । ଇନ୍ଦିରା ଆପଣାକୁ ଛଡ଼େଇନେଇ ପଳାଏ । ବିନୋଦ ଧରିନିଏ ହାତକୁ । ‘ହାତଗଣ୍ଠି’ ପଡ଼ିଗଲା କି ?’ କହି ଇନ୍ଦିରା ହସିପକାଏ । ବିନୋଦ ଛାଡ଼ିଦିଏ ।

 

ବିନୋଦ ଭାବେ, ଇନ୍ଦିରା ବାସ୍ତବିକ ତାକୁ ଭଲପାଏ । ଇନ୍ଦିରା ତାକୁ ଆପଣାର କରିବାକୁ ଚାହେଁ ।

 

ମୁଁ ଭାବେ, ଭାବେନାହିଁ ବରଂ ମନକୁ ବୁଝାଏ । ଇନ୍ଦିରା ବିନୋଦକୁ ଭଲପାଏ ନାହିଁ–କେଭେ ନୁହେଁ । ବରଂ ପରିହାସ କରେ । ଭଲପାଇବାଟା ଥଟା ତାମସାରେ ପ୍ରକାଶ ପାଏ ନାହିଁ । ଭଲପାଇବାଟା ଭସା ମେଘଭଳି ହାଲୁକା ନୁହେଁ । ଭଲପାଇବାଟା ଗୁରୁ ଗମ୍ଭୀର ।

 

ମୁଁ ଗଲେ ଇନ୍ଦିରା ଗମ୍ଭୀର ହେଇଯାଏ । ଭାବେ, ଏଇଟା ପ୍ରକୃତ ପ୍ରେମର ଲକ୍ଷଣ । ପ୍ରଣୟର ଗଭୀରତା, ଗୋପନୀୟତା । ବିନୋଦକୁ ସେ ଯଦି ଭଲପାଉଥାଏ ତେବେ ସେଥିରେ ବିଶ୍ୱସ୍ତତା ନଥିବ । ଯୌବନର ସାମାନ୍ୟ ଉଦ୍ଦୀପନା ହେଇପାରେ ।

 

ଦିନକର କଥା । ବିନୋଦ ମୁଁ ଦୁଇଜଣଯାକ ପହଞ୍ଚିଲୁ । ଇନ୍ଦିରା ବସିଥିଲା । ଆମକୁ ଦେଖି ଠିଆ ହେଇପଡ଼ିଲା । ବିନୋଦ ଆଗକୁ ବଢ଼ିଯାଇ ଇନ୍ଦିରାର ହାତ ଧରି ‘ଶେକ୍‌ହେଣ୍ଡ’ କଲା । ମୁଁ ନମସ୍କାର କରିବାକୁ ଅପେକ୍ଷା କରୁଥିଲି । ଡେରି ନସହି ନିଜେ ନମସ୍କାର କଲି ଆଗେ । ହାତରେ ଥାଏ ସିଲେଇ ସରଞ୍ଜାମ । ରୁମାଲରେ ପଡ଼ୁଥିଲା ବିନୋଦର ନାମ । ମେସିନର ହାତ ପରି ହାତ ଦୁଇଟା ତା’ର ଅଳ୍ପ ଉପରକୁ ଉଠି ପ୍ରତିଭଦ୍ରତା ଜଣାଇଲା ।

 

ଅନେକ କଥାଭାଷା ହେଲା । ମୁଁ କହିପାରିବି ନାହିଁ କି କଥା । ୟା ଭିତରେ ବିନୋଦ ଉଠି ଚାଲିଗଲାଣି । କଥାର ସୁଅ ବନ୍ଧ ହେଇଯାଇଚି । ଇନ୍ଦିରାର ସାନ ଭଉଣୀ ତଳେ ବସି କୁଣ୍ଢେଇକି ଲୁଗା ପିନ୍ଧେଇ ଦେଉଥାଏ । ମୁଁ ନିରର୍ଥକ ତାକୁଇ ଚାହିଁଛି ।

 

‘ଥା ସୁର୍‌ମା, ମୁଁ ଆସୁଛି ଏଇନେ ।’

 

ମୁଁ ଚାହିଁ ଦେଖିଛି ଇନ୍ଦିରା ଉଠୁଛି । ବସିବାକୁ କହିପାରିଲି ନାହିଁ । କେଉଁଠିକି ଯାଉଛ, ପଚାରି ପାରିଲି ନାହିଁ, ସେ ଚାଲିଗଲା ।

 

ମୁଣ୍ଡ ଭିତରେ ଯେଉଁ ଜାଗାର କ୍ଲାନ୍ତି ଆଉ ଦୁର୍ବଳତା ମଣିଷକୁ ଅଚେତ ନିଦରେ ଶୋଇପକାଏ ସେଇ ଜାଗାଟା ଖୁବ୍‌ ଚଞ୍ଚଳ ଆଉ କ୍ରିୟାଶୀଳ ହେଇଗଲା ପରି ଲାଗୁଥିଲା । ବାକି ଦେହଟାସାରା ହାଲିଆ ହେଇପଡ଼ିଛି ।

 

ସେଦିନ ରାତିରେ ମୁଁ ଶୋଇନାହିଁ । ନିଦ ହେଲାନାହିଁ । ଠିକ୍‌ ଇନ୍ଦିରା କଥା ଭାବୁ ନଥିଲି-। ବେଳେବେଳେ ଇନ୍ଦିରା ଆସି ଠିଆ ହେଇଯାଏ । ମୁଁ ତାକୁ ନଚାହିଁଲା ପରି ମନଟାକୁ ଫେରେଇନିଏ । କ’ଣ ଯେ ଗୁଡ଼ାଏ ଭାବୁଥିଲି ଠିକ୍ ନାହିଁ । ଖିଅ ନଥିଲା ଅଡ଼ୁଆ ସୂତା ପରି-

 

ଦିନେ ନୁହେଁ, ଅଧେ ନୁହେଁ, ତିନିଦିନ ଧରି ନିଦ କୁଆଡ଼େ ଉଭେଇଗଲା । ମନେହେଲା, ମୁଁ ପାଗଳ ହେଇଯିବି । କିନ୍ତୁ ଏ ଅବସାଦର କାରଣ କ’ଣ ? ଇନ୍ଦିରା ! ମୋତେ ହସ ମାଡ଼େ । ଯାଃ-!

 

ପଳେଇଗଲି ସେଠୁ । ବିନୋଦ ଚିଠି ଦେଇଥିଲା । ମୁଁ ଲେଖିଥିଲି ଭଲ ଅଛି । କେତେଦିନ ପରେ ତା’ରି ଚିଠିରୁ ଖବର ପାଇଲି, ତା’ର ବାହାଘର ।

 

ଦୁହିଁଙ୍କ ପାଖକୁ ବିବାହ ଉପହାର ଦେଇ ପଠାଇଲି, ଅଲଗା ଅଲଗା । ଜବାବ୍‌ ଆସିଥିଲା ଏକା ସାଙ୍ଗରେ ‘ଧନ୍ୟବାଦ୍‌’ !

 

ସେ ‘ଧନ୍ୟବାଦ’ଟା ଏବେବି ସାଇତି ରଖିଛି । ମୁଁ ତା’ର ନୂଆ ଅର୍ଥ କରେ–ଭଲପାଇବାଟା ସ୍ୱପ୍ନ ନୁହେଁ ସତ୍ୟ ।

☆☆☆

 

ଛାୟାରେ ମାୟା

 

ଶ୍ରୀମତୀ ସାଧନା ମୋତେ ହଠାତ୍‌ ଖଣ୍ଡେ ତାର ପଠେଇଲେ–ଶୀଘ୍ର ଆସ, ମୋର ବଡ଼ ବିପଦ । ମୁଁ ଅସୁସ୍ଥ ଥିଲି । ସେ ଜାଣନ୍ତି । ତଥାପି ତାର କରିଛନ୍ତି । ବାଧ୍ୟ ହେଇଗଲି ।

 

କିନ୍ତୁ ପହୁଞ୍ଚି ଦେଖିଲି ଦେହ ଓ ମନରେ ସେ ସମ୍ପୂର୍ଣ୍ଣ ସୁସ୍ଥ । ସେ କହିଲେ–ମୋର ଦେହ ଭଲ ନଥିବାରୁ ସେ ମୋତେ ତାଙ୍କ ପାଖରେ ରଖି ଉପଯୁକ୍ତ ଚିକିତ୍ସା ଯତ୍ନ କରିବାକୁ ଚାହାନ୍ତି । ମୁଁ ଭଲ ନହେବାଯାଏ ସେ ମୋତେ ଛାଡ଼ିବେ ନାହିଁ । ସତ କଥା କହି ଅନୁରୋଧ କରିଥିଲେ ମୁଁ ଆସିନଥାନ୍ତି । ତେଣୁ ମିଥ୍ୟାର ଆଶ୍ରୟ ନେବାକୁ ପଡ଼ିଛି ।

 

ସାଧନାଙ୍କ ସହିତ ମୋର ଖୁବ୍‌ବେଶୀ ନିକଟରେ ରହିବାର ସୁଯୋଗ ଘଟିଥିଲା । ଦୁଇ କିମ୍ୱା ତିନିଥର ଦେଖା ୟା ପୂର୍ବରୁ । କିନ୍ତୁ ଅଳ୍ପ ସମୟ ଭିତରେ ସେ ମୋତେ କିମିତି ଆପଣାର କରି ନେଇ ପାରିଥିଲେ । ଭାବିଥିଲି ହୁଏତ ସେଇଟା ତାଙ୍କର ଗୁଣ ।

 

ସେ ମୋତେ ଭଲପାଆନ୍ତି ଏକଥା ମୁଁ ଦମ୍ଭକରି କହିପାରିବି ନାହିଁ । କେବଳ ଥରେ ସେ ମୋତେ କଥାରେ କଥାରେ କହିଥିଲେ, ‘ନିର୍ମଳବାବୁ, (ଏନ୍‌) ଅକ୍ଷରଟା ମୋତେ ଭାରି ଭଲ ଲାଗେ-।’ ଏଇଟାକୁ ପ୍ରେମର ସୂଚନା ବୋଲି ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନଥିଲି ।

 

ସେତେବେଳେ ସେ ପଢ଼ୁଥିଲେ । ବର୍ତ୍ତମାନ ସରକାରୀ କର୍ମଚାରୀ । ଏବେବି କୁମାରୀ ଅଛନ୍ତି । ମୁଁ ମଧ୍ୟ ଅବିବାହିତ ଯୁବକ ଆମ୍ଭମାନଙ୍କ ଭିତରେ ଏତେଦୂର ସୌହାର୍ଦ୍ୟଟା ବାହାରକୁ ଅସୁନ୍ଦର ଦିଶିପାରେ ବୋଲି ମୋର ଭୟଟାକୁ ସେ ହସନ୍ତି । ସେ ହସରେ ନିର୍ଭୀକତା ଥାଏ । ସେଥିପାଇଁ ମୋର ତାଙ୍କ ଉପରେ ଭରସା ଥାଏ । ବୟସରେ ଛୋଟ ହେଲେ ବି ମୁଁ ତାଙ୍କୁ ମାନେ ।

 

ଦିନ କେଇଟା ଭିତରେ ସତକୁ ସତ ମୁଁ ସ୍ୱାସ୍ଥ୍ୟର ପରିବର୍ତ୍ତନ ବେଶ ବୁଝିପାଇଲି । ସେ ଅଫିସରୁ ଫେରିଲେ ସନ୍ଧ୍ୟାବେଳେ ସାଙ୍ଗରେ ବୁଲିଯାଉଁ–ଅନେକ କଥା ପଡ଼େ । ରାତିରେ ସେ କାମ କରନ୍ତି । ଖାଇବାବେଳେ ଆଉ ଖାଇ ସାରିବା ପରେ ଶୋଇବା ପୂର୍ବରୁ ପୁଣି ଆଲୋଚନା ଚାଲେ । ମନେହୁଏ, ଯେମିତି ନିତି ନୂଆ ନୂଆ କଥା । ସକାଳେ ନିତ୍ୟକର୍ମ ପରେ ଏକାଠି ବସି ଖବରକାଗଜ ପଢ଼ାଯାଏ । ରାଜନୈତିକ ଯୁକ୍ତି । ବଡ଼ ଶୁଖିଲା ଲାଗେ ମୋତେ ।

 

ଏତେ କଥାବାର୍ତ୍ତା ଭିତରେ ଦିନେହେଲେ ମୁଁ ସାମାନ୍ୟ ସନ୍ଧାନ ପାଇନଥିଲି ଯେ ତାଙ୍କ ମନଭିତରେ କେଉଁଠି ଠାଏ ଆଘାତ ଅଛି । ସେ ଯେ କାହିଁକି ଆଜିଯାଏ ଅବିବାହିତା ଅଛନ୍ତି ମୁଁ ସେକଥା ପଚାରି ପାରେ ନାହିଁ ।

 

ଦିନେ ସେ ମୋତେ ପଚାରିଲେ–‘‘ଆପଣ କେବେ ବିବାହ ହେଉଛନ୍ତି ?

 

ମୁଁ କହିଲି–‘‘କହିପାରୁ ନାହିଁ ।’’

 

‘‘ଆପଣ ବିବାହ ହୋଇପଡ଼ନ୍ତୁ, ଆପଣଙ୍କ ଦେହ ଠିକ୍‌ ହୋଇଯିବ ।’’ ସେ କହିଲେ । ମୋତେ ବଡ଼ ହସ ମାଡ଼ିଲା । ମୁଁ ଭାରି ଜୋରରେ ହସିଲି । ସେ କିନ୍ତୁ ଗମ୍ଭୀର ହୋଇ କହିଲେ–‘‘ଥଟା ନୁହେଁ, ଆପଣଙ୍କ ଯତ୍ନ ନେବା ଲୋକର ଅଭାବ ।’’

 

‘‘ଆପଣ ତ କାହାରି ବିନା ଯତ୍ନରେ ସୁସ୍ଥ ଅଛନ୍ତି !’’ ମୁଁ ପଚାରିଲି ।

‘‘ମାଇପି ଲୋକଙ୍କର ଏମିତି ମାଉଁସ ଲାଗେ । ଦୁଃଖରେ ବି ତାଙ୍କର ଗଣ୍ଡି ବଢ଼େ ।’’

ଏଇ କଥାରୁ କେମିତି ବୁଝନ୍ତି ଯେ, ସତ ସତ ତାଙ୍କ ଭିତରେ ଗୋଟେ ଦୁଃଖ ଥିଲା ବୋଲି ।

ସେ ଯେଉଁ ଘରେ ଶୁଅନ୍ତି ମୁଁ ତା’ ପାଖ ଘରେ ଶୁଏ । ଦିନେ ରାତିରେ ମୋ ନିଦ ଭାଙ୍ଗିଗଲା । ସବୁଦିନେ ଆଉଜା ଥାଏ ଦୈବାତ୍‌ କାହିଁକି ସେଦିନ ମୋ ଘରୁ ତାଙ୍କ ଘରକୁ ଯିବାର ଦୁଆରଟା ମୁକୁଳା ଥିଲାପରି ଲାଗିଲା । ତାଙ୍କ ଘର ଅନ୍ଧାର ଥିଲା । ମୋ ଘର ଲଣ୍ଠନଟା ଏତେ ମିଞ୍ଜିମିଞ୍ଜି ଜଳୁଥିଲା ଯେ କେବଳ ଜଳୁଛି ବୋଲି ଲଣ୍ଠନର ଗୋଟାଏ କଣରୁ ଚାହିଁଲେ ବୁଝାପଡ଼ିବ ।

ମୁଁ ଦେଖିଲି, ସାଧନାଙ୍କ ଝରକା ପାଖରେ ଗୋଟାଏ ଛାୟା ମୂର୍ତ୍ତି । ମୋତେ ଭାରି ଡର ମାଡ଼ିଲା । ମନରେ ନାନା ସନ୍ଦେହ ବି ହେଲା । ମୁଁ ଯାଇଁ ଲଣ୍ଠନ ତେଜାଇ ଦେବି ଏ ସାହସ ବି ମୋର ନଥିଲା ।

ମୂର୍ତ୍ତିଟା କ୍ରମେ ହଲିଲା ପରି ମନେହେଲା । ନିଶ୍ୱାସ ମାରିଲା ପରି ଲାଗିଲା । ସେ ନିଶ୍ୱାସଟା ଯେମିତି ମୋ ଉପରେ ଆସି ବାଜିଲା । ମୁଁ ଚମକିପଡ଼ିଲି । ଭାବିଲି ସେଟା ପବନ ।

ଧୀରେ ଧୀରେ ମୂର୍ତ୍ତି ଗୋଟିଏ ଟ୍ରଙ୍କ ପାଖକୁ ଗଲା । ଖୁବ୍ ଆସ୍ତେ ଟ୍ରଙ୍କଟା ଯେମିତି ଆପେ ଖୋଲି ହେଇଗଲା । ତାପରେ ଟ୍ରଙ୍କଟା ପୁଣି ବନ୍ଦ ହୋଇଗଲା । ମୂର୍ତ୍ତିଟା ପୁଣି ତା’ର ନିଜ ସ୍ଥାନକୁ ଚାଲିଗଲା । ହାତରେ କ’ଣଟାଏ ଥିଲାପରି ଲାଗିଲା ।

 

ମୋର ଚୋର ଭୟ କ୍ରମେ ଚାଲିଗଲା । ମନେହେଲା, ଗୋଟାଏ ଭୂତ କି କ’ଣ ! ସାଧନାଙ୍କ ବିଛଣା ପାଖରେ ଥିଲା ତେଣିକି ଚାହିଁ କିଛି ଜାଣିପାରିଲି, ସେ ସେଠି ନିଶ୍ଚିନ୍ତରେ ଶୋଇଛନ୍ତି କି ନାହିଁ ।

 

ମୂର୍ତ୍ତିଟି ଧୀରେ ଧୀରେ ମୋ’ରି ଘର ଦୁଆର ଆଡ଼କୁ ଆସିଲା । ଡରରେ ମୋ ଆଖି ବନ୍ଦ ହେଇଗଲା । ଚାହିଁବାକୁ ଆଉ ସାହସ ହେଲା ନାହିଁ । କିଛି କ୍ଷଣ ପରେ ମୋର ମନେହେଲା ମୋ ମୁହଁ ଉପରେ ଯେମିତି କାହା ନିଶ୍ୱାସ ବାଜୁଛି, –ଭାରି ଗରମ । ମୁଁ ଚମକି ପଡ଼ିଲି । ନିଶ୍ୱାସଟା କୁଆଡ଼େ ଉଡ଼ିଗଲା ପରି ଜଣାହେଲା । କେତେବେଳେକେ ମୁଁ ଆଖି ଧୀରେ ଧୀରେ ଖୋଲିଲି । ଚାରିଆଡ଼କୁ ଚାହିଁ ଦେଖିଲି–ଆଉ କେଉଠି କିଛି ନାହିଁ ।

 

ମୁଁ ପୁଝାରୀକି ଡାକିଲି । ସାଧନା ଉଠିଆସିଲେ । ପଚାରିଲେ, କ’ଣ ? ଡରମାଡ଼ୁଛି ?

 

ମୁଁ କହିଲି–‘ନା’ । ମିଛରେ ।

 

‘‘ଆଉ କାହିଁକି ଡାକିଲେ ପୁଝାରୀକି ?’’

 

‘‘କିଏ ଗୋଟାଏ ଏଇବାଟେ ଯିବାଆସିବା କରୁଥିଲା ।’’ ଆଉ ଲୁଚାଇ ପାରିଲି ନାହିଁ ।

 

‘‘କେତେବେଳେ ?’’

 

‘‘ଏଇଲାଗେ ।’’

 

‘‘ଯାଃ, ଆପଣ ବୋଧହୁଏ ସପନ ଦେଖି ଡରିଚନ୍ତି ।’’ ସେ ହସି ହସି ଚାଲିଗଲେ ।

 

ସେ ଯେତେବେଳେ ଅଫିସକୁ ଯାଆନ୍ତି ନିତି ମୋତେ ପଚାରନ୍ତି–‘ବାହାରକୁ ଯିବେକି ?’ ମୁଁ ହଁ କହିଲେ ସେ ତାଙ୍କ ଘରଟାରେ ଚାବି ଦେଇଯାନ୍ତି, ନଇଲେ ସେମିତି ମେଲା ପଡ଼ିଥାଏ ।

 

ସେଦିନ ମୁଁ ରହିବି ବୋଲି କହିଲି । ସେ ଚାଲିଗଲେ । ମୋର ଭାରି ମନହେଉଥାଏ ସେଇ ଟ୍ରଙ୍କଟାକୁ ଦେଖିବା ପାଇଁ ଯାଇ ଦେଖିଲି, ଟ୍ରଙ୍କଟା ଖୋଲା । ଭାବିଲି, ଟ୍ରଙ୍କ ତ ଖୋଲା ପଡ଼ିବାର ନୁହେଁ । ସବୁ ବାକ୍‌ସରେ ତ ଚାବି ପଡ଼ିଛି । ଭଲ କରି ଦେଖି ବୁଝିଲି ଯେ କିଏ ଯେମିତି ଖୁବ୍‌ ତରତରରେ ଚାବି ଦେଇ ଚାଲିଯାଇଛି; କବଜଟା ତା’ ଘର ଭିତରେ ପଡ଼ି ନାହିଁ । ମୋର ଆହୁରି କୌତୂହଳ ହେଲା । ଢାଙ୍କୁଣୀଟା ଉଠାଇଲି । ତା’ ଭିତରେ କେତେଖଣ୍ଡ ବହିପତ୍ର, ରୁମାଲ, ବଡ଼ ନିମନ୍ତ୍ରଣ କାର୍ଡ଼, ଖଣ୍ଡେ ଫଟ ଆଉ ଖଣ୍ଡେ ଡାଇରି । ଫଟ ଖଣ୍ଡକ ମୁଁ ଚିହ୍ନିପାରିଲି ନାହିଁ–ପୁରୁଷର ଫଟ । ଫଟଟା ସବା ଉପରେ ଥିଲା । ମନେହେଲା କିଏ ଯେମିତି ତରତରରେ ପକେଇ ଦେଇ ଯାଇଛି । ସନ୍ଦେହ ହେଲା କାଲି ସେ ଛାୟାମୂର୍ତ୍ତି କ’ଣ ଏଇ ଫଟ ନେବାକୁ ଆସିଥିଲା କି ଆଉ !

 

ତାପରେ ଡାଇରି ଖଣ୍ଡ କାଢ଼ିଲି । ସାଧନାଙ୍କ ଡାଇରି । କାଲି ତାରିକର ପୃଷ୍ଠାଟା ବାହାରିପଡ଼ିଲା । ଅନ୍ୟାୟ କରୁଛି ବୋଲି ଜାଣି ବି ନ ପଢ଼ି ରହିପାରିଲି ନାହିଁ । ସେଥିରେ ସେଦିନ ଲେଖା ହେଇଚି –

 

ଆଜି ବି ଡାକିଲି । ଯେତେବେଳେ ସେ ଆସି ଡାକନ୍ତି ତା’ର ପାଞ୍ଚମିନିଟ ଡେରିରେ ନିଦ ଭାଙ୍ଗିଲା । ମୁଁ ଉଠିପଡ଼ି ଝରକା ପାଖକୁ ଗଲି । କେହି ନାହିଁ–ଆଜି ବି କେହି ନାହିଁ । ବର୍ଷେ ଚାରିମାସ ତିନିଦିନ ହେଲା ଆଜିକି–ସେ ଏଇଠି ଶେଷ ଦେଖା ଯାଇଥିଲେ । ଆଜି ବି ଫଟଟା ନେଇ ମୋହନଙ୍କ ପାଖକୁ ଗଲି । ପୁଣି ଥରେ ନିରେଖି ଦେଖିଲି । କାହିଁ, କିଛି ତ ମିଳିଲା ନାହିଁ । ସେ ନାକ, ସେ ଆଖି, ସତେ କ’ଣ ସେମିତିକା ଥିବ ? କିନ୍ତୁ ତଥାପି ମୋହନ ମୋତେ ଅନେକଟା ତାଙ୍କ ପରି ଦିଶନ୍ତି । ମୋହନଙ୍କ ସହିତ କଥା କହିଲାବେଳେ ମୋର ମନେହୁଏ ମୁଁ ତାଙ୍କ ସାଙ୍ଗରେ କଥା କହୁଛି ।’

☆☆☆

 

ପାଗଳା

 

ତମେ ପାଗଳ ଅନେକ ଦେଖିଥିବ । ଅନେକ ପାଗଳାଙ୍କ କଥା ଶୁଣିଥିବ । କିନ୍ତୁ ମୁଁ ଯେଉଁ ପାଗଳା କଥା କହିବି ସେମିତି ପାଗଳା କେବେ କେଉଁଠି ଦେଖି ନଥିବ କି ସେମିତି ପାଗଳା କଥା କାହାରି ପାଖରୁ ଶୁଣିନଥିବ ।

 

ଦେଖିଲେ ପାଗଳ ବୋଲି କେହି କହିବ ନାହିଁ, କିନ୍ତୁ ସେ ପାଗଳ । ମୁଁ ଜାଣେ ସେ ପାଗଳ । କାହାରିକି କିଛି କହେନା–ଉଁ କି ଚୁଁ କିଛି ନା । ସଂସାରରେ ଥାଇ ବି ସଂସାରରୁ ବାହାର । ଦୁନିଆରେ ଥାଇ ବି ନଥିଲା ପରି । ଖାଏ ପିଏ ଶୁଏ ବୁଲେ ଭଲ ମଣିଷ ପରି । ତଥାପି ପାଗଳ–ବଦ୍ଧ ପାଗଳ ।

 

ଘର ଅଛି ଦୁଆର ଅଛି–ସବୁ ଅଛି । ଅଥଚ କାହାରି ଉପରେ ମମତା ନାହିଁ । ପାଗଳ ଛଡ଼ା ଆଉ କ’ଣ ହେଇପାରେ ।

 

ତଥାପି ତା’ର ହୃଦୟ ଥିଲା । ସେଠି ଦରଜ ଥିଲା–ଆମଠୁ ବେଶୀ ଆଘାତ ଲାଗୁଥିଲା ସେଠି । ଆମରି ପରି ସେ ହସେ, କାନ୍ଦେ, ଦିହକୁ ସୁଖ ଦୁଃଖ ସବୁ ନିଏ । ଦୁଃଖରେ କଷ୍ଟରେ ସେ କଲିଜାଟାକୁ ଟାଣି ଓଟାରି ଛିଡ଼େଇ ଫିଙ୍ଗିଦେବାକୁ ମନ କରେ । ଛାତିଟାକୁ ଜାବୁଡ଼ି ଧରେ । ଛାତିର ସେଇ ଚମଡ଼ା ତଳେ–ଆହୁରି ତଳେ– ଓଃ କି କଷ୍ଟ ସେ ! ମୁହଁ ତା’ର ବିକୃତ ହେଇଯାଏ ଯନ୍ତ୍ରଣାରେ-। କିନ୍ତୁ ଉପଶମ ହୁଏନାହିଁ । ସେ ନିଜ ଛାତି ପରେ ନିଜେ ପ୍ରହାର କରେ । ବାଡ଼େଇ ପିଟିହୁଏ-। ପାଗଳ ନୁହେଁ ତ ଆଉ କ’ଣ !

 

ଆକାଶରେ ଗୋଟାଏ ଦିଗକୁ ଚାହିଁ ରହିଯାଏ । ଆଖି ବାହାରିପଡ଼େ । ଡୋଳା ସ୍ଥିର ହେଇଆସେ । ଜଳିଉଠେ–ଯେମିତି ନିଆଁ ବାହାରୁଛି । ଦିହ ଥରେ । ଦାନ୍ତ ପାଟି ବିଳି ହୋଇଯାଏ । ତତଲା ଲୁହ ଟପ ଟପ ଗଡ଼ିପଡ଼େ ଆଖିରୁ । ସେ କାନ୍ଦେ । ହଁ, ସେ କାନ୍ଦେ । ଓଃ ଭାରି କଷ୍ଟ, ବଡ଼ ଦୁଃଖ, ବଡ଼ ଯନ୍ତ୍ରଣା । ପାଗଳ ହେବାଠାରୁ ଆହୁରି ବେଶୀ ଯନ୍ତ୍ରଣା । ସେ କଥା କେହି ଜାଣୁ ନଜାଣୁ ମୁଁ ଜାଣେ ।

 

ଜାଣିଚ ? ସେ ପାଗଳାଟା ବି ଭଲପାଇ ଶିଖିଥିଲା । ଭଲପାଇଥିବା ଲୋକପରି ହୃଦୟରେ ସେ ଅସ୍ୱସ୍ତି ଅନୁଭବ କରୁଥିଲା । ତଥାପି ସେ ଭଲପାଇବାକୁ ଯାଏ । ସେହି ଅସ୍ୱସ୍ତି କିଣି ଆଣିବା ପାଇଁ ଭଲପାଇବାକୁ ଯାଏ । ପାଗଳ ନୁହେଁ ତ ଆଉ କ’ଣ !

 

ହଁ ଭଲପାଇବାଟା ଗୋଟେ ପାଗଳାମି । ଗୋଟେ ରୋଗ । ଭଲପାଇବାର ଦୁନିଆଟା ଗୋଟେ ପାଗଳା ଗାରଦ । ସେଠି ସମସ୍ତେ ପାଗଳ । ସେଥିପାଇଁ କେହି ଜାଣିପାରନ୍ତି ନାହିଁ, କେହି ବୁଝିପାରନ୍ତି ନାହିଁ ଯେ ସେମାନେ ନିଜେ ପାଗଳ । କିନ୍ତୁ ସମସ୍ତଙ୍କଠୁ ଏ ଥିଲା ବେଶୀ ପାଗଳ । ବଦ୍ଧ ପାଗଳ ।

 

ଜୀବନଠାରୁ ବଡ଼ ହୃଦୟକୁ ନେଇ ସେ ‘ଜଣକ’ ପାଦତଳେ ସଅଁପି ଦେଲା । ହୃଦୟକୁ ଉପେକ୍ଷା କରି ଜୀବନ ସାଙ୍ଗରେ ଜୁଆ ଖେଳିଲା । ଫଳରେ ହେଲା କ’ଣ ?

 

ନିଜେ ଧରାଦେବାକୁ ଯାଇ ସେ ‘ତାକୁ’ ହରେଇବାରୁ ବଳେବଳେ ଭଲପାଇବାକୁ ଯାଇଁ ସେ ଭଲପାଇବା ପାଇପାରିଲା ନାହିଁ । ତଥାପି ସେ ଆଶା ଛାଡ଼ି ନଥିଲା । ପାଗଳ ନୁହେଁ କ’ଣ ?

 

ସେ ତାକୁ ପୂଜା କଲା । ତା’ର ଫଟ ଆଣି ଆପଣା ଘରେ ଥାପନା କଲା । ତା’ରି ପାଖରେ ଯାଇ ନିଜର ଦୁଃଖ ଜଣାଏ । ସେଇ ଫଟକୁ ଚାହିଁ କାନ୍ଦେ । ଉସର ମରୁ ଉପରେ ଆଖିର ଲୁହ ଢାଳେ । ପାଗଳ ନୁହେଁ ତ ଆଉ କ’ଣ !

 

ସବୁଥିର ସୀମା ଅଛି । କିନ୍ତୁ ମଣିଷ ଯେତେବେଳେ ତା’ର ସୀମାକୁ ଲଙ୍ଘନ କରି ଚାଲିଯାଏ ସେତେବେଳେ ସେ ଆଉ ତା’ର ପୂର୍ବ ଅବସ୍ଥାରେ ରହିପାରେ ନାହିଁ । ସେଦିନ କିନ୍ତୁ ସେ ପାଗଳ ସତକୁ ସତ୍‌ପାଗଳାମିର ସୀମା ଲଙ୍ଘନ କରିଗଲା ।

 

ବେମାର ପଡ଼ିଥାଏ । ବହୁତ ବାର ଡାକିଲା, ତାକୁ ଟିକିଏ ଦେଖିବା ପାଇଁ । ଭାବୁଥିଲା, ତାକୁ ଥରେ ଦେଖିଲେ ତା’ର ସବୁ ରୋଗ ଆରାମ ହେଇଯିବ । ସେ ସୁସ୍ଥ ହେଇଉଠିବ । କିନ୍ତୁ ସେ ଆସେ ନାହିଁ । ଯେତେ ବିକଳ ହୋଇ ଡାକି ପଠାଏ ସେ ଶୁଣେ ନାହିଁ । ହୃଦ ତରଳେ ନାହିଁ ।

 

ବହୁଦିନ ପରେ ସେ ଆସିଲା । ପାଗଳ ଏକୁଟିଆ ପଡ଼ିଥାଏ । କେହି ଶୁଶ୍ରୂଷା କରିବାକୁ ନାହିଁ । ପାଗଳ ତାକୁ ଦେଖି ହସିଲା ନାହିଁ ଆଜି । କାନ୍ଦିଲା ବି ନାହିଁ ଆଜି । ଠଣା ଉପରେ ଗୋଟିଏ ବୋତଲରେ ଔଷଧ ଥିଲା ! ପାଗଳ ଠାରିଲା ଦେବାପାଇଁ । ‘ସେ’ ମନା କରିପାରିଲା ନାହିଁ ।

 

ପାଗଳ ଆଁ କଲା । ‘ସେ’ ଔଷଧ ଢାଳିଦେଲା । ପାଗଳ ଆଖିବୁଜି ଔଷଧ ଖାଇଦେଲା-। ମୁହଁ ବିକୃତ ହେଇଗଲା । ‘ଆଃ’ ବୋଲି କରୁଣ ଚିତ୍କାର ଛାଡ଼ି ଚାହିଁଲା ‘ତା’ ମୁହଁକୁ । ସେଠି ସେ କ’ଣ କରୁଣାର ରେଖା ଦେଖିଥିଲା ? କିଜାଣି !

 

ତାପରେ ସବୁ ଶେଷ । ରୋଗ ଶେଷ, ଯନ୍ତ୍ରଣା ଶେଷ, ଔଷଧ ଶେଷ ଆଉ ବୋଧହୁଏ ଭଲପାଇବାର ବି ଶେଷ ।

 

ଡାକ୍ତର କହିଲେ, ସେ ବିଷ ଖାଇଦେଇଛି । ଆତ୍ମହତ୍ୟା କରିଛି ।

 

କିନ୍ତୁ ସେ କ’ଣ ନିଜ ହାତରେ ନିଜକୁ ବିଷ ଖୋଇଛି !

 

ନା–ନା–ନା–ନା !

 

ସେ ପରା ପାଗଳ ! ପାଗଳ ନିଜକୁ ହତ୍ୟା କରିପାରେନା !

 

କିନ୍ତୁ ପ୍ରକୃତରେ ସେ ପାଗଳାମିର ସୀମା ଲଙ୍ଘନ କରି ଯାଇଥିଲା । ସେ ଆଉ ପାଗଳ ନଥିଲା । ମୁଁ ତା’ର ଶବକୁ ଯାଇ ଦେଖିଲି । ବାସ୍ତବିକ୍‌ ଆଉ ତା’ର ପାଗଳାମି ନାହିଁ । କିଏ କହିଲା ସେ ପାଗଳ ବୋଲି !

☆☆☆

 

କଳ୍‌ପନା

 

କଳ୍ପନାଟା ସବୁଦିନେ, ସବୁ ଅବସ୍ଥାରେ, ସମସ୍ତଙ୍କ ପାଇଁ ବଡ଼ ମଧୁର । ବାସ୍ତବତାରେ ଆନନ୍ଦ ଥାଇପାରେ । ନଥାଏ ବୋଲି କହୁନାହିଁ । କିନ୍ତୁ କଳ୍ପନାରେ ଆନନ୍ଦଟା ବଡ଼ ସୂକ୍ଷ୍ମ । ବାସ୍ତବତାରେ ମୁହଁ ବାନ୍ଧି ହେଇଯାଏ ବେଳେବେଳେ କିନ୍ତୁ କଳ୍ପନା ସବୁବେଳେ ନୂଆ–ସବୁବେଳେ ସୁନ୍ଦର ।

 

ଦୁହେଁ ଦୁହିଁଙ୍କି କଳ୍ପନାରେ ଦେଖନ୍ତି–ପୁଅଟିଏ–ଝିଅଟିଏ ବାଳକଟିଏ–ବାଳିକାଟିଏ–ନାଁ ଯୁବକଟିଏ–ଯୁବତୀଟିଏ ।

 

ସେତିକିରେ ତାଙ୍କର ସୁଖ । ସେତିକିରେ ତାଙ୍କର ଆନନ୍ଦ । ଚିଠି ଯାଏ ଚିଠି ଆସେ । ଇଚ୍ଛାହୁଏ ଆହୁରି କିଛି ସୂକ୍ଷ୍ମ ବିନିମୟ ହେଇପାରନ୍ତା କି । ଯେଉଁଥିରେ ବାସ୍ତବର ଗନ୍ଧ ନଥାନ୍ତା । ଚିଠି ଭଳି କାଗଜ କଲମ କାଳିର ଅବସ୍ଥିତିକି ଅତିକ୍ରମ କରି ଆଉ ଗୋଟାଏ ନୂଆ କୌଣସି ପ୍ରକାରର ଆଦାନ ପ୍ରଦାନର ଉପାୟ ଥାଆନ୍ତା କି ! ହୁଏତ ଦୁହେଁଯାକ ଦୁଇ ଦୂର ଉଚ୍ଚ ସ୍ଥାନରେ ରହି ଗୀତ ଗାଆନ୍ତେ । ସେ ଗୀତର ଲହରୀ ଆକାଶରେ ଭାସିଆସନ୍ତା । ତା’ର ରୂପ ନଥାନ୍ତା । ସେ ଗୋଟାଏ ସ୍ୱର । ଗୋଟାଏ ମୂର୍ଚ୍ଛନା । ସେଇ କହନ୍ତା ପରସ୍ପରର ଅନ୍ତରର ଭାଷା । ହୁଏତ ସେ ବି ପାରନ୍ତା ନାହିଁ । ସେ ସ୍ୱରକୁ ବାଟରେ ଆଉ କେହି ଯଦି ଆପଣା ଯନ୍ତ୍ରରେ ଧରିରଖି ଶୁଣେ ! ସେ ଭାବିପାରନ୍ତି ନାହିଁ କେଉଁ ସୂକ୍ଷ୍ମତମ ପଟ୍ଟଭୂମି ଉପରେ ଦୁହିଙ୍କର ଭାବ ଫୁଟିବ !

 

ପରସ୍ପରର ବ୍ୟବଧାନ ଶହ ଶହ ମାଇଲ ।

 

ପତ୍ରିକାର ମଧ୍ୟସ୍ଥତାରେ ହେଇଥିଲା ପ୍ରଥମ ପରିଚୟ । ଦୁହେଁ ଦୁହିଁଙ୍କ ଲେଖାକୁ ପସନ୍ଦ କରନ୍ତି । ଦୁହେଁ ଦୁହିଁଙ୍କ ଲେଖାକୁଇ ଭଲପାଉଥିଲେ ।

 

ଯୁବକ ବସି ଯୁବତୀର ରୂପ ଆଙ୍କେ–ମନେମନେ । କବିତାର ଯତି ଭଳି ତା’ର ଭଙ୍ଗୀ, ଛନ୍ଦ ଭଳି ତା’ର ରୂପ, ଭାବ ଭଳି ତା’ର ହସ, ଭାଷା ଭଳି ତା’ର ସରଳତା ।

 

ଯୁବତୀ ବସି ଯୁବକର କଳ୍ପନା କରେ । ଗଳ୍ପ ଭଳି କ୍ଷିପ୍ର ଓ ବଳିଷ୍ଠ । କଥାବସ୍ତୁ ଭଳି ମନୋରଞ୍ଜନ ରୂପ । ପରିଛଦ ପରି ତା’ର ଭଙ୍ଗୀ । ପ୍ରଶ୍ନ ଭଳି ତା’ର ହସ । ଉତ୍ତର ଭଳି ତା’ର ଚାହାଣି । ସମସ୍ୟା ଭଳି ତା’ର କଥା । ଭଲପାଇବାରେ ହିଁ ତା’ର ପରିଣତ । ଅପ୍ରତ୍ୟାଶିତ ପରିଣାମଇଁ ତା’ର ପ୍ରେମ ।

 

ଯୁବକ ଲେଖେ ଗଳ୍ପ । ଯୁବତୀ ଲେଖେ କବିତା । ପୁଣି ଯୁବତୀ ଗଳ୍ପ ଲେଖି ଆରମ୍ଭ କରେ ଯୁବକ–କବିତା । ଯୁବତୀର ଗଳ୍ପ ଯୁବକର କବିତାକୁ ଆଶ୍ରୟ କରି ଗଢ଼ିଉଠେ । ଆଉ ଯୁବକର କବିତା ଯୁବତୀର ଗଳ୍ପ ଆଧାରର ଆସ୍ପଦରେ ସ୍ୱଚ୍ଛଦ ଗତି କରେ ।

 

ପରସ୍ପର ହୃଦୟ କଥା ମିଳେ ପରସ୍ପରର ଆଲେଖ୍ୟରୁ । ଚିଠି ଗୁଡ଼ାକ ମାମୁଲି । ସେଥିରେ କବିତ୍ୱ ନ ଥାଏ ଭାବ ପ୍ରବଣତାର ପରିଚୟ ଦେବାପାଇଁ । ଗଳ୍ପର କଳ୍ପନା ନଥାଏ ଅବାସ୍ତବତାର ଜୟଗୀତ ଗାଇବା ପାଇଁ ।

 

ଚିଠିଗୁଡ଼ାକ ଖୋଲା । ନିତାନ୍ତ ମାମୁଲି । ପାଣି ପବନ ଦେହପା ଘେନି ତଥାପି ସେଇ କର୍ଷିତ କେଦାର ଭିତରେ ପ୍ରେମ ବୀଜ ବୁଣି ହେଇଥାଏ । ପ୍ରଥମେ ପ୍ରଥମେ ବୁଝି ହେଉନଥିଲା । କିନ୍ତୁ ଯେତେବେଳେ ଅଙ୍କୁର ଉଦ୍‌ଗମ ହେଇ ପତ୍ର ପୁଷ୍ପରେ ଶୋଭା ପାଇବାକୁ ଆରମ୍ଭ କଲା, ସେତେବେଳେ ସେଟା ନ୍ୟାୟ ହେଉ ଅନ୍ୟାୟ ହେଉ, ତା’ର ମାୟା ଆଉ ଛାଡ଼ିହେଲା ନାହିଁ ।

 

ଦିନ ଯାଏ । ଦିନ ଯାଉଥାଏ । ଭିତରର ଆଗ୍ରହ କ୍ରମେ କ୍ରମେ କଳ୍ପନାର ବନ୍ଧକୁ ଭାଙ୍ଗି ପକାଇବାକୁ ବସିଲା । ରକ୍ତ ମାଂସରେ ଗଢ଼ା ଏ ଦେହର ଡାକ ଦୁହିଙ୍କୁ ଅସ୍ଥିର କରି ପକାଇଲା । ଦୁହିଁଙ୍କର ପ୍ରବଳ ଇଚ୍ଛାହେଲା ଦୁହିଁଙ୍କି ଟିକିଏ ଦେଖିବେ ।

 

ଯୁବକ ଫଟ ମାଗେ । ଯୁବତୀ କହେ–‘ନା’ ମୋର ଫଟ ନାହିଁ ।’ ଭାବେ ଫଟ ଦେଖି ନଥିଲେ ପ୍ରଥମ ଭେଟଟା କେଡ଼େ ରୋମାଞ୍ଚକର ହେବ ସତେ !

 

ଯୁବତୀ ଫଟ ମାଗେ । ଯୁବକ କହେ–ମୁଁ ଫଟ ତୋଳେ ନାହିଁ । ଫଟ ବଡ଼ ମିଥ୍ୟାବାଦୀ’ ଭାବେ, ମୋ ବଦଳରେ ମୋ ଫଟୋକୁ ଭଲପାଇବା–ମୁଁ ତା’ ସହ୍ୟ କରିପାରିବି ନାହିଁ ।

 

ଯୁବତୀ ଚାହିଁ ବସେ–କେବେ ଦେଖାହେବ !

 

ଯୁବକ ଭାବି ବସେ–ମିଳନ ରାତ୍ରି କେବେ ଆସିବ ।

 

ଯୁବତୀ ଭାବେ–ବନ୍ଧୁ ତମେ ବଡ଼ ନିଷ୍ଠୁର ! ଥରେ ଦେଖାଦିଅ !

 

ଯୁବକ ଲେଖେ–ଅନ୍ତରର ଆକୁଳ ଆହ୍ୱାନ ଥିଲେ ଦେବତା ମଧ୍ୟ ସ୍ୱର୍ଗରୁ ଓହ୍ଲାଇ ଆସନ୍ତି-

 

ଯୁବତୀ ସନ୍ଦେହ କରେ–ତା’ ହୃଦୟ କ’ଣ ଅବିଶ୍ୱସ୍ତ ? ତା’ର ଆହ୍ୱାନ କ’ଣ ଅନ୍ତରର ନୁହେଁ ?

 

ଯୁବକ ବିଚାର କରେ–ଏଇ ବ୍ୟବଧାନଟା କ’ଣ ଅନତି କ୍ରମଣୀୟ !

 

ଯୁବତୀ କି ଲେଖେ–ମୁଁ ଯିବି, ମୁଁ ଯିବି ! ଯୁବତୀ ଚାହିଁଥାଏ–କାହିଁ ?

 

ଯୁବତୀ ଚିଠି ପାଇଲା–ମୁଁ ଆସିଛି । ସତ ସତ ମୁଁ ଆସିଛି ।

 

କାଲି ସକାଳ ଆଠଟାରେ ମୁଁ ତମ ଦ୍ୱାରରେ ଭିକାରି ହେବି ।

 

ସତେ ସତେ ! ଯୁବତୀ ବିଶ୍ୱାସ କରିପାରୁନଥିଲା ।

 

ତହିଁ ଆରଦିନ । ସେଦିନ ବି ସବୁଦିନ ପରି ରାତି ପାହିଥିଲା । ଯୁବତୀ ଦେଖିଲା, ରାତି ପାହିଛି । ସେ ଅନିଦ୍ର ନୟନକୁ କାକର ପାଣିରେ ଧୋଇ ଅବଦ ଅଙ୍ଗକୁ ଝର ଜଳରେ ମାଜୁଥିଲା । ସୂର୍ଯ୍ୟ ଉଠିଆସିଲେ । ରୋମ ମୂଳରେ ଆଲୋକରେ ମିଠା ହସ ।

 

ଯୁବତୀର ସଜ ନଥିଲା । ନିରାଡ଼ମ୍ୱର–ନିରାଭରଣ–ସରଳ କବିତାର ପଙ୍‌କ୍ତି ପରି । ତଥାପି ସରୁନଥିଲା । ପଦ ପଡ଼ୁନଥିଲା । ଅମିକ୍ରାକ୍ଷରରେ ଛନ୍ଦ ଯତି ବିଗିଡ଼ି ଯାଉଥିଲା । ଶବ୍ଦଗୁଡ଼ିକ ପଦ ହେବାମାତ୍ରେ କିମିତି ନିଜର ସ୍ଥାନ ନିର୍ଣ୍ଣୟ କରିପାରୁନଥାନ୍ତି ।

 

ସାତୁଟା ବାଜିଗଲା । ଯୁବତୀ ବାରମ୍ୱାର ବାହାରକୁ ଆସେ । ପୁଣି ଘର ଭିତରକୁ ଯାଏ-। ଚଉକିଟାକୁ ବାରମ୍ୱାର ସିଧା କରୁଥାଏ । ଟେବୁଲ୍‌ କ୍ଲଥଟାକୁ ଘନଘନ ଝାଡ଼ି ଦେଉଥାଏ । ପୁଣି ଗବାକ୍ଷ ପଥରେ ଚାହେଁ–ସଚକିତ ନୟନଂ । କାହିଁ କେହି ଆସିଲେ ନାହିଁ–ପଶ୍ୟତି ତବ ପନ୍ଥାନମ୍‌-

 

ବାଟ ପାଖରେ ଭିକାରିଟିଏ । କେତେବେଳକୁ ଠିଆହେଲାଣି । ଯୁବତୀ ମନେମନେ ଥଟ୍ଟା କରି ଭିକାରିକି ପଚାରେ–ଭିକାରି, ଦେଖୁଛୁ ସେ ଭିକାରି କି ?

 

ତା’ରି ମନ ଭିକାରି ହେଇ ତାକୁ ଉତ୍ତର ଦିଏ–କଉଁ ଭିକାରି !

 

‘ସେଇ ମ ସେଇ ଭିକାରି–ଯେ ପ୍ରେମ ଭିକ ମାଗି ଆସେ ।’ ଆପଣା ଉତ୍ତରରେ ସେ ହସିଉଠେ । ମନେହୁଏ ସେ ଆନନ୍ଦ ତା’ ପ୍ରେମ ଭିକାରିର ପାଦତଳେ ଝରା ପୁଷ୍ପଭଳି ବିଛୁଡ଼ି ହେଇପଡୁଛି ସତେ କି !

 

ଆଠୁଟା ବାଜିଗଲା । କେହି ନାହିଁ । ଯୁବତୀର ପ୍ରାଣ ଶୁଷ୍‌କ ହେଇଉଠିଲା । ଭିକାରିଟା ସେତେବେଳ ଯାଏଁ ବି ଠିଆ ହେଇଛି । ତା’ର ଭାରି ରାଗ ହେଲା । ଭିକାରିଟାକୁ ମାରି ତଡ଼ି ଦିଅନ୍ତା-

 

ନଅଟା ବାଜିଲା । କାହିଁ ? ଯୁବତୀର ପ୍ରାଣ କାନ୍ଦିଉଠୁଥିଲା–କୁରରୀ ପ୍ରାୟେ ।

 

ହଠାତ୍‌ ଜଣେ ଭଦ୍ରଲୋକ ଆସି ଭିକାରି ପାଖରେ ଠିଆହେଲା । ଯୁବତୀ ଦଉଡ଼ି ଗଲା ଦାଣ୍ଡ ଦୁଆରକୁ । କିନ୍ତୁ ଏ କିଏ ? ଏଇ କ’ଣ ତା’ର ପ୍ରେମ ଭିକାରି । ୟାରି ହାତରେ କ’ଣ ସେ ତା’ର ହୃଦୟକୁ ସମର୍ପଣ କରିଦେବ ! ନା–ନା–ଏ ନୁହନ୍ତି–ଏ କଦାପି ହେଇ ନ ପାରନ୍ତି ।

 

ଜଣେ କୃଷ୍ଣକାୟ ମନୁଷ୍ୟ । ରୁଗ୍‌ଣ । ଅସ୍ୱାଭାବିକ ଲମ୍ବ । ପରିଧାନ ମଳିନ ନିଷ୍ପ୍ରଭ । ଭିକାରିକୁ ପଚାରିଲା–ଏଇଟା କ’ଣ ?

 

ଯୁବତୀ ଦଉଡ଼ିଗଲା–ହଁ ଏଇଟା ମୋ ଘର । କ’ଣ ଅରୂପ ବାବୁ ପଠେଇଛନ୍ତି ? ଆସିପାରିଲେ ନାହିଁ ସେ ? କ’ଣ ହେଲା ତାଙ୍କର ? କୌଣସି ବିପଦ ହେଇନାହିଁ ତ ?

 

ଯୁବକ ହତବାକ୍ୟ ହତଭମ୍ୱ ହୋଇ ଠିଆ ହେଇଗଲା । ତା’ପରେ ଗୋଟାଏ ନିଶ୍ୱାସ ନେଇ କହିଲା–ହଁ, ମୁଁ ଅରୂପବାବୁଙ୍କ ପାଖରୁ ଆସୁଛି । ବଡ଼ ଦୁଃଖର କଥା, ସେ କାଲି ମାରା ପଡ଼ିଗଲେ ।

 

‘ଏଁ–ମରିଗଲେ ।’’ ଯୁବତୀ କଥା କହିପାରୁନଥିଲା ।

 

ଭଦ୍ରଲୋକ କହିଲେ–ମଲାବେଳକୁ ସେ ବେଶି ଆପଣଙ୍କ କଥାଇ କହୁଥିଲେ । କହିଲେ କହିଦେବ, ମୋର ଶେଷ କଥା–କଳ୍ପନା କଳ୍ପନାରେହିଁ ରହିଯିବା ଭଲ । ବାସ୍ତବ ଜଗତକୁ ଟାଣି ଆଣି ତା’ର ଅସମ୍ମାନ କରିବ ନାହିଁ ।’’

 

ଯୁବତୀ କାନ୍ଦୁଥିଲା । ଯୁବକ ନମସ୍କାର କରି ଧୀରେ ଧୀରେ ଚାଲିଗଲା ।

 

ଯୁବତୀ ସଜଳ ନେତ୍ରରେ ପଚାରିଲା–ଆପଣ–ଆପଣ–

 

ଯୁବକ ଉତ୍ତର ଦେଲା–ମୁଁ ଅରୂପର ମିତ–ମୋ ନା ଅରୂପା

 

ଯୁବତୀ କିଛି କହିବା ପୂର୍ବରୁ ଯୁବକ ଚାଲି ଯାଇଥିଲା ।

 

ଭିକାରିଟା ତା’ର ଛିଡ଼ା ମୁଣି ଭିତରୁ କାଢ଼ି, କଳା ବଲ ବଲ ଫଦ ଭଙ୍ଗା ଫୁଟା ସିଲଭର ଡେକିଚିରେ ମୁଢ଼ି ଦି’ଟା ପକେଇ ପାଟିକି ପକାଉଥାଏ । ହାତରେ ଖଣ୍ଡିଆ ନାଲି ଲଙ୍କା ଖଣ୍ଡେ ।

☆☆☆

 

ଭୁଲ

 

ସେଦିନ ଶୁଣିଥିଲି ଗୋଟିଏ ଛାତି ଫଟା ରାଗ । ଭୁଲିଗଲିଣି । ଆଜି ଛାତିଟା ମୋର ଫାଟିଛି ସିନା–ସେ ଦିନର ରାଗ ଆଉ ମନେ ପଡ଼ୁନାହିଁ । ଗୁଣୁଗୁଣୁ ହେଇଉଠେ । ପୁଣି ବେସୁରିଆ ହେଇଯାଏ । ତାଳ ବେତାଳରେ ପଡ଼େ । କିଏ କେଉଁଠି ଗୀତ ଗାଇଲେ ମୁଁ ଶୁଣେ । କାଳେ ତା’ରି ଭିତରୁ ଖିଅଟା ମିଳିଯିବ । ମିଳେନା ।

 

ଅନେକ ଦିନ ତଳେ । କୌଣସି ରମଣୀର ସମ୍ପର୍କରେ ଆସିବା ସେଇ ମୋର ପ୍ରଥମ । ଅଞ୍ଜନା ଏ ପ୍ରଦେଶର ଝୁଅ ନୁହେଁ । ପରିଚୟ ହେଲା । ଇଂରାଜୀରେ କଥାବାର୍ତ୍ତା କରୁ । ଚିଠିପତ୍ର ଇଂରାଜୀରେ । ଆମ ଦୁହିଙ୍କର ଆଳାପ ଭିତରେ ଥିଲା ଦୁଇଜଣଙ୍କର ଦୁଇଜଣଙ୍କୁ ଚିହ୍ନିବାର ମୋହ । ନା–ନା–ପରସ୍ପରକୁ ପରସ୍ପର ଉପରେ କଷିନେଇ ନିଜ ନିଜକୁ ଚିହ୍ନିବାର ପ୍ରୟାସ ।

 

ଆଦର୍ଶଟା କି ଜିନିସ ? ଅଙ୍ଗେ ନିଭେଇବା ଭଳି ସତକୁ ଛାଡ଼ି ଯେତେ ଦୂରକୁ ଦଉଡ଼େ ମଣିଷ ସେତିକି ଆଦର୍ଶବାଦୀ ସେ ହୁଏ । ଆଦର୍ଶ ପଛରେ ଧାଇଁବାବେଳେ ମଣିଷର ଗୋଟେ ଜୀବନ ମୂରୁଚ୍ଛା ପିଆସା ଥାଏ–କୁହୁଡ଼ିରେ ପହଁରିବାକୁ ଯାଇ ହାତଗୋଡ଼ ଭାଙ୍ଗି ପକାଇବା ପାଇଁ ।

 

ସ୍ତ୍ରୀ ସହିତ ପୁରୁଷର କି ସମ୍ପର୍କ ? ମୁଁ ଭୁଲିଯାଇଥିଲି ସେଦିନ । ଆଦର୍ଶର ମୋହରେ ବୋଲି ଦିନେ ମୋର ପୁଣି କ୍ଷୋଭ ହେଲା ।

 

ଅଞ୍ଜନାକୁ ମୁଁ ଭଲପାଇଲି । କାହିଁକି ? ତା’ର ମୋର ମତ ମେଳହେଲା ବୋଲି ? ହୃଦୟର ସାମଞ୍ଜସ୍ୟ ପାଇଲି ବୋଲି ? ନା–ତା’ର ମୋର ନୈତିକ ସାନ୍ନିଧ୍ୟ ହେଲା ବୋଲି ? କହିପାରିବି ନାହିଁ । କିନ୍ତୁ ମୁଁ ତାକୁ ଚିହ୍ନିଲି–ସେ ମୋତେ ଚିହ୍ନିଲା । ଉଭୟ ଉଭୟଙ୍କୁ ନିକଟତର, ଅନେକଟା ଆପଣାର କରି ନେଇଥିଲୁ । ଆଉ କ’ଣ ସେଇଥିପାଇଁ ?

 

ନା–ତା’ ନୁହେଁ । ସେ ଧାରଣାଗୁଡ଼ାକ ନିହାତି ଭୁଲ । ବହୁତ ପରେ ମୁଁ ସେ ଭୁଲଟା ବୁଝିପାଇଲି । ସେ ସବୁପାଇଁ ମଣିଷ ଭଲପାଏ ନାହିଁ । ମଣିଷ ଭଲପାଏ ଆଗେ । ଭଲ ପାଇ ସାରିଲେ ଯାହାକୁ ଭଲପାଏ ତାକୁ ପାଇବାପାଇଁ ଏ ସବୁ କାଳ୍ପନିକ ତଥ୍ୟ ଆବିସ୍କାର କରେ । ବରଂ ତା’ର ଭଲପାଇବାର ଯଥାର୍ଥତାକୁ ପ୍ରମାଣ କରିବାପାଇଁ ଏ ସବୁ ତା’ର ଯୁକ୍ତି–ଛଳନା । ଆପଣାର ଦୋଷୀ ମନକୁ ବୁଝାଇବା ପାଇଁ, ସାନ୍ତ୍ୱନା ଦେବାପାଇଁ, ଏ ନୈତିକତାର ଆଶ୍ରୟ ।

 

ଅଞ୍ଜନା ଚାଲିଗଲା । ତା’ର ବାପା ବଦଳି ହେଇଗଲେ । ମୁଁ କହିଲି–ଅଞ୍ଜନା ଚିଠି ଦବ-? ତା’ ପାଖରେ ଧ୍ରୁବପଦ ଠିଆହୋଇ ରହିଥିଲା । ସେ କିଛି କହିଲା ନାହିଁ ।

 

ଅଞ୍ଜନା ଡରୁଥିଲା । କାହାକୁ ? କାହିଁକି ?

 

‘ଦେବି’ । କେତେବେଳ ପରେ ସେ କହିଲା । ସେ ‘ଦେବି’ର ଅର୍ଥ କିଛି ନୁହେଁ ।

 

ଅଞ୍ଜନା ମୋତେ ଭୁଲିଲା । ମୁଁ କିନ୍ତୁ ତାକୁ ଭୁଲିପାରିଲି ନାହିଁ । ମୋର ଏଇ ଭଲପାଇବା ଆଦର୍ଶଟା ଗୋଟାଏ ଅଶରୀରୀ ଭୂତପରି ମୋ ପଛରେ ଗୋଡ଼େଇଲା । ଅଞ୍ଜନାର ଭଲପାଇବାର ଜୀଅନ୍ତା–ସେ ତେଣୁ ମରିଗଲା । ମରି ପୁନର୍ଜନ୍ମ ନେଲା । ମୋର ମଲା ପ୍ରାଣହୀନ ଭଲପାଇବା, ଅଚେତନ ପଥର ପରି ଯେମିତି ଥିଲା ସେମିତି ପଡ଼ି ରହିଲା ।

 

କଉଁଟା ବଡ଼ ? କଉଁଟା ସତ ?

 

ସ୍ତ୍ରୀ ସହିତ ପୁରୁଷର କି ସମ୍ପର୍କ ? ଏ ପ୍ରଶ୍ନର ଉତ୍ତର ଉପରେ ସେ ସବୁର ଉତ୍ତର ନିର୍ଭର କରୁଛି । ୟାର ଉତ୍ତର ଦେବାକୁ ମଣିଷର ସାହସ ହୁଏ ନାହିଁ ।

 

କେତେଦିନ ଚାଲିଗଲା । ଅନେକ ଦିନ ଗଲାଣି । ଅଞ୍ଜନାର ମୋର ପୁଣି ଭେଟ ହେଲା-

 

ଅଞ୍ଜନା ମା’ ।

 

ମୁଁ ପିତା ହୋଇନାହିଁ ।

 

ଅଞ୍ଜନା ଏଇ ଗୋଡ଼ିମାଟିର ଜଗତରେ ବୁଲୁଚି । ସେଦିନର ଅଞ୍ଜନା ଆଜିର ଅଞ୍ଜନା ଭିତରେ ଆକାଶ ପାତାଳ ତଫାତ୍‌ । ଆଜି ସେ ଖାଲି ପାଣିରେ ବୁଡ଼ିନାହିଁ–ପଙ୍କରେ ଘାଣ୍ଟି ହେଉଛି । ଆଉ ମୁଁ ? ସେଇମିତି ଭାସୁଛି ଉପରେ ।

 

ସେ କହେ, ଯେଉଁ ଦାୟିତ୍ୱ ନେବାକୁ ତମେ ଡରିଛ, ଯେଉଁ ଦାୟତ୍ୱକୁ ତମେ ଏତେଦିନ ଏଡ଼ି ଏଡ଼ି ଚାଲିଛ ସେଇ ଦାୟିତ୍ୱକୁ ନେଇ ସଂସାରରେ ଚାଲିବାରେ ମୋର ସାହସ ବଢ଼ିଛି–ଆତ୍ମ ପ୍ରତ୍ୟୟ ଆସିଛି–ମୁଁ ଗର୍ବ ଅନୁଭବ କରୁଛି । ଆନନ୍ଦ ପାଉଚି ।

 

ଅଞ୍ଜନାର ପୁଅଟି ଭାରି ସୁନ୍ଦର । କତୁକୁଲ ଭଳି । ଆନନ୍ଦ ପାଇବାର କଥା ।

 

ମୁଁ କୋଳରେ ଜାକି ଧରିଲି । ଭାରି ଆନନ୍ଦ ଲାଗିଲା । ତାରି ଭିତରେ ଯେମିତି ମୋର କଳ୍ପଲୋକର ଅଞ୍ଜନା ।

 

ଅଞ୍ଜନା, ଏ ପୁଅଟିକୁ ମୋତେ ଦେ ।

 

ଅଞ୍ଜନା ହସିଲା । ସେ ହସ ନୁହେଁ ଉପହାସ ।

 

ମୋର ବୟସ ହେଇଯାଇଛି । ମୁଁ ବିବାହ କରିନାହିଁ । ଅଞ୍ଜନାର ଉପହାସ ସେମିତି ରହିଯାଉ । ତା’ର ପ୍ରତିଶୋଧ ମୁଁ ନେଇପାରିବି ନାହିଁ । ଆଜି ଏ ବୟସରେ ।

 

ଅଞ୍ଜନା ସତୀ । ହିନ୍ଦୁ ଘରର କୁଳବଧୂ । ଭଲପାଇବାକୁ ଗୋଟିଏ ଗଣ୍ଡିଭିତରେ ଯେଉଁମାନେ ବାନ୍ଧି ରଖିପାରନ୍ତି ସେଇମାନେ ସତୀ । ଅଞ୍ଜନା ମୋତେ ଆଜି ଭଲ ପାଇ ପାରେ ଏ ପ୍ରଶ୍ନ ବି ଉଠିବ ନାହିଁ–ଉଠିପାରେନା ।

 

ମୁଁ ବିଟପ । ମୁଁ ଚରିତ୍ରହୀନ । ଗୋଟାଏ ଅଞ୍ଜନା ବଦଳରେ ମୁଁ ହଜାରେ ଅଞ୍ଜନାର ସନ୍ଧାନ କରି ବୁଲୁଥିଲି । ଯେଉଁ ଅଞ୍ଜନା ମୋ ପକ୍ଷରେ ଏଡ଼େ ଦୁଷ୍ପ୍ରାହ୍ୟ ମୂଲ୍ୟବାନ ହେଇଥିଲା, ତାକୁ ନିହାତି ବାଜେ ସହଜ ଲଭ୍ୟ ବେଶ୍ୟା କରି ପାଇବାର ଲାଳସାରେ, ମୁଁ ନିଜେ ଅସଂଖ୍ୟ ଅବାଞ୍ଛନୀୟା ସ୍ତ୍ରୀଙ୍କ ପାଖରେ ଶସ୍ତା ହୋଇଯାଇଛି । ଅଞ୍ଜନା ସେ କଥା ଜାଣେ ନାହିଁ ।

 

ସମସ୍ତେ କହିବେ ଅଞ୍ଜନାକୁ ନ ପାଇବାର ଦୁଃଖକୁ ଭୁଲିବାପାଇଁ ମୁଁ ବେଶ୍ୟାଶକ୍ତ ହେଇଛି । କିନ୍ତୁ ପ୍ରକୃତରେ ତା’ ନୁହେଁ । ମୁଁ ଯାଇଥିଲି, ଦିନେ ନାରୀର ଯେଉଁ ପ୍ରେମର ମୂଲ ମୁଁ ଏଡ଼େ ଉଚ୍ଚ ଧରିଥିଲି ତାକୁ ହରିନୋଟ କରି ବାଟରେ ବିଞ୍ଚୁଡ଼ି ଚାଲିଯିବା ପାଇଁ । କିନ୍ତୁ ଫଳରେ ହେଲା କ’ଣ । ମୁଁ ଅଞ୍ଜନାର ପ୍ରେମକୁ ଭୁଲିପାରିଲି ନାହିଁ । ତା’ର ପ୍ରେମର ମୂଲକୁ ହ୍ରାସ କରିପାରିଲି ନାହିଁ । ବରଂ ପ୍ରତି ମୁହୂର୍ତ୍ତରେ ସେ ପ୍ରେମ ମୋର ମନେପଡ଼ୁଥାଏ । ପ୍ରତି ମୁହୂର୍ତ୍ତରେ ତା’ର ମୂଲ ମୋ ଆଖିରେ ବଢ଼ି ଚାଲିଥାଏ ।

 

ବେଶ୍ୟା ଭିତରେ ଯେଉଁ ଅଞ୍ଜନା, ଏ ସେ ଅଞ୍ଜନା ନୁହେଁ । ଅଞ୍ଜନା ଆଜି ଢେର ବଡ଼ ହେଇଯାଇଛି ।

 

‘ଅଞ୍ଜନା, ମୁଁ ଫେରିଆସିବାକୁ ଚାହେଁ, ମୋତେ ଫେରାଇନେବ ?’ ମୁଁ ପଚାରିଲି ।

 

‘ମୋତେ ତମେ ଭଲ ପାଇପାରିବ ?’ ସେ ଉତ୍ତର ଦେଲା !

 

ଭାବିଲି, ଠିକ୍‌ ତ । ମୁଁ ଖସିଛି, ମୁଁ ପଡ଼ିଛି । ମୁଁ କେତେ ତଳେ । ମୁଁ ତାକୁ ଭଲ ପାଇପାରିବି ।

 

ମୋତେ ଟିକିଏ ହସ ବି ମାଡ଼ିଲା । ସେଦିନ ଯେଉଁ ଆଦର୍ଶ ପଛରେ ଗୋଡ଼ାଇ ଅଞ୍ଜନାକୁ ହରାଇଥିଲି–ଆଜି ଅଞ୍ଜନା କ’ଣ ମୋଠୁ ସେଇ ଭଲପାଇବା ଆଶା କରୁଛି ଆଉ ! ଖାଲି ହୃଦୟ ମିଳନ । ଦେହର ସାନ୍ନିଧ୍ୟ ନାହିଁ । କେବଳ ନିର୍ମଳ ପ୍ରେମ । ବାସନା ନାହିଁ–ବିଳାସ ନାହିଁ ।

 

କିନ୍ତୁ ମୁଁ କ’ଣ ପାରିବି ? ସ୍ତ୍ରୀ ପୁରୁଷର କି ସମ୍ପର୍କ ତା’ର ଉତ୍ତର ମୋ ହାଡ଼ରେ ହାଡ଼ରେ, ମଜ୍ଜାରେ ଲେଖା ହେଇଛି । ଅଞ୍ଜନା ଆଜି ତା’ ମାନିବାକୁ ଚାହେଁ ନାହିଁ ।

 

‘ପାରିବି ।’ ସାହସ ବାନ୍ଧି କହିଥିଲି । କିନ୍ତୁ ପାରିଲି ନାହିଁ ।

 

ମୋର ଭଲପାଇବା ଆଦର୍ଶର ଗଣ୍ଡିଭିତରେ ରହିପାରିଲା ନାହିଁ । ମୁଁ ଅଞ୍ଜନାକୁ ଯେତେ ମନେମନେ ଧରି ରଖିବାକୁ ଚେଷ୍ଟା କରେ ସେ ସେତେ ଖସି ବୁଲେ । ମୋତେ ବେଶ୍‌ ଜଣାଯାଏ ଅଞ୍ଜନା ମୋର ନୁହେଁ ।

 

ଅଞ୍ଜନା କ’ଣ ଭାବୁଥିଲା କେଜାଣି ! ମୁଁ ଭାବୁଥିଲି, ଅଞ୍ଜନା ମୋତେ ଧରି ରଖିପାରିବ ନାହିଁ । ତା’ର ଆଉ ସେ ଶକ୍ତି ନାହିଁ । ମା’ ହେଇସାରିବା ପରେ ସ୍ତ୍ରୀ ପୁରୁଷକୁ ଧରି ରଖିବାର ଶକ୍ତି ଯେମିତି ହରେଇ ବସେ ।

 

‘ବାହାହୁଅ !’ ଆଜି ବି ସେ ସେଇକଥା କହିଲା ।

 

ସେଦିନ ବାହା ନହେଇ ଯେଉଁ ଭୁଲ୍‌ କରିଥିଲି ଆଜି ପୁଣି ତାହା ହେଇ ସେଇ ଭୁଲ କରିବି ! ସେଦିନ ମୁଁ କାହାକୁ ଧରି ପାରିନଥିଲି । ଆଜି ଆଉ ମୋତେ କେହି ଧରି ରଖିପାରିବ ନାହିଁ-

 

ସେଦିନ ମୋର ଅଯୋଗ୍ୟତାରୁ ମୁଁ ହତାଶ ହେଇଥିଲି । ସେତେବେଳେ ସେଇ ଛାତିଫଟା ରାଗିଣୀଟା କିଏ ମୋତେ ଗାଇ ଶୁଣେଇଥିଲା । ଆଜି ଛାତି ଫାଟିଯାଇଛି । ଅକ୍ଷମତାରୁ ଶୁଣି ପାରୁନାହିଁ ସେ ସ୍ୱନ ।

 

ଅଞ୍ଜନା ସାଙ୍ଗରେ ଅନେକଦିନ ହେବ ଦେଖା ହେଇନାହିଁ । ମୁଁ ବି ଆଉ ଦେଖା କରିବାକୁ ଚାହେଁ ନାହିଁ ।

 

ଓଃ–ପୁଣି ସେଇ ଛାତିଫଟା ରାଗର ଗୁଣୁଗୁଣିଟା । ସେ ଗୀତଟା କ’ଣ–ସେ ରାଗଟା କ’ଣ ? ଆଃ–ପୂରା ମନେପଡ଼ୁନାହିଁ ।

 

କେବେ ଯେ ମନେପଡ଼ିବ ।

☆☆☆

 

ବୀଣା

 

ଋଷିକୁଲ୍ୟା ନଦୀ ତଟରେ ଗୋଟିଏ ବୃଦ୍ଧ ଅନେକ ଦିନରୁ କୁଟୀରଟିଏ ବାନ୍ଧିଥାଏ । ଦିନରେ ଭିକ ମାଗିଯାଏ । ରାତି ହେଲେ ତାଟି କିଳିଦେଇ ଛିଡ଼ା ମୁଣି ଭିତରୁ ପୁରୁଣା ବୀଣାଟିଏ କାଢ଼ି ବଜାଏ । ପିଢ଼ା ଉପରେ ଶୁଖିଲା ଖଡ଼ଗୁଡ଼ାକ ଭିତରେ ବି ମରମର ଶବ୍ଦ କରିଉଠେ ।

 

ଜନପଦ ବଧୂ–ଲୋଚନ–ବିମ୍ବିତ ଋଷିକୁଲ୍ୟାର ଛଳ ଛଳ ଶୀତଳ ଜଳ ମଧ୍ୟ ଢଳ ଢଳ ନାଚିଉଠେ । ଅଦୂରରେ ଗୋଟିଏ ତରୁଣ, ଲୋକଲୋଚନର ଅଲକ୍ଷରେ ବସି ସେଇ ଜଳଭିତରକୁ ବୀଣା ଝଙ୍କାରର ତାଳରେ ଉପଳ ଖଣ୍ଡ ନିକ୍ଷେପ କରୁଥାଏ । ଅନତି ଦୂରରେ ଗୃହାଭିମୁଖୀ ପଥିକର ପଦ ଚଞ୍ଚଳ ହେଇଯାଏ । ଆପଣାର ଅଗୋଚରରେ ।

 

କେହି ଶ୍ରୁତିପାତ୍‌କରେ ନାହିଁ । ସଂସାର ବିଚଳିତ ହୁଏ ନାହିଁ । ଆକାଶର ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା କକ୍ଷଚ୍ୟୁତ ହୁଅନ୍ତି ନାହିଁ ।

 

କେହି ଶୁଣେ ନାହିଁ, କେହି ଜାଣେ ନାହିଁ । ଜାଣି ମଧ୍ୟ ଜାଣେ ନାହିଁ । ଏକା ସେଇ ବୁଢ଼ାଟି ବଜାଏ । ଆଉ ବୁଢ଼ାର ଅଜ୍ଞାତରେ ଶୁଣୁଥାଏ ସେଇ ଯୁବକ ।

 

କୁମାର ପୂର୍ଣ୍ଣିମା ରାତି । ବୁଢ଼ାର ବୀଣା ଉତଳା ହେଇ ବାଜିବାକୁ ଆରମ୍ଭ କଲା । ତରୁଣର ପ୍ରାଣ ନାଚିଉଠିଲା । ପୁଲକରେ ରୋମ ମୂଳ ଫୁଲିଉଠିଲା । ଆଖିରେ ଲୁହ ।

 

ଏ କଅଣ–ଏ କଅଣ ! ତାଳ ଛାଡ଼ିଦେଇ ବୀଣା ଏମିତି ବେସୁରା ବାଜିଉଠିଲା କାହିଁକି । ତରୁଣ ଚିତ୍କାର କଲା–ବନ୍ଦକର, ବନ୍ଦକର ! ବୃଦ୍ଧ ଶୁଣିଲା ନାହିଁ । ମତୁଆଲା ହୋଇ ସ୍ୱରହୀନ, ଛନ୍ଦହୀନ ଝଙ୍କାର ସୃଷ୍ଟି କରିବାରେ ଲାଗିଥାଏ ବୃଦ୍ଧ ।

 

ବୀଣାର ତାର ଛିଡ଼ିଗଲା । ବୃଦ୍ଧ କ୍ଳାନ୍ତ ଅର୍ଦ୍ଧଚେତନ ଅବସ୍ଥାରେ ଦେଖିଲା ପାଖରେ ଉଭାହୋଇଛି ଗୋଟିଏ ତରୁଣ । ସେଇ ତରୁଣ । ଆଖିରେ ଲୁହ । ମୁଖମଣ୍ଡଳରେ ଦୟା, କରୁଣା ଓ ସହୃଦୟତାର ଛାୟା । ସେହିଦିନ ବୃଦ୍ଧ ଓ ତରୁଣର ପ୍ରଥମ ସାକ୍ଷାତ୍‌, ଅତୀତ ଓ ଭବିଷ୍ୟତର ସନ୍ଧିକ୍ଷଣ ପରି ।

 

ତା’ ପରଠୁଁ ତରୁଣ ପ୍ରତିଦିନ ଆସେ । ବୃଦ୍ଧ ପ୍ରତିଦିନ ବଜାଏ । ତରୁଣ ସୁଣେ ।

 

ଦିନେ ବୃଦ୍ଧ ତରୁଣକୁ ଡାକି କହିଲା– ‘‘ବତ୍ସ, ଏ ବୀଣା ତମେ ଥରେ ଧର । ମୁଁ ଥାଉଁ ଥାଉଁ–’’

 

ତରୁଣ କାତୁର କଣ୍ଠରେ ତା’ର ଅକ୍ଷମତା ଜଣାଇଲା– ‘‘ନା–ନା, ମୁଁ ଏ ବୀଣା ଧରିବାର ଯୋଗ୍ୟପାତ୍ର ନୁହେଁ ।

 

ବୃଦ୍ଧ ନିରାଶ ହେଲା । କିନ୍ତୁ ପୁଣି ଥରେ ଅନୁରୋଧ କରି କହିଲା– ‘‘ତମଠାରୁ ଅଧିକ ଉପଯୁକ୍ତ ପାତ୍ର ମୋତେ କେହି ଦିଶୁନାହାନ୍ତି । ମୋର ଆଉ କେତେଦିନ । କାହାକୁ ଏ ମୂଲ୍ୟବାନ ବୀଣାର ଭାର ଦେଇଯିବି !’’

 

ତରୁଣ ସେଦିନ ଉତ୍ତର ଦେଇଥିଲା– ‘‘ଗୁରୁ, ଯେଉଁଦିନ ଯାଏ ଆପଣ ସଶରୀରରେ ସ୍ୱୟଂ ବିଦ୍ୟମାନ ସେତେଦିନ ଯାଏଁ ଏ ବୀଣାକୁ ଧାର କରିବା ପାଇଁ କେହି ଯୋଗ୍ୟ ହେଇ ନ ପାରନ୍ତି ।’’

 

ବୃଦ୍ଧର ଦୁଇ ଚକ୍ଷୁରୁ ଝର ଝର ହେଇ ଲୁହ ଝରିପଡ଼ିଲା । ସେହି ଲୁହହିଁ ତାକୁ ପ୍ରମାଣ ଦେଇ କହିଥିଲା–‘ହଁ, ତୁ ଜିବୀତ ଅଛୁ ।’

 

ରାଜାଙ୍କର ଗୋଟିଏ ବୀଣାର ପ୍ରୟୋଜନ ପଡ଼ିଲା । ସେ ସ୍ଥିର କଲେ ରାଜ୍ୟର ସର୍ବୋତ୍କୃଷ୍ଟ ବୀଣା ସେ କ୍ରୟ କରିବେ । ସ୍ୱର୍ଗତା ରାଣୀଙ୍କର ସମାଧି ମନ୍ଦିରରେ ସେ ବୀଣା ପ୍ରତିଦିନ ସନ୍ଧ୍ୟାରେ ବାଜିବ । ରାଣୀଙ୍କର ଅନ୍ତିମ କାମନା ତାହାହିଁ ଥିଲା ।

 

ବଣିକମାନେ ଦେଶ ଦେଶ ବୁଲି ଅନୁସନ୍ଧାନ କଲେ । ମାତ୍ର ଉତ୍କୃଷ୍ଟ ବୀଣା ଦୁଷ୍ପ୍ରାପ୍ୟ ହେଲା । ଅବଶେଷରେ ଲୋକ ମୁଖରୁ ବୃଦ୍ଧର ବୀଣା ବାଦନ ସମ୍ବନ୍ଧରେ ଭୁରି ଭୁରି ପ୍ରଶଂସା ଶୁଣି ସେହି କୂଟୀର ଦ୍ୱାରରେ ପ୍ରବେଶ କଲେ ।

 

ଅନ୍ଧକାର ରଜନୀରେ ବୃଦ୍ଧର ବୀଣା ଗମ୍ଭୀର ଓ ମନ୍ଥର ନାଦରେ ମନ୍ଦ୍ରିତ ହେଉଥିଲା । ରାଜଦୂତ ବଣିକଗଣ ବୀଣା ଧ୍ୱନିରେ ମୁଗ୍‌ଧ ହୋଇଗଲେ ।

 

ବୃଦ୍ଧକୁ ପଚାରିଲେ–ବୃଦ୍ଧ, ଏ ବୀଣା ବିକ୍ରି କରିବ ?

 

ବୃଦ୍ଧ ପରିହାସ କରି କହିଲା–ବୀଣାର ମୂଲ କିଏ ଦେବ !

 

‘‘ନିଜେ ରାଜା ।’’

 

‘ଅସମ୍ଭବ ।’ ବୃଦ୍ଧ ନିଶ୍ଚିତ କଣ୍ଠରେ କହିଲା–

 

‘‘ଯଦି ରାଜାଙ୍କର ଆଜ୍ଞା ହୁଏ !’’ ଦୂତମାନେ ପୁଣି ପ୍ରଶ୍ନ କଲେ ।

 

‘‘ତଥାପି ଏ ବୀଣା ମୁଁ ଦେଇପାରିବି ନାହିଁ ।’’ ବୃଦ୍ଧ ଉତ୍ତର ଦେଲା ।

 

ରାଜା ନିଜେ ସମ୍ବାଦ ଦେଲେ–ବୃଦ୍ଧ ଏ ବୀଣା ଦାନ କର ।

 

ବୃଦ୍ଧର ସେଇ ଉତ୍ତର–ଅସମ୍ଭବ ।

 

ରାଜା ପ୍ରଲୋଭନ ଦେଲେ–ରାଜ୍ୟର ଏକ ଚତୁର୍ଥାଂଶ ପାଇବ, ବୀଣା ଦିଅ ।

 

ବୃଦ୍ଧର ତଥାପି ସେଇ ଉତ୍ତର–ଅସମ୍ଭବ ।

 

ରାଜଦୂତମାନେ ଭୟ ଦେଖାଇଲେ–ବୃଦ୍ଧ ! ରାଜା ଆଜ୍ଞା ଅନ୍ୟଥା ହୋଇନପାରେ ।

 

ବୃଦ୍ଧ ଉତ୍ତର ଦେଲା–ମନୁଷ୍ୟର ହୃଦୟ ମଧ୍ୟ ଅବାଧ୍ୟ ହୋଇନପାରେ ।

 

କିନ୍ତୁ କାର୍ଯ୍ୟକ୍ଷେତ୍ରରେ ରାଜା ଆଜ୍ଞାର ହିଁ ଜୟ ହେଲା । ରାଜଦୂତମାନେ ବଳପୂର୍ବକ ବୃଦ୍ଧର ଏକମାତ୍ର ସମ୍ବଳ ବୀଣାଟିକୁ ଅପହରଣ କରିନେଲେ ।

ବୃଦ୍ଧ ଦୁଃଖରେ ଶଯ୍ୟାଶାୟୀ ହେଇଗଲା । ତରୁଣଟି ତା’ ପାଖରେ ବସି ଶୁଶ୍ରୂଷା କରୁଥାଏ । ବୃଦ୍ଧ ବଡ଼ କଷ୍ଟରେ ଆରମ୍ଭ କଲା–ବତ୍ସ, ମୋର ଆଉ କିଛି ନାହିଁ ତୋତେ ଦେଇଯିବାକୁ-

ତରୁଣ ନୀରବ ରହିଲା ।

‘ଜାଣୁ ?’ ବୃଦ୍ଧ ଆରମ୍ଭ କଲା–ମୋ ପାଖରେ ଗୋଟିଏ ଅମୂଲ୍ୟ ରତ୍ନ ଥିଲା–ତୋରି ଯୋଗ୍ୟ–ଆଃ–କି ଦାରୁଣ, କି ନିଷ୍ଠୁର ସେ–ଏଇ ରଜା ଭଳି ଆଉ ଏକ ଅତ୍ୟାଚାରୀ ପଶୁ–ଦଇବ–ତାକୁ ନେଇଗଲା ।

‘ସେଦିନ ଜାଗର ପୁନେଇ–’

ବୃଦ୍ଧ ଆଖିରୁ ଝରଝର ହେଇ ଲୁହ ଝରିପଡ଼ିଲା । ତରୁଣ ସେଇ ଲୁହ ପୋଛି ଦଉଦଉ ବାରୁଥିଲା–ଓଃ–କି ତତଲା । ଯାହାପାଇଁ ଏ ଲୁହ ଏଡ଼େ ତତଲା ହେଇ ଜନ୍ମହେଇଛି ସେ କେଡ଼େ ଉତ୍ତେଜକ, ଉନ୍ମୋଦକ ହୋଇନଥିବ ।

‘ସେ ବୀଣା ବଜେଇବାକୁ ଭାରି ଭଲପାଏ । ସେଥିପାଇଁ ମୁଁ ତା’ ନାଁ ରଖିଥିଲି–ବୀଣା । ଏଇ ବୀଣା ଖଣ୍ଡି ତା’ର ଜୀଅନ୍ତା ସ୍ମୃତି ହେଇ ରହିଥିଲା ! ଆଃ–ସେ ବି ଗଲା–ଆଉ ଆପଣାର ବୋଲି କିଛି ନାହିଁ ଯୁବକ !’

 

ଉଭୟ କାନ୍ଦୁଥିଲେ–ବୃଦ୍ଧର ଶ୍ୱାସ ଉଠିଲା–ଊର୍ଦ୍ଧ୍ୱମୁଖରେ ।

 

ରାଜଦୂତମାନେ ଆସି କହିଲେ–ବୃଦ୍ଧ, ରାଜା ଆଜ୍ଞା ତମେ ସେ ବୀଣାର ବାଦନ କୌଶଳ ଶିଖାଇଦିଅ । ସେ ବୀଣା ତମ ଛଡ଼ା ସମସ୍ତଙ୍କ ହାତରେ ବେସୁରା ବାଜୁଛି ।

 

ରାଜା ଆଜ୍ଞା ଅନ୍ୟଥା ହେଲା । ମନୁଷ୍ୟର ହୃଦୟ ଅବାଧ୍ୟ ହୋଇପାରିଲା ନାହିଁ । ବୃଦ୍ଧର ହୃଦ୍‌ଯନ୍ତ୍ର ସ୍ଥକିତ ହୋଇଗଲା ।

 

ସେ ବୀଣା ବହୁଦିନ ଯାଏଁ ରାଣୀଙ୍କର ସମାଧି ମନ୍ଦିରରେ ସେମିତି ଅବହେଳିତ ହେଇ ଝୁଲୁଥିବାର ଦେଖା ଯାଇଥିଲା । ତାପରେ କେଉଁଦିନ କିପରି ସେଠୁ ଅପସାରିତ ହୋଇଗଲା ତା’ କେହି କହିପାରନ୍ତି ନାହିଁ ।

 

ଆଉ ସେ ତରୁଣ ! ଖଣ୍ଡିଏ ନାଉତୁମ୍ବି ଧରି ଏଇ ଗାଁ ବାଟରେ ଭଜନ ଗାଇ ବୁଲେ ।

☆☆☆

 

Unknown

ପୂଜାରିଣୀ

 

ଶଙ୍ଖ ବାଜିଉଠେ । ଘଣ୍ଟା ଘଡ଼ି ରବ ଉଛୁଳିପଡ଼େ । ହରିବୋଲ ଧ୍ୱନିରେ ନାଟ ମନ୍ଦିର ଫାଟି ଯାଉଥିଲା ପରି ଲାଗେ । ହୁଳୁହୁଳି ଶବ୍ଦ ପୂରିଯାଏ । ଆରତିରେ ମଦନ ଗୋପାଳଙ୍କର ମୁଖଶ୍ରୀ ଝଲସିଉଠେ ।

 

ଆରତି ବଢ଼ିଯାଏ । ଦେବତାଙ୍କ ପାଦତଳେ ସମସ୍ତେ ପ୍ରଣତି ଜଣାନ୍ତି । ସ୍ୱସ୍ତି ଜଳ ସିଞ୍ଚି ହୋଇଯାଏ । ବୈଷ୍ଣବ ଧୀରେ ଧୀରେ ଗୀତଗୋବିନ୍ଦ ଆବୃତ୍ତ କରେ–‘ପ୍ରଳୟ ପୟୋଧି ଜଳେ–’

 

ବୈଷ୍ଣବର କନ୍ୟା ପାଳି ଧରେ–ପ୍ରଳୟ ପୟୋଧି ଜଳେ ।

 

ଦଶ ଅବତାର ଶେଷ ହୋଇଯାଏ । ବୈଷ୍ଣବ ଗାଏ–‘ସୀତ କମଳା କୁଚ ମଣ୍ଡଳ ହେ ଧୃତକୁଣ୍ଡଳ ହେ । କନ୍ୟା ଧୀରେ ଧୀରେ ସେ ଗୀତର ତାଳରେ ଆଗକୁ ପାଦ ବଢ଼ାଏ । ନୂପୁରର ସିଞ୍ଜିନୀ ସଙ୍ଗୀତକୁ ମଧୁରତର କରିଦିଏ । ବାଳିକାର ନୃତ୍ୟଭଙ୍ଗୀରେ କବିଙ୍କର ଭାବ ଜୀବନ୍ୟାସ ପାଇଯାଏ । ସମସ୍ତେ ତଟସ୍ଥ ହୋଇ ଚାହିଁ ରହନ୍ତି । ବୈଷ୍ଣବ କନ୍ୟା ‘ଜୟ ଜଗଦୀଶ ହରେ’ କହି ଭୂମିରେ ଲୋଟିପଡ଼ୁଥାଏ ଯେମିତି ।

 

ବୈଷ୍ଣବର ପରିଚୟ କେହି ଜାଣନ୍ତି ନାହିଁ । କେତେବର୍ଷ ତଳେ ଅତି ଜୀର୍ଣ୍ଣଶୀର୍ଣ୍ଣ ଅବୟବ ଘେନି ଗୋଟିଏ ଲୋକ ଏଇ ଗ୍ରାମରେ ପହୁଞ୍ଚିଲା । ସଙ୍ଗରେ ଆଠ ନ’ବର୍ଷର ଗୋଟିଏ କୁମାରୀ କନ୍ୟା । ଲୋକଟି କେବଳ ‘ହରି ହରି’ ଭଜୁଥାଏ । ଖାଇବା ପିଇବା ପ୍ରତି ଦୃଷ୍ଟି ନାହିଁ । ଯିଏ ଯାହା ଦିଏ, ଖାଏ । ନହେଲେ ନାହିଁ । ଖାଇବାକୁ ମାଗେ ନାହିଁ, ମନେହୁଏ ତା’ର ଯେମିତି କଉଠି ବଡ଼ ଗୋଟାଏ ଭରସାର ସ୍ଥଳ ରହିଛି । ତା’ରି ବଳରେ ସେ ନାଚୁଚି, କୁଦୁଚି, ଖାଉଚି, ବୁଲୁଚି । ଗ୍ରାମବାସୀମାନେ ତା’ ପାଇଁ ଖଣ୍ଡେ କୁଡ଼ିଆ ବାନ୍ଧିଦେଲେ । ଗଲା ପାଞ୍ଚବର୍ଷ ହେବ ସେଇ କୁଡ଼ିଆଟି ତା’ର କ୍ଷୀଣ ରୁଗ୍‌ଣ ଶରୀରକୁ ଆଶ୍ରୟ ଦେଇଚି । ଗଲା ପାଞ୍ଚବର୍ଷ ହେବ ସେଇ ଜୀର୍ଣ୍ଣ କାୟାର ଶୀର୍ଣ୍ଣ କଣ୍ଠ ମଧ୍ୟରୁ ଅମୃତମୟ ସଙ୍ଗୀତ ଭାସିଆସି ପ୍ରତିଦିନ ସନ୍ଧ୍ୟାରେ ଲୋକଙ୍କୁ ମୁଗ୍‌ଧ କରୁଛି ।

 

ବୈଷ୍ଣବର ଇତିବୃତ୍ତ ମଧ୍ୟ କେହି ଜାଣନ୍ତି ନାହିଁ । ବୈଷ୍ଣବର କନ୍ୟା କହେ, ତାଙ୍କର ଘର ଥିଲା; ସେ ଘର କୁଆଡ଼େ ଉଡ଼ିଗଲା ସେ କହିପାରିବ ନାହିଁ । ତା’ ଗାଁନା ତା’ର ମନେ ନାହିଁ । ମନେଥିଲା । ଯେତେବେଳେ ତା’ର ମନେଥିଲା ସେତେବେଳେ କେହି ପଚାରି ନାହାନ୍ତି । ଆଜି ସେ ଭୁଲିଗଲାଣି । କିନ୍ତୁ ସେ ଗାଁ ଉଭେଇ ଗଲାପରି ଏକାରାତିକେ କୁଆଡ଼େ ପଳେଇଲା ସେ କହିପାରିବ ନାହିଁ । ସକାଳୁ ସେ ଦେଖିଲା ବାଟ ମଝିରେ ସେ ଆଉ ତା’ ବାପ । ଗାଁଟା କୁଆଡ଼େ ପଳେଇଚି । ସେ ଗାଁକୁ ଖୋଜିଲା । ଆଉ ପାଇଲା ନାହିଁ । ତାପରେ କେତେ ଗାଁ ଦେଖିଛି, କେତେ ଗାଁରେ ରହିଚି । କିନ୍ତୁ ତା’ ଗାଁ ପରି ଗାଁ ତା’ ଆଖିକି କେହି ଦିଶିଲା ନାହିଁ ।

 

ଆଉ ତା’ ମା’ !

 

ହଁ ତା’ ମା’ ବି । ସେଇ ଗାଁ ସାଙ୍ଗରେ କୁଆଡ଼େ ପଳେଇଚି । ସେ ଘରେ ସେ ଏକୁଟିଆ ଥିଲା । ସେ ଡାକିଲା ମା’କୁ । ମା’ ଶୁଣିଲା ନାହିଁ । ବାପ କହିଲା ମାମୁଁ ଘରକୁ ଯାଇଛି । ସେ ବି ମାମୁଁ ଘରକୁ ଯିବ ବୋଲି କାନ୍ଦିଲା । କିନ୍ତୁ କାହିଁ ତା’ ମାମୁଁଘର ।

 

ବୈଷ୍ଣବକୁ ପଚାରିଲେ ସେ କେବଳ ଉପରକୁ ହାତ ଠାରିଦିଏ, ଧର୍ମ–ଧର୍ମ !

 

ସନ୍ଦେହ ହୁଏ, ବୈଷ୍ଣବର କ’ଣ ଏ ନିଜ ଝିଅ ! ଲୋକେ ପଚାରନ୍ତି–ବୈଷ୍ଣବ, ଏ କ’ଣ ତମର ନିଜ ଝିଅ ?

ବୈଷ୍ଣବ ହସେ । କହେ,– ‘ନା ।’ ଠାକୁରଙ୍କ ଆଡ଼କୁ ଆଖି ଢଳାଇଦେଇ ଦେଖେଇଦିଏ–‘ତା’ରି ।’

ବୈଷ୍ଣବ କନ୍ୟାକୁ ପଚାରିଲେ, ତୋ ବାପା କିଏ ? –ସେ ଉତ୍ତର ଦିଏ–ମୋ ବାପା ତମେ–ମୋ ବାପା ସମସ୍ତେ ।

ସମସ୍ତେ ହସନ୍ତି । କନ୍ୟା ଗମ୍ଭୀର ହେଇଯାଏ । କଇଁ ଫୁଲର ସଜ ପାଖୁଡ଼ା ପରି ଧଳା ଧଳା ତରା ଆଖି ତା’ର ସରମରେ ଜର ଜର ହେଇଉଠେ । ଗୋଳା କଜଳର ବିନ୍ଦୁ ଦୁଇଟି ପରି ଡୋଳା ଯୋଡ଼ିକି ଢଳ ଢଳ ହେଉଥାଏ ତା’ରି ଭିତରେ ।

ବୈଷ୍ଣବ କନ୍ୟା ନାଚେ । ସମସ୍ତେ ଜାଣନ୍ତି ନାଚେ । କିନ୍ତୁ ସେ ଜାଣେ ସେ ପୂଜା କରୁଛି-। ବୈଷ୍ଣବ ମଧ୍ୟ ଜାଣେ, କନ୍ୟା ତା’ର ପୂଜାରିଣୀ । ସେ ନାଚିଲାବେଳେ ମନେହୁଏ ତା’ର ପିତୁଳା ପରି ଦେହର ପ୍ରତି ଅଙ୍ଗ ଯେପରି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ନର୍ତ୍ତକ ।

ଆରତି ଶେଷ ହୁଏ । ପ୍ରତିଦିନ ଆରତି ଶେଷରେ ନାଚେ ।

ପ୍ରତିଦିନ ବହୁ ଲୋକ ଆସନ୍ତି । ବୈଷ୍ଣବର ଗୀତ ଗୋବିନ୍ଦ ଶୁଣିବାପାଇଁ, ଆଉ ବୈଷ୍ଣବ ବାଳିକାର ନାଚ ଦେଖିବା ପାଇଁ । ବୈଷ୍ଣବର ଗୋଟିଏ ପାଖରେ ଗୋଟିଏ କ୍ଷୁଦ୍ର ଥାଳ ଥୁଆ ହୋଇଥାଏ । ଯାହାର ଯାହା ଇଚ୍ଛାହୁଏ ସେଇଥିରେ ଦେଇଯାଏ । ବୈଷ୍ଣବର ସେଇ ଜୀବିକା ।

 

ଦିନେ ନୃତ୍ୟ ଶେଷରେ ବୈଷ୍ଣବ ଦେଖିଲା ଗୋଟିଏ ସୁବର୍ଣ୍ଣ ମୁଦ୍ରିକା । ସେଦିନ ବୈଷ୍ଣବର ମନରେ ସନ୍ଦେହର ରେଖାପାତ୍‌ ମଧ୍ୟ ହୋଇନଥିଲା । ପ୍ରଭୁଙ୍କର କୃପା ବୋଲି କହି ବୈଷ୍ଣବ କନ୍ୟାର ଅଙ୍ଗୁଳିରେ ପିନ୍ଧାଇ ଦେଇଥିଲା । ମନେମନେ ଭାବିଲା ପ୍ରଭୋ, ଏ କନ୍ୟା ତୋତେଇ ଦାନ କଲି ।

 

ତହିଁ ଆରଦିନ ପୁଣି ସ୍ୱର୍ଣ୍ଣମୁଦ୍ରା । ଦିନେ ନୁହେଁ, ଦୁଇଦିନ ନୁହେଁ, ପ୍ରତିଦିନ । ବୈଷ୍ଣବ ଆଶ୍ଚର୍ଯ୍ୟ ହୋଇଗଲା । ଆର୍ତ୍ତ ସ୍ୱରରେ ବୈଷ୍ଣବ ପ୍ରାର୍ଥନା କଲା–ପ୍ରଭୋ ଏ କି ପ୍ରଲୋଭନ–ତ୍ରାହି କର–ତ୍ରାହି କର !!

 

ପ୍ରଭୁ ଶୁଣିଲେ ନାହିଁ । ପ୍ରତିଦିନ ବୈଷ୍ଣବର ଥାଳରେ ସ୍ୱର୍ଣ୍ଣମୁଦ୍ରା ପଡ଼େ । କିଏ ଦିଏ କେତେବେଳେ ଦିଏ ବୈଷ୍ଣବ ଲକ୍ଷ କରିପାରେ ନାହିଁ । ପ୍ରତିଦିନ ବୈଷ୍ଣବ ନିଶ୍ଚୟ କରେ, ଆଜି ସେ ଲକ୍ଷ କରିବ । କିନ୍ତୁ ଗୀତ ଗୋବିନ୍ଦ ଗାଉଁ ଗାଉଁ ସେ ଆତ୍ମହରା ହେଇଯାଏ । ଭୁଲିଯାଏ ସ୍ୱର୍ଣ୍ଣମୁଦ୍ରା କଥା, ସେତିକି ବେଳେ ସମ୍ଭବତଃ ସ୍ୱର୍ଣ୍ଣମୁଦ୍ରା ପଡ଼େ ।

 

ବୈଷ୍ଣବ କନ୍ୟାକୁ ପଚାରିଲା–ସତ କହ, କିଏ ଏ ମୁଦ୍ରା ଦିଏ ।

 

ବାଳିକା କହେ–ମୁଁ ଜାଣେ ନାହିଁ ।

 

ବୈଷ୍ଣବ କୈତବ କ୍ରୋଧ ପ୍ରକାଶ କରି ଦିନେ କହିଲା–ସତ କହ ଏ ବିଷୟରେ ତୁ କ’ଣ ଜାଣୁ, ନହେଲେ ଚିରଦିନ ପାଇଁ ତୁ ମୋତେ ହରାଇବୁ । କହ, ଏ ମୁଦ୍ରାର ମୋହ ବେଶୀ ନା ମୋର ମୋହ ବେଶୀ ।

 

ବୈଷ୍ଣବ ବାଳିକା ଲୁଚାଇ ପାରିଲା ନାହିଁ, କହିଲା–ପିତା, ମୁଁ ସତ କହୁଛି, କାହାରି କି କେବେ ଦେବାର ଦେଖି ନାହିଁ । ତେବେ ମନେହେଉଛି ମଦନ ଗୋପାଳ ନିଜେ ଦିଅନ୍ତି !’’

 

‘‘ମଦନ ଗୋପାଳ ନିଜେ ଦିଅନ୍ତି !’’ ବୈଷ୍ଣବ ଚକିତ ହୋଇ ଚାହେଁ ।

 

ବାଳିକା ପୁଣି କହିଲା–‘‘ମୁଁ ଯେତେବେଳେ ନାଚି ନାଚି ଥକିପଡ଼େ, କିନ୍ତୁ ତମର ଗୀତ ବନ୍ଦ ହୁଏ ନାହିଁ; ମୋତେ ଭାରି କଷ୍ଟହୁଏ; ପାଦ ଅବଶ ହେଇ ଆସେ; କପାଳରୁ ଝାଳ ବହିଯାଏ; ମନେହୁଏ ମୁର୍ଚ୍ଛାହୋଇ ତଳେ ପଡ଼ିଯିବି; ସେତେବେଳେ ମୁଁ କାତର ହୋଇ ଡାକେ–ଗୋପାଳ ମୋତେ ରକ୍ଷାକର ! ନାଚ ବନ୍ଦ ହେଲେ କିମ୍ବା ତାଳ ଭାଙ୍ଗିଗଲେ ମହାପାପ ହେବ, ମୋତେ ପାପରୁ ତ୍ରାହି କର ! –ସେତେବେଳେ ମୋର ପ୍ରାୟ ଚେତନା ନଥାଏ; ସେଇ ଅଧ ଚେତନ ଅବସ୍ଥାରେ ମୋର ମନେହୁଏ ଗୋପାଳ ଉଠିଆସନ୍ତି ସିଂହାସନରୁ; ମୋ ମୁଣ୍ଡରେ ହାତ ଦେଇ ଚାଲିଯାନ୍ତି; ଚାଲିଯାନ୍ତି ନାହିଁ, ମନେହୁଏ ସଭାରେ ଯାଇ ଯେମିତି ବସନ୍ତି–’’

 

‘‘ତା’ପରେ ତା’ପରେ–’’

 

‘‘ତା’ପରେ ମୁଁ ସୁସ୍ଥ ହୋଇଉଠେ । ମନେହୁଏ ମୁଁ ଏଇ ନାଚ ଆରମ୍ଭ କରିଛି । ଦ୍ୱିଗୁଣ ଉତ୍ସାହରେ ମୁଁ ନାଚେ । ମୋ ପାଦ ଏତେ ଚଞ୍ଚଳ ହୋଇଉଠେ ଯେ ମୋ ଆୟତ୍ତରେ ରହେ ନାହିଁ । ତଥାପି କେବେ ବେତାଳ ହୁଏ ନାହିଁ ।’’

 

‘‘ମା’, ତୋ ଭଳି କନ୍ୟାପାଇ ମୁଁ ଧନ୍ୟହେଲି । ମୁଁ ଗୋପାଳଙ୍କୁ ସନ୍ଦେହ କରି କି ଅପରାଧ କରିଛି ! ହେ ପ୍ରଭୋ, ପତିତପାବନ, ତ୍ରାହି କର !’’

 

ପୁଣି ସନ୍ଧ୍ୟା ଆସେ । ପୁଣି ଆରତି ହୁଏ । ବୈଷ୍ଣବ ଗୀତଗୋବିନ୍ଦ ବୋଲେ ଆହୁରି ମନପ୍ରାଣ ଦେଇ । ବାଳିକା ନାଚେ ପ୍ରଭୁଙ୍କ ପଦରେ ଆହୁରି ଆଗ୍ରହରେ ନିଉଛାଳି ହେଲାପରି । ଲୋକେ କହନ୍ତି– ଏ ମର୍ତ୍ତ୍ୟର ମାନବୀ କେଭେନୁହେଁ ।

 

ଦିନକର କଥା । ବୃଦ୍ଧ ବିଭୋର ହେଇ ଗୀତଗୋବିନ୍ଦ ଗାଉଛି । ମନେହେଲା ଗୋପାଳ ଆସି ବାଳିକାର ଶିରରେ ହାତ ଦେଲେ । ବାଳିକା ଉନ୍ମତ୍ତ ହୋଇ ନାଚିଉଠିଲା । ମଦନ ଗୋପାଳ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଦରିଦ୍ର ବୈଷ୍ଣବର ଥାଳରେ ଦାନ କଲେ । ବୈଷ୍ଣବ ଆକୁଳ ହୋଇ ପ୍ରାର୍ଥନା କଲା– ପ୍ରଭୁ, ପ୍ରଭୁ, ଆଉ ପରୀକ୍ଷା କର ନାହିଁ ପ୍ରଭୁ ! ମୁଁ କେବେ ତମଠାରୁ ଅର୍ଥ ଆଶା କରି ନାହିଁ । ମୋତେ କାହିଁକି ଏ ବନ୍ଧନରେ ବାନ୍ଧୁଛ । ମୋ କୁଟୀରରେ ଏ ସ୍ୱର୍ଣ୍ଣମୁଦ୍ରା ରଖିବା ପାଇଁ ଯେ ଆଉ ସ୍ଥାନ ନାହିଁ । କିନ୍ତୁ ପ୍ରଭୁ ଶୁଣିଲେ ନାହିଁ । ସ୍ୱର୍ଣ୍ଣମୁଦ୍ରା ଦେଇ ମଦନ ଗୋପାଳ ତ୍ରିଭଙ୍ଗରେ ଠିଆହେଲେ-। ବଂଶୀ ବାଜିଉଠିଲା । ବୈଷ୍ଣବ ଗାଇଲା–

 

ନାମ ସମେତଂ କୃତ ସଂକେତଂ ବାଦୟତି ମୃଦୁ ରେଣୁମ୍‌

ବହୁମନୁ ତେତନୁ ତେତନୁ ସଂଗତ ପବନ ଚଳିତମପି ରେଣୁମ୍‌

 

ବାଳିକା ଆତ୍ମହରା ହୋଇ ନାଚିଉଠିଲା । ବୈଷ୍ଣବ ଭାବ ଏବଂ ରାଗରେ ମୁଗ୍‌ଧ ହୋଇ ଯାଇଥାଏ ।

 

ହଠାତ୍‌ ଏ କ’ଣ ହେଲା । ବଜ୍ରପାତ ହେଲା ପରି ବୈଷ୍ଣବର ଧ୍ୟାନ ଭଗ୍ନ ହେଇଗଲା । ଚମକିପଡ଼ି ବୈଷ୍ଣବ ଚାହିଁଲା–ନର୍ତ୍ତକୀର ସଦ ପ୍ରକ୍ଷେପ ସଙ୍ଗୀତର ସ୍ୱର ସହିତ ସମତାଳରେ ନାହିଁ । ଭୟରେ ବୈଷ୍ଣବର ଛାତି ଥରିଉଠିଲା । ତ୍ରାହି କର, ତ୍ରାହି କର ମଦନ ଗୋପାଳ !

 

କାହାନ୍ତି ମଦନ ଗୋପାଳ ! ମଦନ ଗୋପାଳଙ୍କ ପ୍ରତିମୂର୍ତ୍ତିକି ଚାହିଁ ଦେଖିଲା, ସେ ସେହି ଜଡ଼ ଅଚେତନ ମଦନ ଗୋପାଳ । କନ୍ୟାର ଦୃଷ୍ଟି ସେ ପାଷାଣ ପ୍ରତିମା ଉପରେ ନାହିଁ । କନ୍ୟାର ବନ୍ଦନା ସେ ମୂକ ନିର୍ବାକ ଦେବତାଙ୍କ ଅଭିମୁଖରେ ଗତି କରୁ ନାହିଁ । କନ୍ୟାର ପୂଜାପାଇଁ ସତେ ଯେମିତି ସେ ଜୀବନ୍ତ ଦେବତା ଜଡ଼ ପାଲଟି ଯାଉଛନ୍ତି ।

 

ଆଉ କନ୍ୟା !

 

ଶ୍ରେଷ୍ଠୀ ଯୁବା ନୃତ୍ୟ ଶେଷ ହେଲା ପୂର୍ବରୁ ସମ୍ଭବତଃ କାର୍ଯ୍ୟ ବ୍ୟସ୍ତ ଥାଇ ଆଜି ଅପ୍ରତ୍ୟାଶିତ ଭାବରେ ଚାଲି ଯାଉଥିଲା । କନ୍ୟାର ଦୃଷ୍ଟି ଦ୍ୱାର ଅଭିମୁଖରେ ।

 

ବନ୍ଦନା ଶେଷ ହେଲା । ନୃତ୍ୟ ସ୍ଥଗିତ ରହିଲା । ବୈଷ୍ଣବ କୁଟୀରକୁ ଯାଇଁ କେବଳ ମଦନ ଗୋପାଳ ମଦନ ଗୋପଳ ବୋଲି ରଡ଼ି ଛାଡ଼ି କାନ୍ଦିଲା ।

 

କନ୍ୟା ଡାକିଲା–ବାପା ବାପା, କାନ୍ଦୁଛ କାହିଁକି ?

 

ବୈଷ୍ଣବ କହିଲା– ଆଜି ମଦନ ଗୋପଳ ମନ୍ଦିର ଛାଡ଼ି ଚାଲିଗଲେ ।

 

ସେଇଦିନ ରାତିରେ । ବୈଷ୍ଣବର କନ୍ୟା ଶୋଇପଡ଼ିଛି । ବୈଷ୍ଣବ ସମସ୍ତ ସ୍ୱର୍ଣ୍ଣମୁଦ୍ରା ଏକତ୍ରିତ କରି କନ୍ୟାର ଉପାଧାନ ତଳେ ଧୀରେ ଧୀରେ ଥୋଇ କେଉଁଆଡ଼େ ଚାଲିଗଲା କେହି ଜାଣିଲେ ନାହିଁ ।

 

ବୈଷ୍ଣବର କନ୍ୟା ଓ ଶ୍ରେଷ୍ଠୀର ପୁତ୍ର ବିବାହର ଚତୁର୍ଥ ଦିବସରେ ମଦନ ଗୋପାଳଙ୍କୁ ଭେଟୀ ଦେବାକୁ ଆସିଥିଲେ । କନ୍ୟା ସେଦିନ ଠାକୁରଙ୍କୁ ପଚାରିଲା–ଠାକୁରେ ଏ କ’ଣ ତମରି ପୂଜା ନୁହେଁ ? ପତି କ’ଣ ନାରୀର ଜୀବନ୍ତ ଦେବ ବିଗ୍ରହ ନୁହେଁ ?

 

ମଦନ ମୋହନ ସେ ଆକୁଳ ପ୍ରଶ୍ନର କି ଉତ୍ତର ଦେଲେ କିଜାଣି !

 

ସେତିକିବେଳେ ଜଣେ କିଏ ଗାଇ ଆରମ୍ଭିଲା–

 

ଭାଙ୍ଗି ଯାଉ ମୋର ମନ ଅଟ୍ଟାଳିକା

ଝରିପଡ଼ୁ ଆଶା କୁସୁମ କଳିକା

ସଂସାରର ନାଟ ସାରିଦିଅ ମୋର ହାଟ କରି ଦିଅ ଶୂନ୍ୟ ହେ,

 

ଶ୍ରେଷ୍ଠୀ ବଧୂ ଚମକି ପଡ଼ି ଚାହିଁଲା–ଗାୟକ ତା’ର ବୃଦ୍ଧ ପିତା ନୁହେଁ ।

☆☆☆

 

ନିଛାଟ ରାତି

 

ନିଛାଟ ରାତି । ଏକୁଟିଆ । ଆଖି ବୁଜିଦିଏ । ଡାକେ, ଏ ଏକୁଟିଆ ଜୀବନର ନିରାଟ ସତ କଥାକୁ ଆଉ କେହି ଜଣେ ଆସି ମିଛ ପ୍ରମାଣ କରିଦେଇ ଯାଉ । ମଣିଷର ସ୍ୱଭାବ ସେ ସବୁବେଳେ ସତଟାକୁ ଘୋଡ଼େଇ ରଖେ । ରଜୁରେ ସେ ସାପର ଭୟ ଦେଖେ । ସାପକୁ ସେ ରଜୁ କରି ଖେଳାଏ । ଖୁଣ୍ଟା ବରଗଛକୁ ଭୂତ ବୋଲି ଡରେ । ମନ୍ତ୍ର ଫୁଙ୍କି ମଣିଷ ଦିହରୁ ଭୂତ ଛଡ଼ାଏ । ସେ ଲୁଗା ପିନ୍ଧେ–ପୋଷାକ ପରିଚ୍ଛଦ–ଖାଲି ତା’ର ନଗ୍ନ ସତ୍ୟଟାକୁ ଲୁଚାଇ ରଖିବା ପାଇଁ । ଏଇଟା ସଭ୍ୟତା–ଏଇଟା ଶିକ୍ଷା ଆଉ ତମେ ଆମେ ଯାହାକୁ ଆଦର୍ଶ ଭଲପାଇବା କହୁଚେ, ସେଇଟା ବି ଏଇମିତି ଗୋଟାଏ ନଗ୍ନତାର ଆବରଣ । ମୁଁ କ’ଣ ଭଲପାଇବା ଖୋଜୁଛି ଏଇ ନିରାଟ ସତ୍ୟଟାକୁ ଭୟ କରି–ଏଇ ନିରାଟ ରାତିକି ଡରିମରି ତା’ର ନିଛାଟିଆ ଭାଙ୍ଗିବାକୁ ଯାଉଛି ?

 

ଏ କଥା କହିଲେ ମତେ ଲୋକେ ହସିବେ । ମାଠାରୁ ସ୍ତ୍ରୀ ବଡ଼ ହେଇଯାଏ । ତଥାପି ମଣିଷ ତା’ ଆତ୍ମାର ଏଇ ସତ୍ୟକୁ ଢାଙ୍କି ରଖିବା ପାଇଁ ମା’କୁ ଚେଷ୍ଟା କରି ବଡ଼ ବୋଲି ଦେଖେଇହୁଏ । ଗାଏ–ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ–ଆକାଶହୁଁ ବଡ଼ ପିତା ମାତା ବଡ଼ ପୃଥିବୀ ଅପେକ୍ଷା । ସେ ମଣିଷଙ୍କୁ ତ କେହି ହସୁ ନାହିଁ–ମେତେ କାହିଁକି ହସିବେ ।

 

ମଣିଷର ଏଇ ଆତ୍ମ ପ୍ରତାରଣାର ଅର୍ଥ କ’ଣ ? ଏହି ଭଲପାଇବାର ଅର୍ଥ କ’ଣ ? କେହି କହିପାରିବ ? କେହି ଭାବିଚ ? ମୁଁ ବାଟ ପାଉ ନାହିଁ । ଏଇ ନିରନ୍ଧ୍ର ରଜନୀ ଭଳି ମୁଁ ନିଜେ ନିଜକୁ ଦେଖିପାରୁ ନାହିଁ । ବେଳେବେଳେ କଳ୍ପନା କରେ, ସେ ଆସି ବସିଛି, ମୋ ପାଖରେ । ଧୀରେ ଧୀରେ ତା’ ରେଶମୀ କେଶ ଘେନି ତା’ ମଥାଟି ମୋ’ କୋଳ ଉପରେ ଥୋଇଲା । ଖାଲି କଳ୍ପନା । କହୁଛି–ମଥାରେ ତା’ର ବ୍ୟଥା । ମୁଁ ତା’ର ଦେହକୁ ଛୁଇଁଥିଲି । ସେ ସିନା ଛୁଇଁଥିଲା; ମୁଁ ଛୁଇଁନଥିଲି । ଏଇ ଛୁଇଁଲି । ମଥାକୁ ଧୀରେ ଧୀରେ ଆଉଁସିଦେଲି । ଅବାଧ୍ୟ କେଶକୁ ଶାସନ କରୁଥିଲି । ମନେହେଲା ମୋର ଐକାନ୍ତିକ ବ୍ରତ ଭାଜିଗଲା କି ଆଉ ! ମୁଁ କାହିଁକି ଆଜି ଦୁଇଟା ଅନୁଭବ କରୁଛି ?

 

ପୁଣି ସେହି ନିଛାଟ ରାତିକି ଚାହେଁ । ସେ କହେ–ନା’ ତମେ ଦିହେଁ ଏକ । ସେ ମୋର ଦେହ ଛୁଇଁଛି ସତ କିନ୍ତୁ ସେ ରୋମାଞ୍ଚନ, ସେ ଅନୁଭୂତି ମୋର ନୁହେଁ, ତା’ର; ତା’ରି ଦିଆ ।

 

ମନେହୁଏ, ତା’ର ଅଧର ପାଖକୁ ଅଧର ନିଅନ୍ତି ! ଏକାନ୍ତରେ ଏକ ହେଇଯିବାର ଲାଳସାରେ । ନେବି ? ସତ୍ୟକୁ ସତ୍ୟ ରୂପରେ ପ୍ରକୃତ ରୂପରେ ଦେଖିବି ? –ଥରେ ଦେଖିବି ।

 

କିନ୍ତୁ ଅନୁମତି ମିଳେ ନାହିଁ । ଆପଣାର ମନ ଆପଣାର କଳ୍ପନା ଅବାଧ୍ୟ ହୁଏ । ସେଇଠି ପୁଣି ନିଜକୁ ଚାହିଁ ଦେଖେ–ଦୁଇ ହେଇଗଲା ।

 

ଭଲ ନପାଇବାଟା ତେବେ ଏକ । ଭଲପାଇବାଟା ଦୁଇ । ଆଉ ଭଲପାଇ ନିଜର ଭଲପାଇବା ବଦଳରେ ଅନ୍ୟ ଜଣକର ଭଲପାଇବାଟାକୁ ପାଇବା ଅର୍ଥ ପୁଣି ଏକ ହେଇଯିବା ।

 

ପୁଣି ସେଇ ପ୍ରଶ୍ନ–ସେ ମୋତେ ଭଲ ପାଇ ପାରିବ ! ପ୍ରକୃତ ଭଲ ପାଇ ପାରିବା ଦେଇ ପାରିବ ! ଯେଉଁ ଭଲପାଇବାରେ ଭଲପାଇବାର ଯାହା ନଗ୍ନରୂପ ତାହା ଏକାବେଳକେ ଢାଙ୍କି ହେଇପଡ଼ିବ । ତା’ର ଆଉ ଗୋଟାଏ ସତ୍ୟରୂପ ଅଛି ବୋଲି ଯିମିତି ଆଦୌ ବୁଝା ନପଡ଼େ ।

 

ତେବେ ଏଇ ଅସତ୍ୟ ଭଲ, ପାଇବାଟା ପୁଣ୍ୟ ନା ପାପ ! ଭିତରର ଲାଳସାକୁ ଘୋଡ଼ାଇ ରଖି ଉପରେ ତାକୁ ଏମିତି ଗୋଟେ ପୁଣ୍ୟରୂପ ଦେବା ନ୍ୟାୟ ନା ଅନ୍ୟାୟ ।

 

ପାଣି ଶକ୍ତ ହେଲେ ବରଫ ହୁଏ–ପାଣି ରହେନାହିଁ । ଭଲପାଇବା ସେମିତି ସବୁଦିନେ ଭଲପାଇବା ଛଡ଼ା ଆଉ କିଛି ହେଇନପାରେ । ସେ ପାପ ହେଇଥିଲେ ପାପ, ପୁଣ୍ୟ ହେଇଥିଲେ ପୁଣ୍ୟ । ଏତକ କୁହାଯାଇପାରେ ।

 

ଏଇ ନିଛାଟ ରାତି । ନିଜକୁ ନିଜେ ମୁଁ ଦେଖୁଛି–ପଚାରୁଛି– ।

 

ଏଇ ନିଛାଟ ରାତି–ସେଠି ସେ ଅଛି ମୋତେ ଦୁଇର ଅନୁଭୂତି ଦେବାପାଇଁ ।

 

ସେଇ ନିଛାଟ ରାତିରେ ଆମେ ଦିହେଁ ଛଡ଼ାଛଡ଼ି ହେଇଯିବୁ । ସେ ମୋତେ ଯିମିତି ଭାବରେ ପାଇବାକୁ ଆଶା କରୁଛି ମୁଁ ତା’ ଆଗରେ ଠିକ୍‌ ସେମିତି ହୋଇପାରୁନାହିଁ । ମୁଁ ତାକୁ ଯେମିତି ପାଇବାକୁ ଆଶା କରୁଛି ସେଟା ତା’ ପକ୍ଷରେ ଅନ୍ୟାୟ ଅଧର୍ମ ।

 

ମନେହୁଏ ସେ ମୋତେ ବୁଝେଇ କହୁଛି–ଧନ୍ୟରେ କଳ୍ପନା, ଏଇ ନିଛାଟ ରାତି ପରି ଗୋଟାଏ ନୁହେଁ–ଭଲପାଇବାର କେତେକଟା ନ୍ୟାୟ ଆଉ କେତେକଟା ଅନ୍ୟାୟ ।

 

କିନ୍ତୁ ମୁଁ ତା’ର ସୀମା ଠିକ୍‌ କରି ପାରୁନାହିଁ । ମୋର ସେଇଠି ହେଉଚି ଭୁଲ । ମୁଁ ସେଥିପାଇଁ ଧରିନେଉଛି, ଭଲପାଇବାଟା ଅନ୍ୟାୟ । ନିଛାଟ ରାତି ନିରାଟ । ତା’ର ସେଇ ନିଛାଟିଆ ନଭାଙ୍ଗିବା ଯାଏ ସେ ସେଇ ନିଛାଟ ହେଇ ରହିବ । ଭଲପାଇବା–ଅନ୍ୟାୟ ଭଲପାଇବା ଅନ୍ୟାୟ ଅଧର୍ମ ହେଇ ରହିଥିବ ।

 

ଏଇ ନିଛାଟ ରାତିକି ମୋତେ ଛାଡ଼ିଦେବାକୁ ହେବ ନାଁ–ନିଛାଟ ରାତି ମୋତେ ଛାଡ଼ି ଚାଲିଯିବ ! ମୁଁ ଏଇ ଛାତି ଉପରେ ତା’ର ଅତ୍ୟାଚାର ସହିବି । ସେଇ ମୋର ଭାଗ୍ୟ ।

 

ଖାଲି ଗୋଟିଏ କଥା ଭାବୁଛି । ରାତି ଯାଉଚି–ସମସ୍ତେ ଯାଉଛନ୍ତି । ନ୍ୟାୟ ହେଉ ଅନ୍ୟାୟ ହେଉ ସେହି ବୋଝକୁ ତ ସମସ୍ତେ ଭାର କରି ବହି ନେଉଛନ୍ତି ।

 

ସମସ୍ତେ ଚାଳିଗଲେ । ମୁଁ ରହିଗଲି ଏକୁଟିଆ । ପାପକୁ ଡରି ମୁଁ ଗଲି ନାହିଁ । ପାପ ମୋତେ ଏକୁଟିଆ ପାଇ ଆଜି ମାଡ଼ି ବସୁଛି । ମୁଁ କ’ଣ କରିବି ? ମୁଁ ବୁଡ଼ିଗଲି–ଭାସିଗଲି । ମୋ ପ୍ରତି କାହାରି ହେଲେ ଦୟା ନାହିଁ । ମୋ ପାଇଁ କେହି ହେଲେ ସାହସ କରି ଅଧର୍ମ କରିବ ନାହିଁ ! ତାହେଲେ ମୋତେ କେହି ଭଲ ପାଇବ ନାହିଁ ।

 

ଆଉ ମୁଁ ? –ଏଇ ନିଛାଟ ରାତିରେ ମୁଁ କେବଳ ମୁଁ–ନିଛାଟ ।

 

କଳ୍ପନା ଲିଭିଗଲା ।

 

ତା’ପରେ

 

ସମସ୍ତଙ୍କ ଜୀବନରେ ଘଟେ ଘଟୁଛି ଓ ଘଟିବ । ମୋର ଆଉ ନୂଆ କଥା କ’ଣ ! ଯେ ନମାନେ ସେ ମିଛ କଥା କହେ ।

 

ଯୌବନର ପ୍ରଥମ ଝଲସରେ ମଣିଷ ଯେତେବେଳେ ଗୋଟାଏ ଅଭୂତପୂର୍ବ ଚେତନା ପାଏ ସେତେବେଳେ ସେ ଚାହେଁ, ଦୁନିଆଟା ଯାକର ସବୁ ସୌନ୍ଦର୍ଯ୍ୟକୁ ଚିପୁଡ଼ି ତା’ର ରସଟାକୁ ମତୁଆଲା ହେଇ ପିଇଯିବାପାଇଁ । ରସାଳ ପଦାର୍ଥକୁ ସେ ଗିଳିଦେବାକୁ ଭୟ କରେ ନାହିଁ । ପଣସ ପରି ଯେତେ କଣ୍ଟା ଥାଉ, ନଡ଼ିଆ ପରି ଯେତେ ଟାଣ ଥାଉ, ସେ ଅଡ଼ୁଆ ଅସୁବିଧାତକ ତାକୁ ବରଂ ଭଲ ଲାଗେ । କିନ୍ତୁ ଏ ଉତ୍ସାହଟା ସବୁଦିନେ ରହିପାରେ ନାହିଁ ।

 

କମଳାକୁ ଦେଖି ମୁଁ ଭଲପାଇଲି । ତମେ କହ ତାକୁ ଭଲପାଇବା । ମୁଁ ବି ସେଦିନ ତମରି ଭାଷାରେ ତାକୁ ଭଲପାଇବା ବୋଲି କହିଥିଲି । କିନ୍ତୁ ଆଜି ମୋର ମନହଉଚି ତା’ର ଆଉ ଗୋଟାଏ କିଛି ନାମ ଦେବାକୁ । ସେ ଭାଷାଟା ଖୋଜି ପାଉନାହିଁ । ପାଗଳାମି ନୁହେଁ । ତେବେ ପାଗଳାମି ବୋଲି କହିଥାଏ ।

 

ସେ କିମିତିକା ପାଗଳାମି ଜାଣନ୍ତି । କମଳା ବାହା ହେଇ ଯାଉଥିବା ଦିନ ଯେଉଁ ପାଗଳାମି ମୁଣ୍ଡରେ ପୂରେଇ ମୁଁ ବିଷ ଖାଇଦେବାକୁ ଯାଉଥିଲି, ସେ କାଳର ଭଲପାଇବାଟା ସେଇମିତିକା ଧରଣର ଗୋଟେ ପାଗଳାମି । ଯେତେବେଳେ ସେ ଧରେ, ଗୋଟି ପୁଣି ଭୂତ ମାଡ଼ିବସିଲା ପରି ମାଡ଼ି ବସେ । କିନ୍ତୁ ସେ ବେଶି ବେଳ ରହେ ନାହିଁ । ଛାଡ଼ିଯାଏ । ଛାତି ଭିତରୁ ସବୁ ଅଳିଆ ଅସନାତକ ଲିପି ପୋଛି ମନ ତା’ର ନିର୍ମଳ ନିରୋଳ ହେଇ ବସିଥାଏ । କିଛି ନଜାଣିଲା ପରି ।

 

ମୁଁ କୁନ୍ତଳାକୁ ବାହାହବାଦିନ ମୋର ସେ ସବୁ କିଛି ମନେ ନଥିଲା । କୁନ୍ତଳାକୁ ମୁଁ ବହା ହେଇଥିଲି ଆଖିରେ ଅନ୍ଧପୁଟୁଳି ବାନ୍ଧି ପ୍ରେମ କରି ନୁହେଁ । ବାହା ହେବାପାଇଁ ବାହା ହେଲି । ସମସ୍ତେ ବାହା ହେଉଛନ୍ତି ବୋଲି ବାହା ହେଲି । ବରଂ ବାପ ମା’ ବାହା କରେଇଦେଲେ ବୋଲି ବାହା ହେଲି । ବାହା ହେଇ ଭଲପାଇବାକୁ ହେବ କିମ୍ବା ବାହାଘରେ ପ୍ରେମ ନାଟକର ଶେଷ ପଦକ୍ଷେପ ହେବ, ଏ ସବୁକଥା ଭାବିନଥିଲି ।

 

କୁନ୍ତଳା ସୁନ୍ଦର ଥିଲା କି ଅସୁନ୍ଦର ଥିଲା ମୋତେ ପଚାରିଲେ ମୋ କଥା ଖାଣ୍ଟି ସତ ହେଇପାରିବ ନାହିଁ । ପୁଣି କେତେ ଲୋକ କେତେ ପ୍ରକାର କହନ୍ତି । କାହାରି ଜଣକ କଥାକୁ ସତ ବୋଲି ଧରିଲେ ଆଉ ଜଣକ କଥା ମିଛ ହେଇଯାଏ । ତେବେ ତା’ ଦିହରେ ଯାହା ସୁନ୍ଦର ବୋଲି ଭିନ୍ନଭିନ୍ନ ଲୋକେ ଭିନ୍ନଭିନ୍ନ ପ୍ରକାର କହିଥାନ୍ତି ସେ ସବୁକୁ ଗୋଟେଇଦେଲେ ସେ ଗୋଟିଏ ତିଳୋତ୍ତମା–କେଉଁଠି ବାଛିବାକୁ ନାହିଁ । ପୁଣି ସେଇ ଲୋକେ ତା’ର ଯଉଁ ଯଉଁ ଅଂଶକୁ ବାଛିଥାଆନ୍ତି ତାକୁ ଯୋଗ କରି ଦେଖିଲେ ଯୋଗଫଳ ଅନୁସାରେ ସେ ତାଡ଼କା ଅସୁରୀର ବଡ଼ ଭଉଣୀ । ତେଣୁ ତା’ର ରୂପ ଗୁଣ ବିଷୟରେ କିଛି ନ କହିବାଇ ଭଲ । କିନ୍ତୁ ସେ ଭଲ ହେଉ ମନ୍ଦ ହେଉ ଯାହା ହେଉ ମୋତେ ବେଶ୍ ଆରେଇଗଲା । ମୁଁ ଏକପ୍ରକାର ବାନ୍ଧି ହେଇ ପଡ଼ିଥିଲି ତା’ ଦେହରେ । ଗୋଟାଏ ଜିନିଷ ଭଲ ହଉ ମନ୍ଦ ହଉ ଆପଣାର ବୋଲି ମନେହେବା ପରଠୁଁ ମଣିଷ ଆଖି ଇମିତି ଅନ୍ଧ ହେଇଯାଏ ସ୍ୱାର୍ଥରେ ସେ ଆଉ ଭଲ ମନ୍ଦ ବିଚାର କରି ବସିବାକୁ ଖିଅ ପାଏ ନାହିଁ । ପ୍ରଥମେ ପ୍ରଥମେ ବୋଧହୁଏ ତୁଳନା କରେ । କଷ୍ଟ ବି ପାଏ ମନରେ । ମନର ଅବଶେଷରେ । କିନ୍ତୁ ସେଟା କ୍ଷଣସ୍ଥାୟୀ । ମଣିଷ ଆପଣାର ନାକଟା ଆଖିଟା ଅସୁନ୍ଦର ହେଲେ ଯିମିତି ଅନ୍ୟ ଲୋକର ସୁନ୍ଦର ଆଖି ନାକ ଦେଖି ନିଜ ଆଖି ନାକକୁ କାଟି ଫିଙ୍ଗିଦେଇ ପାରେ ନାହିଁ ସେମିତି ଗୋଟାଏ ଆପଣାର ଭାବ ସାଙ୍ଗରେ ଟିକିଏ ଟିକିଏ ନିରୁପାୟ ଭାବ ବି ଆସେ ।

 

କୁନ୍ତଳା ସାଙ୍ଗରେ ମୋର ଦିନଗୁଡ଼ାକ ବେଶ୍ କଟି ଯାଉଥିଲା । ମୋର ଦିନକ ପାଇଁ ମନରେ ଏ ଚିନ୍ତା ଆସିବାର ତର ନଥିଲା ଯେ ମୁଁ ଅନ୍ୟ କୌଣସି ସ୍ତ୍ରୀ ପାଇଥିଲେ ଅଧିକ ସୁଖୀ ହେଇଥାନ୍ତି । କିନ୍ତୁ ମୋର ଡରହେଲା ଆଉ ଗୋଟାଏ ଦିଗରୁ । ମନେହେଉଥିଲା ବିଭାଘରର ପ୍ରଥମ କେଇଦିନର ଯଉଁ ନିଶା ସେ କ୍ରମେ କ୍ରମେ ଛାଡ଼ିଆସୁଛି ।

 

ଲଳିତାକୁ ମୁଁ ପ୍ରଥମ ଯେଉଁଦିନ ଦେଖିଲି ସେଦିନ ମୋର ଯାହା ହେଲା ତାକୁ ଦୟା ବୋଲି କୁହାଯାଇ ପାରେ । ଦୟାର ପରିଣତି ଯାହା ହେଲା ସେଟାକୁ ମୁଁ କ’ଣ କହିବି ? କିନ୍ତୁ ଦୟାରୁ ପ୍ରେମ ଆସେ ନାହିଁ ଏକଥା ମୁଁ ନିଶ୍ଚୟ କହିବି । ଅନେକ ସମୟରେ ପ୍ରେମଟା ଦୟାର ଛଦ୍ମବେଶ ଧରି ଆସେ । ମଣିଷ ଯଉଁ ଦୁର୍ବଳ ମୁହୂର୍ତ୍ତରେ ଯାହା ନିକଟରେ ଅଛି ତାକୁ ଛାଡ଼ି ଯାହା ନାହିଁ, ଯାହା ନିଜର ନୁହେଁ ତା’ ଆଡ଼କୁ ଆଖିପକାଏ ସେତିକିବେଳେ ପ୍ରେମ ବା ପାଇବାର ଲାଳସା ତା’ର ନିଜର ରୂପ ଦେଖାଏ । ମୋର ସେଇୟା ହେଲା ।

 

ଲଳିତା ବିଧବା । ବାଳ ବିଧବା ହେଇଥାଇପାରେ । କିନ୍ତୁ ସେ କଥା ମୁଁ ତାକୁ କେବେହେଲେ ପଚାରି ନାହିଁ । ହୃଦୟ ଯେଉଁଠି ପୂର୍ଣ୍ଣ ଥାଏ ସେଇଠି ପ୍ରଶ୍ନଇ ଉଠେ ନାହିଁ । ଲଳିତାର ଚାଲିଚଳନ କଥାବାର୍ତ୍ତା ସ୍ୱଭାବ ଚରିତ୍ର ମୋତେ ଗୋଟିମତେ ବୁଡ଼ାଇ ପକାଇଥିଲା ଯେମିତି ।

 

ଆଗରେ ପଥର ବାଡ଼ ଆକାଶ ଉଞ୍ଚର–ଲୋକ ନିନ୍ଦା । ସେଇଟା ଲାଗିଲା ଖେଳଘର ପରି । ଘରର ସୁଖଶଯ୍ୟା ଛାଡ଼ି ପଡ଼ିଲି ଟାଟା କମ୍ପାନୀର କାରଖାନା ଭିତରେ–ହାଡ଼ଭଙ୍ଗା ଖଟଣି ଖଟିବାକୁ । ପହିଲୁ କେତେଦିନ ବଡ଼ ଭଲ ଲାଗିଲା । ଲଳିତାର ବେଶ ସଜାଇବାରେ ଖରଚ କରିବା ଥିଲା ମୋର ସବୁଠୁଁ ବଡ଼ ଆନନ୍ଦ । ଲଳିତାର ସେ ବିଧବା ବେଶ ଲୁଚି ଯାଇଛି ଦେଖିଲେ ମୋ ମନଭିତରେ ବରଂ ଗୋଟାଏ ଗର୍ବ ହୁଏ ।

 

ସେତେବେଳେ ମୁଁ ଭାବିନଥିଲି ଯେ ହଠାତ୍ ଦୁଃସମୟ ଆସିବ । କଳ ଘରକୁ ପ୍ରତିଦିନ ଯାଏ । ଖଟିବା ସଉକରେ ନୁହେଁ । ଲଳିତାର ପ୍ରେମ ନିଶାରେ କହିଲେ ଚଳିବ । କିନ୍ତୁ କଳ ଯେ ପ୍ରତିଦିନ ମୋର ବଳ ବୟସ ଖାଇଯାଉଛି ଖୁବ୍ ଚାଣ୍ଡେ ଚାଣ୍ଡେ ସେ କଥା ମୁଁ ବୁଝିପାରିନଥିଲି । ଥରେ ଭୀଷଣ ବେମାର ପଡ଼ି ଘରେ ବସି ରହିଲି । ଟଙ୍କା ପଇସାର ବଡ଼ ଅଭାବ । ଲଳିତାକୁ ଦେଖି ମୋର ଭାରି କଷ୍ଟ ହେଲା । ପଇସା ନାହିଁ । ଖଟିବାକୁ ବଳ ନାହିଁ । ଲଳିତାକୁ ସାଙ୍ଗରେ ଆଣି ଠିକ୍ କରିଛି କି ନକରିଛି ସେ କଥା ଭାବୁ ନଥିଲି । ଭାବୁଥିଲି, ତାକୁ ସାଙ୍ଗରେ ରଖି ବୋଧହୁଏ ଠିକ୍ କରୁନାହିଁ । ଲଳିତାକୁ ଆଣିଥିଲି ମୁଁ କାହିଁକି ? ଲଳିତାକୁ ମୁଁ ଯଉଥିପାଇଁ ଆଣିଥିଲି ସେ ଯଦି ଆଜି ବି ମୋତେ ସେଇୟା ଦାବି କରେ ତା’ର ଅନ୍ୟାୟ ହେବ କି ! ମୁଁ ଲଳିତାକୁ ଦୋଷ ଦେବି କାହିଁକି ? ସେ ଯଦି ମୋର ଅବସ୍ଥା ସାଙ୍ଗରେ ଆପଣାକୁ ବ୍ୟବସ୍ଥିତ କରି ନପାରେ ତେବେ ତା’ର କି ଅପରାଧ-! ବରଂ ତାକୁ ପ୍ରଶଂସା କରିବି ଯେ ସେ ତଥାପି ମୋତେ ଛାଡ଼ି ଚାଲିଯାଇପାରେ ନାହିଁ ।

 

ସମସ୍ତେ ମୋର ପୌରୁଷକୁ ନିନ୍ଦା କରନ୍ତୁ ପଛେ ମୁଇଁ ତାକୁ ଛାଡ଼ିଗଲି–ସେ ମୋତେ ଛାଡ଼ିନଥିଲା । ମୋତେ ଏଡ଼େ ହୀନ ଅବସ୍ଥାରେ ତା’ ପାଖରେ ରହିବାକୁ ନିତାନ୍ତ ଅମର୍ଯ୍ୟାଦା ଅପମାନ ବୋଧ ହେଉଥିଲା । ମୁଁ ସେ ପରିସ୍ଥିତି ସହ୍ୟ କରିପାରୁ ନଥିଲି ।

 

ତା’ପରେ–

 

ଜାଣେ ନାହିଁ ଆଉ କେତେଦିନ ବଞ୍ଚିବି । କିନ୍ତୁ ବଞ୍ଚିବି । ଜୀବିକା ବି ଅର୍ଜନ କରୁଛି । ଏଇ ଗଛ ମୂଳରେ ବସି ବହୁ ଲୋକଙ୍କର ଭାଗ୍ୟ ରେଖା ଗଣେ । ଏଟା ଭଣ୍ଡାମି ହେଇପାରେ । କିନ୍ତୁ ଲୋକେ ସେକଥା ଜାଣିଶୁଣି ପଚାରନ୍ତି–‘ତା ପରେ–’

 

ସେଇ ‘ତାପରେ–’ ର ଉତ୍ତର ମୁଁ ପାଏ ନାହିଁ ।

 

କମଳାର ହାତ ଦେଖିଲି । ମୁଁ କହିଲି, ମନେପଡ଼େ ପିଲାଦିନର ଜଣେ ଖୁବ୍ ସାଙ୍ଗକୁ ତମର ।

 

ସେ କହିଲା–‘ନା–ତାପରେ–’

 

ମୋ ଛାତିରେ ବଡ଼ ଆଘାତ ଲାଗିଥିଲା ।

 

କୁନ୍ତଳା ଆସିଥିଲା । ଦାଢ଼ୀ ଭିତରେ ମୋତେ ଚିହ୍ନିବାର ଉପାୟ ନାହିଁ । ମୁଁ ତାକୁ କହିଲି, ସ୍ୱାମୀ ତୋର ତୋତେ ଛାଡ଼ି ଦେଇ ଚାଲି ଯାଇଛନ୍ତି । ସେ ଆଉ ଫେରିବେ ନାହିଁ ସେ କାନ୍ଦିଲା । ମୁଁ ନିଜର ଆଖିର ଲୁହକୁ ନିଜ ଭିତରେ ଢୋକି ନେଉଥିଲି । ମୋର ମନେହେଲା, କୁନ୍ତଳାର ସ୍ୱାମୀ ହେବାକୁ ମୁଁ ଅଯୋଗ୍ୟ । କୁନ୍ତଳା ଏକାକୀ ଫେରିଗଲା ।

 

ଶେଷରେ ଆସିଲା ଲଳିତା । ମୁଁ ତାକୁ କହିଲି– ‘ତମକୁ ଯେ ରାଣୀ କରି ରଖିଥିଲା ସେ ତମର ଦୁଃଖ ସହି ନପାରି ଚାଲିଯାଇଚି । କି ତ୍ୟାଗ ସେ ନକରିଛି ତମ ପାଇଁ ?’

 

‘‘ମୁଁ କ’ଣ ତା’ ପାଇଁ କିଛି ତ୍ୟାଗ କରିନାହିଁ ?’’ ସେ ଉତ୍ତର ଦେଲା ।

 

ତାପରେ– ?

☆☆☆

 

ଅନ୍ଧ

 

ଅନ୍ଧଟିଏ । ତା’ର ଆଉ କେହି ନାହିଁ । ଏଡ଼ିକି ବକଟେନାକୁ ଛୁଆ । ସେଇ ଏକା ତା’ର ସାହା । ବାଡ଼ି ଖଣ୍ଡେ ଧରି ସେଇ ଅନ୍ଧକୁ ବାଟ କଢ଼େଇ ନେଇଯାଏ । ଅନ୍ଧ ଗୀତ ଗାଏ, ଭିକ ମାଗେ । ଝିଅଟି ତା’ର ଝୁଲି ପତାଇଦିଏ । ସଞ୍ଜ ବେଳକୁ ଦୁହେଁ ଫେରିଆସନ୍ତି ଖଣ୍ଡିଏ ଭଙ୍ଗା ପଲା ତଳକୁ ।

 

ଅନ୍ଧ ଭାତ ରାନ୍ଧି ବସେ । ଝିଅ ଦିଏ ଚୁଲିକି ଜାଳ ପେଲି । ଅନ୍ଧ କଥା କହେ, ସେ ହଁ ଭରେ । ବେଳେବେଳେ ଛୁଆଟା ଢୁଳେଇପଡ଼େ । ଅନ୍ଧ ଡାକେ ଝିଅ ! ଝିଅ ଚମକିପଡ଼େ ।

 

ପାଣି ଆଣି ଯାଇ ଝିଅ ଦିନେ କେତେ ଡେରି କରିଦିଏ । ଅନ୍ଧ ରାଗିଯାଏ । ଗାଳିଦିଏ–ହଁ ଲୋ ତୁ ମୋତେ ଡରିବୁ କିଆଁ । ଅନ୍ଧ ବାପୁଟାଏ ତ ! ଭାବୁଥିବୁ, ଏ ମଲେ ମୁଁ ନିଶ୍ଚିନ୍ତ । ଝିଅଟିର ଆଖିରେ ଲୁହ ଭରିଯାଏ । ବେଳେବେଳେ ବାପର ଭର୍ତ୍ସନା ସହ୍ୟ କରି ନ ପାରି କାନ୍ଦେ । ଅନ୍ଧ ସେ କାନ୍ଦଣା ଦେଖିପାରେ ନାହିଁ । ସେ ଲୁହକୁ ପୋଛିପାରେ ନାହିଁ ।

 

ଝିଅଟି ଗୋଟିପଣେ ତା’ର । ଏ ଦୁନିଆର ରାସ୍ତା, ଘାଟ, ଘର, ଦ୍ୱାର ନାଟ ତାମସା, ବାଜି ଖେଳ କାହାରି ଅଧିକାର ନାହିଁ ଝିଅଉପରେ । ଝିଅ ପାଖରେ ବସିଥିଲେ ତା’ର ମନେହୁଏ, ଦୁନିଆ ଅଛି, ଦୁନିଆବାସୀ ମଣିଷ ଭିତରେ ଦୟା ଅଛି, ଭଗବାନ ଅଛନ୍ତି । କିନ୍ତୁ ରାସ୍ତା ମଝିରେ ଥରେ ଥରେ ଅନ୍ଧକୁ ବସେଇ ଦେଇ ଅନ୍ଧ ଝିଅ ଯେତେବେଳେ ଆପଣାର ସ୍ୱତନ୍ତ୍ର ସତ୍ତାକୁ ଅନୁଭବ କରିବାପାଇଁ ଅଳପ ଦୂରକୁ ଯାଇଁ ବୁଲି ବୁଲି ଦେଖୁଥାଏ, ସେତେବେଳେ ଅନ୍ଧ ମନେକରେ ଦୁନିଆଟା ଅନ୍ଧ, ଦୁନିଆଟା ନିଷ୍ଠୁର, ଦୁନିଆରେ ମାୟା ନାହିଁ, ଦୁନିଆଯାକ ମଣିଷର ହୃଦୟ ନାହିଁ–ଭଗବାନ ନାହାନ୍ତି । ଝିଅକୁ ସେ ଗାଳିଦିଏ । କିନ୍ତୁ ପାଖରେ କିଛି ସମୟ ପାଇଲେ ସବୁ ରାଗ ଭୁଲି ହେଇଯାଏ । ଦୁଃଖ କରେ–କାହିଁକି ରାଗିଲି ।

 

ଅନ୍ଧ ଥରେ ବେମାର ପଡ଼ିଲା, ଭାରି ବେରାମ୍ । ଆଉ ଭିକ ମାଗି ଯାଇପାରେ ନାହିଁ । ଝିଅକୁ ଛାଡ଼ିଦିଏ ଭିକ ଗଣ୍ଡାଏ ଆଣିବାପାଇଁ । ଛିଡ଼ା ମଶିଣା ଖଣ୍ଡକ ଉପରେ ପଡ଼ି ଅନେଇଥାଏ ତା’ ବାଟକୁ । ଭାବେ, ଆସିଲେ ସେ କଥା କହିବ ତା’ ଆଗରେ । କିନ୍ତୁ ଝିଅ ଯେତେବେଳେ ଫେରେ ସେ ଦେଖେ ଯେ ତା’ର କହିବାକୁ କିଛି ନାହିଁ । ଓଲଟି ଝିଅଟି ଗୁଲୁରୁ ଗୁଲୁରୁ ହେଇ ତା’ର ସେଦିନିକାର ଅଭିଜ୍ଞତା କହେ । କଉ ବାବୁ ମାଇଲା, କିଏ ଗାଳିଦେଲା, କା ମାଇପ କାମୁଡ଼ି ଗୋଡ଼େଇ ଆଣିଲା ଆଉ କିଏ ପଇସାଟିଏ ମାଗିଲାରୁ ଅଣିଟିଏ ଦେଲା, ଗୋଟି ଗୋଟି କରି ବାପ ଆଗରେ କହେ । ବାପ ଶୁଣେ । ମନେହୁଏ ଗୋଟାଏ ଦୁନିଆର ଇତିହାସ ଏ ।

 

କିନ୍ତୁ ଝିଅ ଆଉ କେତେ ମାଗିବ । ଦୁଇଜଣ ଜଣକ ମାଗି ଅଣାରେ କେତେଦିନ ଚଳିବେ । ବାପର ସାଗୁ ବାଲି କିଣି ଆଣି ସାରି ଦେଖେ ଯେ ତା’ର ଖାଇବାକୁ ନାହିଁ । କ୍ରମେ କ୍ରମେ ସେ ଭାଙ୍ଗି ପଡ଼ିଲା । ଭୋକରେ ଦିନେ ଦିନେ ତା’ର ପେଟ ଆଉଟି ହେଉଥାଏ, ସେଇଥିରେ ସେ ଯାଏ ଭିକ ମାଗି । ବଡ଼ କଷ୍ଟ । ସେ ଆଉ ସହିପାରେ ନାହିଁ ।

 

ଦିନେ ଭାରି ଭୋକ ଲାଗୁଥିଲା । ଦୁର୍ବଳ ଗୋଡ଼ ଆଉ ଚାଲିପାରୁନଥିଲା । ସେ ନଥ କରି ବସିପଡ଼ିଲା ରାସ୍ତାକଡ଼ରେ ।

 

ଲୋକଟିଏ ଆସି ପଚାରିଲା–ଆମ ଘରକୁ ଯିବୁ–ଖାଇବାକୁ ଦେବି । ସେ କିଛି ନ ବିଚାରି ସାଙ୍ଗେ ସାଙ୍ଗେ ଉଠିଲା । ଭୋକ ଆତୁରରେ ସେ ସବୁ ଭୁଲି ଯାଇଥିଲା–

 

ସେ କହେ–ମୁଁ ବାପା ପାଖକୁ ଯିବି ।

 

ଲୋକଟି କହେ–ସେଠିକି ଗଲେ ଉପାସରେ ମରିବୁ ।

 

ସେ କହେ–ମୋ ବାପା ।

 

ଲୋକଟି କହେ–ବାପ ବାପ ହବୁ ତ ତଣ୍ଟି ଚିପିଦେବି ।

 

ସେ ଏଣେ ବାପ ବାପ ହେଇ କାନ୍ଦୁଥିଲା । ଫିଟିକିରି ଯିବାର ଉପାୟ ନଥିଲା । ଆଉ ତା’ ବାପ ।

 

ସବୁଦିନ ପରି ଅନ୍ଧ ସେଦିନ ବି ଚାହିଁଲା–ଝିଅ ଆଉ ଫେରିଲା ନାହିଁ । ଦିନେ ଗଲା ଦୁଇଦିନ ଗଲା । ଝିଅର ଦେଖା ନାହିଁ । ଅନ୍ଧ ଘୁସୁରି ଘୁସୁରି ଯାଇ ରାସ୍ତାକଡ଼ରେ ବସି ଡାକିଲା–ବାବୁ ଗୋଟାଏ ପଇସା ।

 

ଡାକ ଦିଏ–ତେଣେ କାନପାରେ, ଝିଅ ପାଟି ଶୁଭିଲା କି ।

 

କିନ୍ତୁ ଶୁଭେ ନାହିଁ ।

 

ବର୍ଷା ଆସେ, ଝଡ଼ ଆସେ, ବିଜୁଳି ମାରେ, ଘଡ଼ଘଡ଼ି ଫାଟିପଡ଼େ, ଅନ୍ଧ କାନ୍ଦେ, ତା’ ଛାତି ଫାଟିଯାଉଛି ସତେ କି । ସାତଫାଙ୍କ ପଲା ଭିତରେ ପଡ଼ି ଅନ୍ଧ ଅନ୍ଧାରର ଅନ୍ଧାର ଭିତରେ କ’ଣ ଖୋଜେ, କାହାକୁ ଚିହ୍ନୁଥାଏ କିଜାଣି ।

 

ସେ ଏବେ ବି ବଞ୍ଚିଛି, ଖାଲି ଏଇ ଦୁଃଖର ଅନୁଭୂତି–ହୃଦୟର ପରାସଟିକୁ ଆଉ କାହାକୁ ଦେଇପାରୁ ନାହିଁ ବୋଲି ।

 

ଝିଅଟି ଭୁଲିଗଲା । ଯୌବନ ତାକୁ ଭୁଲେଇଦେଲା । କିନ୍ତୁ ଅନ୍ଧ ।

☆☆☆

 

ନିର୍ବାଣ

 

କେଉଁ ବିସ୍ମୃତ ଅତୀତର କଥା ।

 

ବୌଦ୍ଧ ଯୁଗ ।

 

ନିବିଡ଼ ଅରଣ୍ୟାନି ।

 

ଅଜାନୁ ଲମ୍ବିତ ବାହୁ । ଆକର୍ଣ୍ଣ ବିସ୍ତାରି ଭୂରୁ । ଆକଣ୍ଠ ଶୋଭିତ କର୍ଣ୍ଣ । ସୁଦୀର୍ଘ ଲଲାଟ-। ସୁଗୋଳ ମୁଖମଣ୍ଡଳ । ସୁକାନ୍ତ ସୁଗଠ ଅଙ୍ଗ ଯଷ୍ଠି । ଜଣେ ଆର୍ଯ୍ୟ ଯୁବକ । ଭିକ୍ଷୁ । ତପସ୍ୟାରତ ସାଧକ ।

 

ଉଷାଗମର ଅବ୍ୟବହିତ ପୂର୍ବରୁ, ତମସାବୃତ ରଜନୀର ବୁକୁ ବିଦାରଣ କରି ଯେତେବେଳେ ପ୍ରକାଶର କ୍ଷୀଣତମ ଆଭାସ ବାୟୁମଣ୍ଡଳକୁ ପୁଲକିତ କରେ, ସେତେବେଳେ ଗୋଟାଏ ଅତି ପରିଚିତ ଚିର ପ୍ରତ୍ୟାଶିତ କାକଳିର ସ୍ପନ୍ଦନରେ ଚକ୍ଷୁ ଉନ୍ମଳିତ ହେଇଆସେ ।

 

ସେ କାକଳି କମ୍ପନ ବ୍ୟତିରେକ ତମସା ଯେପରି ବିହୁରିତ ହେବାର ନୁହେଁ, ସୁସୂପ୍ତି ଯେପରି ଅପସାରିତ ହୁଅନ୍ତା ନାହିଁ । ଶରୀର ସ୍ଥାଣୁ ଅକର୍ମଠ, ସମସ୍ତ ସୃଷ୍ଟି ଯେପରି ଜଡ଼ ଅଚେତନ ହୋଇପଡ଼ି ରହନ୍ତା ।

 

ନିତ୍ୟକର୍ମ ସମାପନାନ୍ତେ ସାମାନ୍ୟ ଫଳାହାର କରି ଭିକ୍ଷୁ ଯେତେବେଳେ ବଳିଷ୍ଠ ବଟବୃକ୍ଷ ତଳେ ଚକ୍ଷୁ ମୁଦ୍ରିତ କରି ସିଦ୍ଧ ଆସନରେ ବସି ଧ୍ୟାନମଗ୍ନ, ସେତେବେଳେ ପ୍ରତିଦିନ, ବାଳିକାଟିଏ ଆସି ସାଷ୍ଟାଙ୍ଗ ପ୍ରଣିପାତ କରେ–

 

‘‘ବୃଦ୍ଧଂ ଶରଣଂ ଗଚ୍ଛାମି

ସଂଘଂ ଶରଣଂ ଗଚ୍ଛାମି

ସତ୍ୟଂ ଶରଣଂ ଗଚ୍ଛାମି !’’

 

ତାପରେ ସେଇ ପାର୍ବତୀୟ ପ୍ରଦେଶରେ ଗୋଟାଏ ଅନୁତ୍ତରା ପ୍ରହେଳିକା ଭଳି ଅନ୍ତର୍ହିତ ହୋଇଯାଏ ।

 

ସନ୍ଧ୍ୟା ଆସେ । ସୂର୍ଯ୍ୟ ଅସ୍ତାଚଳ–ଗାମୀ ହୁଅନ୍ତି । ସାକ୍ଷାତ୍ କରୁଣା ସଦୃଶା ସେଇ ତରୁଣୀ ପୁଣି ଆବିଭୂର୍ତ ହୁଏ । ପ୍ରଣାମ କରି କହେ–

 

ହିଂସା ବିଦୂରିତ ହେଉ

କାମନା ବିଦୂରିତ ହେଉ

ଦୁଃଖ ବିନଷ୍ଟ ହେଉ

 

ଧ୍ୟାନରତ ସନ୍ନ୍ୟାସୀ ଧୀରେ ଧୀରେ ସଚେତନ ହୁଅନ୍ତି । ଅର୍ଦ୍ଧ ଅବଗୁଣ୍ଠନବତୀ କୁମାରୀ ସନ୍ଧ୍ୟାରେ ଆଲୋକବତ୍ ଘନ ପତ୍ର ଲତାର ଅନ୍ତରାଳରେ ଅନ୍ତର୍ହିତ ହୋଇଯାଏ ।

 

ପ୍ରତିଦିନ–ସକାଳ ଓ ସନ୍ଧ୍ୟା ।

ପ୍ରଭାତରେ ସେଇ ମଧୁର ସ୍ୱର–

ସନ୍ଧ୍ୟାରେ ସେଇ ସ୍ୱସ୍ତି ବଚନ–

 

ଧୀରେ ଧୀରେ ସେ ସବୁ ମୂର୍ତ୍ତିମୟ ହୋଇଉଠିଲା । କୁମାରୀର ଅନୁପସ୍ଥିତିରେ ମଧ୍ୟ ଭିକ୍ଷୁ ଶୁଣନ୍ତି–ବୃଦ୍ଧଂ ଶରଣଂ ଗଚ୍ଛାମି ।

 

ଏହି ଧାରା ବାହିକତାକୁ ଭଗ୍ନ କରି ସେଦିନ ଅକସ୍ମାତ୍ ଉପସ୍ଥିତି ହୋଇଥିଲେ ଜଣେ ରାଜକୁମାର । ସନ୍ନ୍ୟାସୀ ସଦ୍ୟ ଧ୍ୟାନରତ । କୁମାରୀ ପ୍ରଣିପାତ କରି ଫେରି ଚାହିଁଲା– ଅପୂର୍ବ, ଅନାଦୃତ, ଅପ୍ରତ୍ୟାଶିତ, ଅଦୃଷ୍ଟପୂର୍ବ, ଆଗନ୍ତୁକ–ରାଜକୁମାର !

 

କି ସୁନ୍ଦର, କି ମନୋହର, କି କାନ୍ତି, କି ଲାବଣ୍ୟ ! ଉଦୀୟମାନ ସୂର୍ଯ୍ୟର ସମ୍ମୁଖରେ କୁମାରୀ ଲଜ୍ଜାବତୀ ଲଳିତା ସଦୃଶ ସଙ୍କୁଚିତ ହୋଇପଡ଼ୁଥିଲା ।

 

ପ୍ରତିଦିନ, ସେଇଠି ସେଇ ସ୍ଥଳରେ, ସନ୍ନ୍ୟାସୀ ଧ୍ୟାନରତ ହୋଇଯାଆନ୍ତି । କୁମାରୀ ଫେରିପଡ଼ି ଚାହେଁ–ଅଦୂରରେ ରାଜକୁମାର !

 

ଦିନ ପରେ ଦିନ ଚାଲିଯାଏ । କୁମାରୀ ଅଧୀର ହୋଇଉଠେ । କଣ୍ଠରେ କର୍କଶତା, ବ୍ୟସ୍ତତା, ଅସ୍ଥିରତା । ସନ୍ନ୍ୟାସୀଙ୍କ ଧ୍ୟାନମଗ୍ନ ହେବାରେ କଷ୍ଟ ହୁଏ । ଅଳ୍ପ ସମୟ ପରେ ଧ୍ୟାନଭଗ୍ନ ହୁଏ । ପାଶରେ କେହି ନଥାନ୍ତି ।

 

ଦୋଳାୟିତ ପତ୍ର ଛାୟାରେ ଏକ ବିକଟ ରୂପ ଦେଖାଯାଏ । ସନ୍ନ୍ୟାସୀ ଅନ୍ତରରେ ସନ୍ଦେହର ରାକ୍ଷସୀ ମୂର୍ତ୍ତି ସନ୍ଦର୍ଶ ନକରି ଭୀତ ତ୍ରସ୍ତ ହୋଇଉଠନ୍ତି ।

 

‘‘ସଂଘଂ–ସଂଘଂ–ସଂଘଂ–ସଂଘଂ ଶରଣ ଗଚ୍ଛ

ବୃଦ୍ଧଂ ଶରଣଂ ଗଚ୍ଛ–

ଧର୍ମଂ ଧର୍ମ–ଧର୍ମଂ ।’’

 

କୁମାରୀ ଫେରି ପଡ଼ିଥିଲା । ସନ୍ନ୍ୟାସୀଙ୍କର ଲୟଯୋଗ ନିଷ୍ଫଳ । ସେ ଚକ୍ଷୁ ଉନ୍ମୋଚନ କରି ଚାହିଁଲେ–କିୟଦ୍ଦୂରରେ ସମ୍ଭବତଃ ଜଣେ ରାଜକୁମାର !

 

ଦିନପରେ ଦିନ ଚାଲିଯାଏ । ସନ୍ଧ୍ୟା ଆସେ । କୁମାରୀ ସନ୍ଧ୍ୟା ପରେ ସନ୍ଧ୍ୟା ଆସି ସ୍ୱସ୍ତି ବାଣୀ ଶୁଣାଏ । କିନ୍ତୁ ସାଧକର ଧ୍ୟାନଭଗ୍ନ ହୁଏ ନାହିଁ ।

 

ଶବ୍ଦ ଶୁଭେ–ବୃଦ୍ଧଂ ଶରଣଂ ଗଚ୍ଛାମି

 

ଧ୍ୱନି ଉଠେ–ହିଂସା ବିଦୂରିତ ହେଉ

 

ତଥାପି ତପସ୍ୟାର ଶେଷ ନାହିଁ କିମ୍ବା ଆରମ୍ଭ ନାହିଁ ।

 

ଦିନେ ସେଇ ଆସନ ଉପରେ ସନ୍ନ୍ୟାସୀର ଦେହ ଢଳି ପଡ଼ିଥିଲା । ଅନୁତପ୍ତା କୁମାରୀ ସେଦିନ ଭୁଜପତ୍ର ଲିଖିତ ଖଣ୍ଡିଏ ଚିଟାଉ ସେହି ସନ୍ନ୍ୟାସୀଙ୍କର ଆସନ ତଳରୁ ପାଇଥିଲା ।

 

‘‘ଇତର ଜୀବକୁ କଷ୍ଟ ଦେବାରେ ବା ହିଂସା ଆଚରଣ କରିବାରେ ପାପ ହୁଏ । କିନ୍ତୁ ହିଂସ୍ର ଆଚରଣ କରିବା ପାପରୁ ଆପଣାକୁ ରକ୍ଷା କରିବାକୁ ଯାଇ ମଣିଷ ନିଜ ପ୍ରତି ଯେଉଁ ହିଂସା ଆଚରଣ କରେ ତାକୁ ତା’ କମ୍ ପରିତାପର ବିଷୟ ନୁହେଁ । ଗୋଟିକୁ ସମର୍ଥନ କରି ଅନ୍ୟଟିକୁ ଉପେକ୍ଷା କରିବା ବୋଧହୁଏ ମନୁଷ୍ୟ ପକ୍ଷରେ ଅସମ୍ଭବ ।

 

ତା’ର ଉତ୍ତର କୁମାରଙ୍କ ଅନୁରୋଧରେ କୁମାରୀ ଲେଖିଥିଲେ– ‘‘ସଂଘରେ ନାରୀର ସ୍ଥାନ ଅପରିହାର୍ଯ୍ୟ । କାରଣ ସାଧକ ଜୀବନରେ ନାରୀ ପ୍ରେରଣା–ସଂଯମୀ ଜୀବନରେ ନାରୀ ଶୃଙ୍ଖଳା । ନାରୀକୁ ନିଜ ଭିତରେ ଦେଖିବାକୁ ଚେଷ୍ଟା କଲେ ନାରୀ, ବାସନା, ବିଳାସ, ହିଂସାର ମୂର୍ତ୍ତିମତୀ । କିନ୍ତୁ ନାରୀ ଭିତରେ ନିଜକୁ ଦେଖିବାକୁ ଚେଷ୍ଟାକଲେ ନାରୀ ତ୍ୟାଗ ଓ କଲ୍ୟାଣର ପ୍ରତିମା । ନାରୀର ସତ୍ୟ ଅବସ୍ଥିତିକି ଅସ୍ୱୀକାର କରିବା ଅର୍ଥ ମିଥ୍ୟାକୁ ପ୍ରଶୟ ଦେବା ।

 

ରାଜକୁମାର ଗୋଟିଏ ସ୍ମୃତିଫଳକରେ ତା’ର ସମାଧାନ କରି ଯାଇଥିଲେ–

 

‘‘ଯାହା ଜୀବନରେ ସମ୍ଭବ ନହୁଏ ତା’ କେବଳ ମୃତ୍ୟୁରେ ହିଁ ସମ୍ଭବ ହୋଇପାରେ ।

☆☆☆

 

ଦଣ୍ଡ

 

ଫୁଲ ବଗିଚାରେ ଫୁଲ ଫୁଟେ । ମୂଲ କେହି ବୁଝେ ନାହିଁ । ମୂଲ ତା’ର ନାହିଁ । ଯାଈ ଯୂଈ ମଲ୍ଲୀ ମାଳତୀର ମୂଲ ବସେ । ତା’ର କି ମୂଲ । ମଞ୍ଚାତଳ ଛାଇରେ ଦୂବ କିଆରି ଦିହରେ ଲଟେଇ ମାଡ଼ିଛି ସରୁ ଲତାଟିଏ । ତା’ରି ମୂନରେ ଫୁଲଟିଏ । ଏଠି ସେଠି ଦୁଇଚାରିଟା ଫୁଲ କାନିଶିରା ନୁହେଁ । ସେଇମିତିକା–ସେଇ ଜାତିର ।

 

‘‘ଏ କି ଫୁଲ ମାଲୁଣୀ ?’’

 

‘‘କିଜାଣି !’’

 

କେହି ଜାଣନ୍ତି ନାହିଁ ସେ କି ଫୁଲ । ଆନନ୍ଦ ନିତି ନିତି ଯାଇଁ ସେଇ ଫୁଲ ପାଖରେ ଠିଆହୁଏ । ଭଲଲାଗେ । ପଛଆଡ଼େ ନାନା ଜାତିର ଫୁଲ । ସେ ବାସନା ତା’ ନାକଭିତରେ ପରଶ ସଞ୍ଚାର କରେ ନାହିଁ । ଗୋଲାପର ଗଣ୍ଡ ଅଭିମାନରେ ଲାଲ ହେଇଉଠେ । ଅପରାଜିତା ଦୁଃଖରେ କାଳି ପଡ଼ିଯାଏ । ତରାଟ ଚାହିଁ ରହେ ଧଳା ଧଳା ଆଖିରେ । କଳା ଡୋଳା ତା’ର ପତା ଭିତରେ ଲୁଚିଯାଇଛି । ଯେମିତି । ମଲ୍ଲୀ, ମଲି ମଲି ବୋଲି ଝଡ଼ିପଡ଼େ । ଆନନ୍ଦ ଚାହେଁ ନାହିଁ । ଆନନ୍ଦକୁ ଆଉ କିଛି ଭଲ ଲାଗେ ନାହିଁ ।

 

ଭଲ ଲାଗିବାର କାରଣ ନଥାଏ । କାହାକୁ କାହିଁକି କିଏ କେଉଁଠି ଭଲ ଲାଗେ ତା’ର ଧରାବନ୍ଧା ଗତ ନାହିଁ । ହାରମୋନିୟମ୍‌ର ରୀଡ଼୍ ଚିପିଲେ ସେ ବାଜେ ନାହିଁ ।

 

ସୌନ୍ଦର୍ଯ୍ୟ ? ବାସନା ? ନାଃ ! ରୂପ ଗୁଣ କେଉଁଥିରେ ନାହିଁ । ଭଲ ଲାଗିବାର ମୌଳିକ ଗୁଣିତକ ଗୁଣନିୟକ ସବୁ ସେଇ ଭଲ ଲାଗିବା ।

 

ସେଇ ଫୁଲଟି ତାକୁ ଭଲ ଲାଗେ । ମାଲୁଣୀ ହସେ । କି ପୁଅ ଲୋ ଏ ମା’ !

 

ଆନନ୍ଦ ସେ ଫୁଲକୁ ହାତରେ ଧରେ ! ତୋଳେ ନାହିଁ । ହାତକୁ ଆଣି ନାକପାଖକୁ ନେଉ ନେଉ ଚମକିପଡ଼େ । ହାତ ଥମିଯାଏ । ନାକରେ ଲାଗେ ନାହିଁ ।

 

ଧୀରେ ଧୀରେ ଆପଣା ଗଣ୍ଡକୁ ନେଇ ସେଇ ଫୁଲର ପାଖୁଡ଼ା ଦେହରେ ଘସିହେବାକୁ ମନକରେ । ମୂନିଆ ପତର ଫୋଡ଼ି ହେଇଯାଏ । ମନ ତା’ର ଭାଙ୍ଗିଯାଏ ।

 

ଦିନର ଅପରିଶ୍ରାନ୍ତ କର୍ମ ଭିତରେ ସେ କେଉଁଠି ସେ ଫୁଲକୁ ହଜାଇଥାଏ କିଜାଣି ! ସଞ୍ଜ ହେଲେ ସେ ଫୁଲର ଭୂତ ଆସି ତାକୁ ରେଶମୀ ଆବାଜରେ ଡାକେ–ସେ ରହିପାରେ ନାହିଁ । ସବୁ କାମ ଛାଡ଼ି ସେ ଯାଏ ସେଇ ଫୁଲ ପାଖକୁ । ସଂସାରର ସବୁ ଭାରା, ସବୁ ଦାୟିତ୍ୱର ବୋଝକୁ ସେ ଦଣ୍ଡକ ପାଇଁ ଫିଙ୍ଗିଦିଏ । ଶରୀରର ସଂଭୋଗ କ୍ଷଣକପାଇଁ ତୁଚ୍ଛ ହୋଇଯାଏ । ଅଶନ ବ୍ୟସନ ପିତା ଲାଗେ । ପ୍ରଣୟ ପ୍ରଶଂସା ବିରକ୍ତି ଆଣିଦିଏ । ଆନନ୍ଦ ଚାଲେ ସେଇ ଅଜ୍ଞାତ କୁଳଶୀଳା କୁସୁମ କଳିକାର ସନ୍ନିଧକୁ ।

 

ମାଇପିଟିଏ ଆସି କହେ–ପୁଅ, ସେ ଫୁଲରେ ହାତ ଦେବୁ ନାହିଁ । ସେ ଫୁଲ ଲଗେଇଛି ମୋ ପୁଅ !

 

‘‘ପୁଅ !’’ ଆନନ୍ଦ ଆଶ୍ଚର୍ଯ୍ୟ ହୁଏ ।

 

‘‘ହଁ, ହଁ ମୋ ପୁଅ । ରଜାଙ୍କ ରଣ ଡାକରା ଆସିଲା । ସେ ଗଲା । ଯାଇଛି ଯେ ଆଉ ଫେରିନାହିଁ–ତିନିବର୍ଷ ହେଲାଣି । ଯିବାଦିନ ସେଇ ଫୁଲଟିକୁ ସେ ଲଗେଇଦେଇ ଗଲା । ଏ ଫୁଲ ଥିବାଯାକେ ମୋ ପୁଅ ମୁଣ୍ଡରୁ ସବୁ ବିପଦ ଟଳିପଡ଼ିବ । ଏ ଫୁଲ ମଉଳି ଗଲେ କି ମରିଗଲେ ଆଉ ମୋ ପୁଅ ବଞ୍ଚିବ ନାହିଁ । ଜାଣିଥା–ସେ ଫୁଲରେ ହାତଦେବୁ ନାହିଁ ।’’

 

ମାଇପିଟି ଚାଲିଯାଏ । ଆନନ୍ଦ ସେଇମିତି ଚାହିଁଥାଏ ।

 

ଦିନ ପରେ ଦିନ ଚାଲିଯାଏ । ମାଇପିଟିର ପୁଅ ଫେରେ ନାହିଁ । ଯୁଦ୍ଧ ସରେ ନାହିଁ । ଆନନ୍ଦ ନିତି ଆସେ । ସେ ଫୁଲକୁ ଦେଖିଯାଏ । ନିତି ନିତି ନୂଆ ଫୁଲ ଫୁଟେ । ପୁରୁଣା ଝଡ଼ିପଡ଼େ-। କିନ୍ତୁ ଫୁଲ ଥାଏ । ସବୁଦିନିକା ପୁରୁଣା ଜିନିଷଟା ନିତି ନୂଆ ନୂଆ ପସରା ବାଢ଼ିଲେ ଭଲପାଇବା ଲୋକକୁ ଭଲ ଲାଗିବା ଭିତରେ ଗୋଟେ ଭୟ ଥାଏ ସେଟା କି କଥାକୁ କେହି ବୁଝିପାରନ୍ତି ନାହିଁ-। ହୁଏ ତ ଆପଣାକୁ ଭୁଲିଯିବାର ଭୟ ହେଇପାରେ ।

 

ଯୁଦ୍ଧ ସରିଛି । ମାଇପିଟିର ପୁଅ ଘରକୁ ଫେରିଛି ।

 

ଚାରିଆଡ଼େ ଉଚ୍ଛବ । ଚାରିଆଡ଼େ ଚହଳ ପଡ଼ିଯାଇଛି । ପାଇକମାନେ ହୋ–ହାଉଳି ପକାଇ ମାତିଛନ୍ତି ନାଚ ଗୀତରେ ।

 

ଆନନ୍ଦ ଧୀରେ ଧୀରେ ସେଇ ଫୁଲ ବଗିଚାକୁ ଗଲା ।

 

ଫୁଲ ନାହିଁ ! ଫୁଲ ନାହିଁ !

 

‘‘ମାଲୁଣୀ, ଫୁଲ ?’’

 

ସେ ମାଇପିଟିର ପୁଅ ଆସିଲା ।

 

‘‘ମାଲୁଣୀ, ମୋ ଫୁଲ !’’

 

ଫୁଲ କିଏ ନେଲା ! ରାଜ ଦରବାରରେ ପଡ଼ିଲା ବିଚାର । ଆନନ୍ଦ ମାନିଲା–ସେ ନିତି ନିତି ସେ ଫୁଲ ଦେଖିବାକୁ ଆସେ । ସେ ଫୁଲକୁ ତା’ ଛଡ଼ା ଆଉ କେହି ଦେଖିନଥିଲେ । ଆନନ୍ଦକୁ ମିଳିଲା ଦଣ୍ଡ । ରାଜକୁମାର ବିଚାର କଲେ ।

 

ସେଦିନ ଆନନ୍ଦ ହସି ହସି ସେ ଦଣ୍ଡ ବରଣ କରିଥିଲା । ଖାଲି ଭଲପାଇବାର ଦଣ୍ଡ ।

 

କିନ୍ତୁ ଥିଲା ରାଜକୁମାରଙ୍କ ବେକରେ । ଆନନ୍ଦ ଦେଖିଛି ।

 

ଆନନ୍ଦର ହୃଦୟ ପରି ଅସଂଖ୍ୟ ହୃଦୟ । ଏ ସଂସାରରେ ଚିରଦିନ ଦଣ୍ଡ ଭୋଗୁଛନ୍ତି ।

☆☆☆

 

ମନେ ମନେ

 

କେହି ନଥାନ୍ତି–ସତ୍ୟ ନଥାଏ–ଆଉ ଥାଏ ସଞ୍ଜୁଆଳୀ ତାରା–ଜଳୁଥାଏ ଜକ ଜକ ହେଇ–ଜହ୍ନ ନଥାଏ–ଅନ୍ଧାର ପକ୍ଷ ।

 

ଭଲପାଇବାର ପରିଚୟ ମାଗି ସେଇ ପ୍ରଶ୍ନ ଆସିଲା–ସେଇ ଆଦିମ ଯୁଗର ପ୍ରଶ୍ନ । ‘‘ତମେ ମୋତେ ଭଲପାଅ ?’’

 

ତା’ର ଉତ୍ତର ‘ନା’ ହେଇପାରେନା । ସେ ପ୍ରଶ୍ନର ଉତ୍ତର ସେ ନିଜେ । ଉତ୍ତର ପାଇବାର ଥିଲେ ସେ ପ୍ରଶ୍ନ ଉଠିନଥାନ୍ତା । ସେ ପ୍ରଶ୍ନ ହୃଦୟର କେତେ ଆଲୋଡ଼ନ କେତେ ଆନ୍ଦୋଳନ ପରେ ଉଠିଛି । ସେ ପ୍ରଶ୍ନ ନିଜ ଭିତରେ କେତେଥର ମରି ପୁଣି ନୂଆ ଜୀବନ ପାଇଛି । ସେ ପ୍ରଶ୍ନର ଉତ୍ତର କେତେଥର ମନେ ମନେ ଦିଆ ସରିଛି–ଅସ୍ତି ନାସ୍ତି ହେଇ । ସେ ପ୍ରଶ୍ନ କେତେ ପୁଲକ ଆଣିଛି ଆଉ କେତେ ଅଶ୍ରୁ ।

 

ସେଇ ପ୍ରଶ୍ନ ତା’ର ବି ପଚାରିବାର ଥିଲା । ସେଥିପାଇଁ ସେ ପ୍ରଶ୍ନର ‘ନାଁ’ ହୋଇପାରେନା । ଯେଉଁ ପ୍ରଶ୍ନର ଉତ୍ତର ଏକ ସେ ପ୍ରଶ୍ନ ପ୍ରଶ୍ନ ନୁହେଁ–ଆଦେଶ । ‘ଭଲପାଅ ?’ ନୁହେଁ–‘‘ଭଲ ପାଇବାକୁ ହବ ।’

 

ଭଲ ପାଇବାକୁ ହେବ । ସେ ବି ଭଲ ପାଇବ । କ’ଣ କଥାରେ ? ଭଲ ପାଇବାଟା କ’ଣ କେବଳ କଥାର କଥା ? ଭଲ ପାଇବାର ବିନିମୟ କେବଳ କ’ଣ ମନେ ମନେ ହୁଏ ? ତା’ର ନିଦର୍ଶନ କ’ଣ ? ଯାହା ମନରେ ଉଠେ ସେ ଭାବ । ଭାବର ଆତ୍ମପ୍ରକାଶ କଲା । ପ୍ରେମ କ’ଣ କେବଳ ଭାବ– ତା’ର ବିକାଶ ନାହିଁ ?

 

ପ୍ରେମର ନିଦର୍ଶନ କ’ଣ ହେଇପାରେ ! ସେ ପଚାରିବ–‘ତମେ ମୋତେ କ’ଣ ଦେଇପାର ?’

 

ତା’ର ଉତ୍ତର ହବ–‘ ମୁଁ ତୋତେ କ’ଣ ନ ଦେଇପାରେ ?’

 

ହସମାଡ଼େ । ମଣିଷ କ’ଣ ଦେଇପାରେ କାହାକୁ ? କିଛି ଦେଇପାରେ ନାହିଁ । ଅଥଚ ପ୍ରଣୟର ଉଷ୍ଣତାରେ ସେ କହିଦିଏ ‘ସବୁ ଦେଇପାରେ ।’ ପ୍ରେମ ପାଇଁ ସେ ସବୁ ଛାଡ଼ିପାରେ । ଜାତି, କୁଳ, ଧର୍ମ, ସମାଜ, ଲଜ୍ଜା ସରମ, ମାନ ଅଭିମାନ, ଧନ, ସମ୍ପତ୍ତି, ଜୀବନ ସବୁ ତ୍ୟାଗ କରିପାରେ । ଭଲ ପାଇବାକୁ ହେଲେ ତାକୁ କିଛି ଛାଡ଼ିବାକୁ ହେବ ନାହିଁ–ସବୁ ଧରି ରଖିବାକୁ ହବ-

 

‘ଏ ବିବାହରେ ବାପ ମା’ ରାଜି ନୁହନ୍ତି ।’

 

‘ମୋ ପାଇଁ ତମେ ବାପ ମା’ଙ୍କୁ ଛାଡ଼ି ପାରିବ ?’

 

ତା’ର ଉତ୍ତର ହେବ–‘ନା’ । ସେ କାନ୍ଦିବ । ଏ ଭଲ ପାଇବାକୁ ଛଳନା ବୋଲି ଭାବିବ । କିନ୍ତୁ ପ୍ରକୃତରେ ଏ ଭଲ ପାଇବା ଛଳନା ନୁହେଁ ପ୍ରକୃତ । ଆଜି ଯେ ବାପ ମା’ଙ୍କୁ ଛାଡ଼ି ବିବାହ କରିବାକୁ ଯିବେ ସେ ପୁଣି ବାପା ମା’ ହେବେ ତ !

 

‘‘ଦୁନିଆ ଏକ ପକ୍ଷରେ–ଆଉ ମୁଁ ଏକ ପକ୍ଷରେ–ତମେ କାହାକୁ ଚାହଁ ?’’

 

ମଜାର ପ୍ରଶ୍ନ । ଦୁନିଆଠାରୁ ସେ ହୁଏତ ବଡ଼ । କିନ୍ତୁ ଦୁନିଆକୁ ଛାଡ଼ି ତାକୁ ନେବାର କୌଣସି ଅର୍ଥ ହୁଏ ନାହିଁ । ଦୁନିଆରେଇ ତ ଦୁହିଁକି ରହିବାକୁ ହବ ।

 

ଜାତି , କୁଳ, ଧର୍ମ, ସମାଜ, ଧନ ସମ୍ପତ୍ତି ସବୁକୁ ଛାଡ଼ିଦେଇ ପୁରୁଷ ପ୍ରଣୟିନୀକୁ ଧରି ଚାଲିଯାଇପାରେ । କିନ୍ତୁ ଜାତି, କୁଳ, ଧର୍ମ, ସମାଜ, ଧନ, ସମ୍ପତ୍ତି ତାକୁ ଛାଡ଼ିଦେବ ନାହିଁ । ନୂଆ ଜାତି, ନୂଆ କୁଳ, ନୂଆ ଧର୍ମ, ନୂଆ ସମାଜ, ନୂଆ କରି ଘରଦ୍ୱାର ଧନ ସମ୍ପତ୍ତି ସବୁ ଗଢ଼ିଉଠିବ ।

 

‘‘ମୁଁ ଚାହେଁ ତମର ହୃଦୟ ।’’

 

ଗୋଟାଏ ମାଗିଲା ଭଳି ଜିନିଷ ଏକା । କେହି ଦେଖିନାହିଁ ହୃଦୟ କେଉଁଠି ଥାଏ । ତାକୁଇ ପୁଣି ଦେବାର ପ୍ରତିଜ୍ଞା କରିବାକୁ ହବ । ଦେବାକୁ ହବ । ତାଠୁଁ ବଳି ମିଛ ଆଉ କ’ଣ ହେଇପାରେ ?

 

ହୃଦୟ ? ହୃଦୟ ? କେଉଁଠି ଥାଏ ସେ ସତେ ?

 

ହୃଦୟ ନାହିଁ କେଉଁଠି ? ହୃଦୟ ତ ସବୁଠି ଅଛି । ହୃଦୟ ମଣିଷ ଭିତରେ ନଥାଏ ହୃଦୟର ପରିଚୟ ପାଏ ମଣିଷ ଆପଣାର ବାହାରେ । ତା’ର ପ୍ରତ୍ୟେକ ଦୈନନ୍ଦିନ କାମରେ ସେ ଦେଖେ ତା’ର ହୃଦୟକୁ । ହୃଦୟ ନ ଦେଖି ସେ ଗୋଟାଏ ପାଦ ବି ଆଗେଇ ନପାରେ । ପ୍ରଶ୍ନଉଠେ-। ସେ କେଉଁଠି କେତେ ହୃଦୟ ଥିବାର ଦେଖେ । ହୃଦୟଟା ବିଛୁଡ଼ି ହୋଇପଡ଼ିଛି– ଚାରିଆଡ଼େ-। ତାକୁ ବାନ୍ଧି ଗୋଟାଏ ଯାଗାରେ ଦେଇଦେଲେ ଶରୀର ଯାତ୍ରା ବି ଅସମ୍ଭବ ହେଇପଡ଼ିବ-। ତେଣୁ ହୃଦୟଟାକୁ ପୂରାପୂରି ଜଣକୁ ଦେବା କଥାଟା ନିହାତି ଆତ୍ମ ପ୍ରତାରଣା । ବରଂ ଅପରର ହୃଦୟ ନେଇ ପ୍ରେୟସୀର ଭଲ ପାଇବାକୁ ନେଇ, ଦୈନନ୍ଦିନ କାର୍ଯ୍ୟରେ ଲଗେଇ ଦେଇ ପାରିଲେ ନୀରସ କାମ ରସ ଯୁକ୍ତି ହେଇଯିବ । ସେ ଭଲ ପାଇବା–ସେ ହୃଦୟକୁ ନେବାର କଥା, କେହି ଦେବା ନ ଦେବାର ପ୍ରଶ୍ନ ନାହିଁ । ହୃଦୟ ଚାହିଁ ହୃଦୟ ନିଅ । ତମେ ଯେତେ ନେଇପାରିବ ନିଅ-। ତମେ ଯେତେ ନେବ ସେତେ ଦେଇ ହେବ । ହୃଦୟର ସୀମା ନାହିଁ । ଭଲ ପାଇବାର ଶେଷ ନାହିଁ-

 

‘‘ପୁଲିସ, ପୁଲିସ !’’

 

‘‘ମୁଁ ଜାଣେ ।’’

 

‘‘ତମକୁ ଛାଡ଼ିବାକୁ ହବ–ଏ ଦେଶ କାମ ଛାଡ଼ିବାକୁ ହବ–ଏ ଖଦଡ଼ ଛାଡ଼ିବାକୁ ହବ । ସରକାରକୁ ଲେଖିଦିଅ ତମେ ଆଉ ରାଜନୀତି କରିବ ନାହିଁ । ଚାହଁ, ମୋତେ ଚାହଁ; ତମକୁ ଛାଡ଼ି ମୁଁ ରହିପାରିବି ନାହିଁ ଦଣ୍ଡେ–ବଞ୍ଚିପାରିବି ନାହିଁ ।

 

ସବୁଠାରୁ ବଡ଼ ଜିନିଷ ଚାହିଁଛ, ଏଥର ପ୍ରଣୟର ପ୍ରତିଦାନରେ ସେ ହେଉଛି ସତ୍ୟ । ଦରିଦ୍ରର ସେବା–ଦେଶର ସେବାଟା ଗୋଟାଏ ବ୍ରତ, ସତ୍ୟ । ପ୍ରଣୟ ପାଇ ଜୀବନ ମାଗିଥିଲେ ହୁଏତ କେହି ଭାବ ଆବେଗରେ ସେଭଳି ମୂର୍ଖତା କରି ଜୀଇବା ସହିତ ପ୍ରଣୟ ସୁଖରୁ ବି ବଞ୍ଚିତ ହେଇପାରେ । କିନ୍ତୁ ଆପଣାର ସତ୍ୟକୁ ଛାଡ଼ି ବଞ୍ଚିବାରଇ କୌଣସି ଅର୍ଥ ହୁଏ ନାହିଁ ।

 

‘‘ମୋ ପାଇଁ ତମକୁ ଏ ସତ୍ୟ ଛାଡ଼ିବାକୁ ହେବ ।’’

 

ପ୍ରଣୟ ତମ ପାଇଁ ଆଜି ଯଦି ଏଇ ସତ୍ୟକୁ ଛାଡ଼ିଦେଇ ହୁଏ, ତେବେ ଆପଣାର ପ୍ରେମିକାକୁ ପ୍ରଣୟ କରି ବିଶ୍ୱସ୍ତ ରହିବାର ସତ୍ୟଟାକୁ ମଧ୍ୟ ଆଉ କେତେବେଳେ ଭଙ୍ଗ କରି ଦେଇହେବ ଅତି ସହଜରେ ।

 

ସଞ୍ଜୁଆଳି ତାରାଟି ମସିଆ ଦିଶିଲାଣି । ଲିଭିଯିବ ତ ସେ ପୁଣି ?

 

ଏ କେବଳ କଳ୍ପନା ଥିଲା–

 

ଗପଟା କ’ଣ କହିଦିଏ ଚୁମ୍ୱକରେ ।

 

ବିଦ୍ୟୁତ୍‌ଜଣେ କଂଗ୍ରେସ କର୍ମୀ । ଦେଶ ସେବୀ । କାନ୍ଧରେ ଝୁଲି ପକେଇ ଖରା ବରଷାରେ ଗାଁ ଗହଳିରେ ବୁଲିବାର ତାକୁ ଅନେକ ଲୋକ ଦେଖିଥିବେ । କେବଳ ଦେଖି ନଥିବେ ତାକୁ ସେ ଯେତେ ବର୍ଷ ଜେଲ ଭିତରେ ରହିଛି ।

 

ଜେଲରୁ ମୁକୁଳି ଆସିଲା । ବୋଉ କହିଲେ ବାହା ହ, ଅପା କହିଲା ବାହା, ସାହି ପଡ଼ିଶା ସମସ୍ତେ । ତା’ର ସେଇ ଗୋଟିଏ କଥା–ନାଁ, କାରଣ ? କାରଣ ସେ କହେ ତା’ ପାଇଁ କନିଆ ଜନ୍ମ ହେଇନାହିଁ । ମଫସଲି ଝିଅ ! ସେ ତାକୁ ବୁଝିପାରିବ ନାହିଁ–ତେଣୁ ଗରିବ ବାଳିକାଟିର ଜୀବନ ନଷ୍ଟ ହେଇଯିବ । ପାଠୋଇ ଝିଅ–କଲେଜ ଗାର୍ଲ ? ଉହୁଁ–ଘରେ ତ ବହି ଲାଇବ୍ରେରୀ ଅଛି-। ପାଠୋଇ ଝିଅର କି ଦରକାର ।

 

ହଠାତ୍‌ ଦିନେ ଦେଖାହେଲା ଲତା ସାଙ୍ଗରେ । ସେ କହେ ଲତା କଲେଜରେ ପଢ଼ିଲେ ବି ତା’ର ମୌଳିକତା ଅଛି । ମଫସଲି ଝିଅ ହେଲେ ବି ବୁଝିବାର କ୍ଷମତା ଅଛି ।

 

ତାପରେ ଏମିତି କେତେ କଳ୍ପନା–କେତେ ଭାବଧାରାର ଗଠନ–କେତେ ସଞ୍ଜ–କେତେ ସଞ୍ଜୁଆଳି ତାରା ।

 

ପ୍ରେମଟା ଦୁଇ ପକ୍ଷର ବିନିମୟରେ ହୁଏ ନାହିଁ । ଦୁଇ ପକ୍ଷର ବିନିମୟରେ ଯାହା ହୁଏ ସେଟା ସଉଦା । ଲତା କିନ୍ତୁ ଚାହିଁ ନଥିଲା ବିଦ୍ୟୁତ୍‌ ।

 

ଆଜିବି ପଚରାଯାଏ ବିଦ୍ୟୁତକୁ–ବିଦ୍ୟୁତ ତୁ ବାହାହବୁ ନାହିଁ ।

 

ସେ କହେ–ମୁଁ ତ ବାହା ହେଇଚି ।

 

ଗପଟି ଏତିକି ।

 

ଥାଉ–ସଞ୍ଜ ତାରା ଲିଭିଗଲେଣି–ରାତି ଅନେକ ।

☆☆☆

 

ଜଡ଼ରେ ଚେତନା

 

ଯୋଷା ବସିଥାଏ । ବସିବାରେ ଗୋଟାଏ ତତ୍ପରତା ଥାଏ ।

 

ନିକେତନ ଆସେ । ଆସି ବନ୍ଦ ହେଇଯାଏ । ଯେମିତି ଗୋଟାଏ ଶାନ୍ତି ଛାଇଯାଏ ଚାରିଆଡ଼େ–ମୃତ୍ୟୁର ଶାନ୍ତି ଭଳି ।

 

ଯୋଷାର ଭିତର ଶୀତଳ ହେଇଯାଏ । ବରଫ ପରି । ଚଞ୍ଚଳତା ଚାଲିଯାଏ କୁଆଡ଼େ ।

 

ଆଉ ଆସେ ବିଭାସ । ତୁଫାନ ସଦୃଶ । ସବୁ ଦୋହଲିଯାଏ । ସବୁ ଉନ୍ମତ୍ତ ହେଇ ଉଠେ । ଉଷ୍ଣ ପ୍ରସ୍ରବଣ ବହିଯାଏ ଚାରିଆଡ଼େ । ବରଫ ତରଳି ଯାଇଥାଏ ।

 

ଯୋଷା ଠିକ୍‌ କରିପାରି ନାହିଁ–କିଏ ଶ୍ରେୟ ? କିନ୍ତୁ ସେ ବୋଧହୁଏ ଖୋଜୁଥାଏ–କିଏ ଶ୍ରେୟ ? ଆପଣାକୁ ଠକିବା ପାଇଁ କହେ–ଶ୍ରେୟ ବିଭାସ ।

 

ବିଭାସକୁ ଜଳଖିଆ ଦିଏ ଯୋଷା । ଚା’ ଦିଏ । ପାନ ଦିଏ । ହାଉଆରେ ହାଲୁକା ପଣତ ଖେଳି ବୁଲେ । ଗହଳି ମନ ଫାଙ୍କା ପଡ଼ିଯାଏ । ବିଶ୍ରାନ୍ତି । ବ୍ୟସ୍ତ ମନୁଷ୍ୟ ଆଉ ଚାହେଁ କ’ଣ-?

 

କିନ୍ତୁ ନିକେତନ ? କହେ–ଖାଇବାକୁ ଦେବା ନେବା ଗୋଟେ ଲୌକିକତା । ସେଥିରେ ଆନ୍ତରିକତାର ପରିଚୟ ଯେତିକି ଦେଇହୁଏ ତା’ଠାରୁ ପ୍ରକୃତ ଭାବକୁ ଲୁଚାଇ ହୁଏ ବେଶୀ ।

 

ଯୋଷା ମର୍ମାହତ ହୁଏ । ଯୋଷାର ନବେଦନ ନିକେତନ ଗ୍ରହଣ କରେ ନାହିଁ । ଯୋଷାକୁ ସାନ୍ତ୍ୱନା ଦେଇ ନିକେତନ କହେ, ତମେ ମୋତେ ଖାଇବାକୁ ଦେଉଚ, ମୋର ତୃପ୍ତି, ମୋର ଆନନ୍ଦ ପାଇଁ ତ ? ତମେ ଯଦି ଏତକ ମୋର ଏ ଖାଇଲା ପେଟରେ ସ୍ୱାହା ନକରି ଦାଣ୍ଡର ସେ ଭିକାରିଟିର ନଖାଇଲା ପେଟରେ ଦିଅ ତେବେ ମୋର ତୃପ୍ତି ହେବ ବେଶୀ ।

 

ଯୋଷା କହେ–ଦେବା ଲୋକର ଦେବାରେ ବି ତ ଗୋଟାଏ ତୃପ୍ତି ଅଛି । ସମସ୍ତଙ୍କୁ ଦେଇ ସମାନ ତୃପ୍ତି ମିଳେ ନାହିଁ ।

 

ନିକେତନ କହେ–ଯାହାର ଦରକାର ତାକୁ ଦାନ କରି ଯେ ସବୁଠାରୁ ବେଶୀ ତୃପ୍ତି ନ ପାଏ, ଅଦରକାରରେ ଭଲ ପାଇବା ପରି ଭଲ ପାଇ ମଧ୍ୟ ତୃପ୍ତି ପାଇପାରେ ନାହିଁ ।

 

ଯୋଷା ଅପମାନ ଓ ଅଭିମାନରେ ଲାଲ ହୋଇଯାଏ । ନିକେତନ ଉଠି ଠିଆ ହୁଏ ।

 

ବିଭାସ ମନୁଷ୍ୟ, ପ୍ରକୃତ ମନୁଷ୍ୟ । ସତ୍ୟ ଜୀବନ୍ତ ଭଳି ମନେହୁଏ ।

 

ଆଉ ନିକେତନ ? ସେ ଗୋଟାଏ ଦୂର ଅତୀତର ସୃତ ସ୍ମୃତି ଭଳି ପ୍ରିୟ କିନ୍ତୁ ଯାହାକୁ ଅପେକ୍ଷା କରି ହେବ ନାହିଁ । ଯାହାର ଶବ ଉପରେ ସମାଧି ତୋଳି ହେବ–କିନ୍ତୁ ଘରେ ଥାପନା କରି ପୂଜା ଦେଇହେବନାହିଁ ।

 

ଦିନ ଚାଲିଥାଏ । ଯୋଷା ଓ ବିଭାସର ମିଳନରେ ରାତି ନିବିଡ଼ ହୋଇ ଉଠେ–ଦିନ ଚଞ୍ଚଳ । ବେଶ ବିତ୍ରସ୍ତ ହେଇଯାଏ–ବିନ୍ୟାସ ବିଭୋର ।

 

ନିକେତନ କାହିଁ ! ନିକେତନର ଗୋଟାଏ ଛାୟା–ଏ ଦୁହିଁଙ୍କି ଗୋଡ଼ାଇଥାଏ –ଏ ଦୁହିଁଙ୍କ ଗତିବିଧିକି ଲକ୍ଷ କରୁଥାଏ ଯେମିତି ।

 

ପ୍ରଣୟ କାହାଣୀର ଏଇ ତ୍ରିଭୁଜ ଠାଣିରେ ଯୋଷାର ଅଶ୍ରଦ୍ଧା ଆସେ । ନିକେତନକୁ ସେ ମନରୁ ଲିପି ପୋଛି ପରିସ୍କାର କରିଦିଏ । ନିକେତନ ବୋଲି କେହି ନଥିଲା । ଅଛି କେବଳ ବିଭାସ-। ଭୋଗରେ ବିଶ୍ରାମ ନାହିଁ, ଅଛି କେବଳ ତତ୍ପରତା । କାହାରି ଆଶ୍ରୟରେ ଭୋଗ ମିଳେ ନାହିଁ–ଭୋଗ ମିଳେ ଆପଣାର କ୍ଷମତାରେ ।

 

ବିଭାସ କିନ୍ତୁ ରହେନାହିଁ ସବୁବେଳେ । ଅନ୍ତତଃ ଯୋଷା ଯେତେ ଚାହେଁ ସେତେ ନୁହେଁ-। ଯୋଷା ବୁଝିପାରେ କି ନାହିଁ କିଜାଣି–ଚପଳାର ଚମକ ଭଳି । ସେଇ କ୍ଷଣ କ୍ଷଣକୁ ଦେଇ ଜୀବନ-। ଉପଭୋଗର ଯେଉ କ୍ଷଣ ଆସେ ତାକୁଇ ଗ୍ରହଣ କରିବା ପାଇଁ ମନୁଷ୍ୟ ପ୍ରସ୍ତୁତ ହେବା ଉଚିତ-

 

କିନ୍ତୁ କ୍ଷଣ କ୍ଷଣ ହୋଇ ଜୀବନ ପଳାଇ ଯାଉଚି ଚପଳା ପରି । ମଣିଷ ତାକୁ ଧରି ରଖିପାରେ ନାହିଁ । ଉପଭୋଗ କରୁ ନ କରୁଣୁ ଜୀବନର ଗୋଟାଏ କ୍ଷଣ ଲିଭିଯାଏ । ଆଉ ଗୋଟାଏ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ହେବାକୁ ହୁଏ । ପ୍ରସ୍ତୁତ ହେଉ ନ ହେଉଣୁ ସେ ମଧ୍ୟ ମିଳେଇ ଯାଏ କୁଆଡ଼େ । ଯୋଷା କରେ କ’ଣ !

 

ହଠାତ୍‌ ଆକାଶରୁ ମେଘ ଉଡ଼ି ଯାଇଛି । ବିଜୁଳିର ଚମକ ନାହିଁ । ବିଭାସ ଯୋଷାକୁ ଛାଡ଼ି ଚାଲି ଯାଇଛି । ଯୋଷାର ଦୁଃଖ ହୁଏ । ଦୁଃଖରୁ କ୍ଷୋଭ । ଦୁଃଖରୁ ଅନୁତାପ । ସେ ଆପଣାକୁ ପରିହାସ କରେ !

 

ଆଉ ଏକ ଅଦ୍ଭୁତ ଅନୁଭୂତି । ତା’ର ରାଗ ହୁଏନାହିଁ ବିଭାସ ଉପରେ । ତା’ର ହିଂସା ହୁଏ ଆଉ ଏକ କଳ୍ପିତା ନାୟିକା ଉପରେ । –ଯେ ବିଭାସକୁ ଧରି ରଖିଥିବ । କେଡ଼େ ଭାଗ୍ୟବତୀ ସେ । କେଡ଼େ କୁଶଳା ସେ । ବିଭାସ ବଡ଼ ହେଇଉଠେ । ପୁଣି ଅଭାବ ଅନୁଭବ କରେ ସେତିକି ବେଶୀ ।

 

ପଛକୁ ଫେରି ନିକେତନକୁ ଚାହିଁବାକୁ ଲଜ୍ଜା ବୋଧହୁଏ । ଯା ଛାଡ଼ିଛି, ତାକୁ ଆଉ ଚାହିଁବାର ନୁହେଁ । ଯାହା ଯାଇଛି କେବଳ ତାରି ପାଇଁ ଦୁଃଖ ।

 

ବିଭାସର ଦୋଷ କ’ଣ । ବିଜୁଳିତ ଲିଭିଯାଏ–ଚାଲିଯାଏ–ତା’ର କି ଦୋଷ । ତଥାପି ବିଜୁଳି ସୁନ୍ଦର–ବିଜୁଳି ଉଜ୍ଜ୍ୱଳତମ– ବିଜୁଳି ତାରା ନୁହେଁ–ବିଜୁଳି ତୈଳ ଦୀପ ନୁହେଁ ।

 

ବୈଜ୍ଞାନିକ ନିକେତନର ନୂତନ ଆବିଷ୍କାର ପାଇଁ ଅଭିନନ୍ଦନ ସଭାରେ । ସହରର ବିଶିଷ୍ଟ ଲୋକଙ୍କ ସମାଗମ । ତା’ ଭିତରେ ଯୋଷା । ତାକୁ କେହି ଦେଖିପାରୁ ନାହାନ୍ତି । ଯିଏ ସମସ୍ତଙ୍କୁ ଦେଖୁଛି ଏକାଥରେ ସେଇ ଦେଖୁଛି ତାକୁ ସମସ୍ତଙ୍କ ସାଙ୍ଗରେ । ସମସ୍ତେ ଦେଖୁଚନ୍ତି ତାକୁ-। କିନ୍ତୁ କେହି ଜଣେ ଦେଖୁନାହିଁ । ସମସ୍ତଙ୍କ ଭିତରେ ସେ ଦେଖାଯାଉଛି–କିନ୍ତୁ ସେ ନିଜେ ଦେଖା ଯାଉନାହିଁ । ଅନ୍ତତଃ ନିକେତନ ଦେଖିନାହିଁ ।

 

ସେ କିନ୍ତୁ ନିକେତନକୁ ଦେଖୁଥିଲା, ନିକେତନକୁ ଦେଖିବା–ପାଇଁ ଆସିଥିଲା । ନିକେତନକୁ ନା–ମିଛ କଥା । ସେ ନିକେତନ ମରିଯାଇଛି । ଆଜି ସେ ଦେଖିବାକୁ ଆସିଛି ବୈଜ୍ଞାନିକ ନିକେତନକୁ । ନିକେତନ ଭିତରେ ଜଣେ ବୈଜ୍ଞାନିକକୁ । ଯେମିତି ନିକେତନ ମରି ଗୋଟାଏ ବୈଜ୍ଞାନିକ ଭୂତ ପାଲଟି ଯାଇଛି । ଗୋଟାଏ କୌତୂହଳ–ଉତ୍ସାହ ନୁହେଁ ।

 

ସମସ୍ତେ ଚାହିଁଚନ୍ତି ନିକେତନର ମସ୍ତିସ୍କକୁ–ବିସ୍ତୃତ ଲଲାଟ–ଉନ୍ନତ ମସ୍ତକ । କିନ୍ତୁ କିଏ ଦେଖିଛି ପ୍ରକୃତ ନିକେତନକୁ । ନିକେତନ ଯେ ମନୁଷ୍ୟ, ନିକେତନ ଯେ କେବଳ ମସ୍ତିସ୍କର ସମାବେଶ ନୁହେଁ ସେ କଥା କିଏ ବୁଝୁଛି । ନିକେତନର ହୃଦୟ କେହି ଦେଖିନାହିଁ ନିକେତନ ଭାବେ, ମସ୍ତିସ୍କଟା ତ ତା’ର ନୁହେଁ–ମସ୍ତିସ୍କ ବିଜ୍ଞାନର । ମସ୍ତିସ୍କ ଓ ବିଜ୍ଞାନ–ପରସ୍ପର ପରସ୍ପରକୁ ଭଲ ପାଆନ୍ତି । ତା’ର ଆନନ୍ଦ କେବଳ ଉଭୟଙ୍କ ମିଳନରେ । କିନ୍ତୁ ସେ ଆନନ୍ଦିତ ଭିକ୍ଷା ମାଗି ଅଣା-। ସେ ଆନନ୍ଦ ମତି ଓ ବିଜ୍ଞାନର ମିଳନ ଆନନ୍ଦ । ତା’ର ନିଜର ଆନନ୍ଦ କାହିଁ ?

 

ଆଜି ଏ ଯେଉଁ ଅଭିନନ୍ଦନ, ତା’ ମୂଳରେ ବିଜ୍ଞାନର ପ୍ରଶସ୍ତି ଆଉ ବିଜ୍ଞାନର ଜନ୍ମଦାତା ମନୁଷ୍ୟ ମସ୍ତିସ୍କର ପ୍ରଶସ୍ତି ଛଡ଼ା ଆଉ ଅଛି କ’ଣ ? ନିକେତନର ଦୁଃଖ ହୁଏ । କିନ୍ତୁ ଏମିତି ଗୋଟାଏ ପ୍ରଶସ୍ତି ଗାନ କରାଯାଇପାରେ ଯାହାକୁ ମଣିଷ ଆପଣାର ବୋଲି ମନେକରି ସୁଖ ପାଆନ୍ତା । ସେ ପ୍ରଶସ୍ତି କିଏ ଗାଇଚି ତା’ ଜୀବନରେ ? ସେ ହସେ–ଆପଣାର ଦୁର୍ଭାଗ୍ୟକୁ ।

 

ନିକେତନର ହୃଦୟ ଚାପା ପଡ଼ିଯାଇଛି ମସ୍ତିସ୍କର ଆଡ଼ମ୍ୱର ତଳେ । ଯାହାର ମସ୍ତିସ୍କ ଥାଏ ତା’ର ହୃଦୟ ମଧ୍ୟ ଥାଇପାରେ । ଏ କଥା କ’ଣ କେହି ଲକ୍ଷ କରିନାହିଁ ?

 

କିନ୍ତୁ ନିକେତନର କ’ଣ ହୃଦୟ ଅଛି ? ଯଦି ଥାଏ ସେ ମଧ୍ୟ ଜଡ଼–ପଦାର୍ଥ ବିଜ୍ଞାନର ଗୋଟାଏ ସାମଗ୍ରୀ–କୌଣସି ପ୍ରାମାଣ୍ୟ ବସ୍ତୁର ଉପାଦାନ ବିଶେଷ । ସେ ପ୍ରୟୋଗଶାଳାର ନିର୍ଜୀବ ପରୀକ୍ଷା ପାତ୍ରର ଆଧାର ହେଇପାରେ ।

 

ଯୋଷାର ଆଘାତକୁ ନେଇ ସେ ବହୁ ରାସାୟନିକ ପଦାର୍ଥକୁ ବିଚୂର୍ଣ୍ଣତ କରିଥିବା ପରି ତା’ର ମନେ ପଡ଼ିଲେ ମନେ ପଡ଼ିପାରେ ।

 

ସେଇ ଯୋଷା !

 

ହଁ ସେଇ ଯୋଷା । ଆଉ ପାଞ୍ଚଜଣ ଝିଅଙ୍କ ସାଙ୍ଗରେ ସେ ବି ଧରିଥିଲା ଫୁଲମାଳ ନିକେତନର ଗଳାରେ ଲମ୍ୱାଇ ଦେବାପାଇଁ ।

 

ନିକେତନର ଗୋଡ଼ ବଢ଼ିଗଲା ଯୋଷା ନିକଟକୁ ।

 

ଯୋଷାର ହାତ ଥରି ଉଠିଲା ନିକେତନର ଆଖି ଛଳଛଳ ହେଇ ଉଠିଲା–ଦୟାରେ, ମମତାରେ, ଆପଣାର କରିବାର ବିନୟରେ ।

 

ସେଦିନ ନିକେତନର ମସ୍ତକ ଘେନିଥିଲା ଫୁଲମାଳ–ହୃଦୟ ନୁହେଁ ।

 

ଫୁଲମାଳ ଛିଡ଼ିପଡ଼ିଲା ।

 

ନିକେତନ ଭାବୁଥିଲା– ଏବେ ବି ପ୍ରମାଣିତ ହେବାକୁ ବାକି ଅଛି–ଜଡ଼ରେ ଅଛି ଚେତନା-। ପ୍ରମାଣ ହେଇନାହିଁ । ପ୍ରମାଣ ସନ୍ଦେହ ଗର୍ଭରେ–

☆☆☆

 

ଦାବି

 

ବିଭୂଷଣ ଓ ଉତ୍ତମା ।

 

ଦୁହେଁ ଏକ ସାଙ୍ଗରେ ପଢ଼ନ୍ତି । ହଁ ଏକ ସଙ୍ଗରେ । କିଏ କାହାକୁ ପଢ଼ାଏ, କିଏ କାହାଠୁ ପଢ଼େ ଜଣାନାହିଁ ।

 

ମନେହୁଏ, ବିଭୂଷଣ ନଥିଲେ ଉତ୍ତମାର ପାଠ ହୁଅନ୍ତା ନାହିଁ କି ଉତ୍ତମା ନଥିଲେ ବିଭୂଷଣର ମନ ଲାଗନ୍ତା ନାହିଁ ।

 

ଦୁହେଁ କେତେ ଛଡ଼ା । କାହା ଘର କେଉଁଠି । ଏଠିକାର ସୂର୍ଯ୍ୟ ସେଠି ଉଠିବାକୁ କେତେ ଡେରି କରୁଥିବେ କିଜାଣି । ତଥାପି ଯେମିତି ସେଠିକାର କିରଣ ଏ ଦେଶକୁ ଆଲୁଅ ଦିଏ ।

 

ମୁଣ୍ଡ ଉପରେ ରାତି ଅଧର କାଳପୁରୁଷ ପରି ଦୂରତ୍ୱଟା ଭୀଷଣ ଅଥଚ କୃତ୍ତିକା ପୁଞ୍ଜପରି ଖୁବ୍‌ ଲଗା ଲଗା ହେଇଆସନ୍ତି । ବିଭୂଷଣ ଭାବେ, ସେ ଉତ୍ତମାର ମନକଥା ବୁଝିପାରୁଚି–ଆଉ ଉତ୍ତମା ଧରିପାରୁଛି ବିଭୂଷଣର ମନଭାବ ।

 

ଗଙ୍ଗାର ଗଭୀର ଜଳ ପରି ଉତ୍ତମା–ଶାନ୍ତ ଅଥଚ କ୍ଷିପ୍ର । କାହାରିକି ଅପେକ୍ଷା ନାହିଁ ।

 

ବିଭୂଷଣ ଯୁବକ । ହଁ କୁହାଯାଇପାରେ । ଉତ୍ତମା ଯୁବତୀ ଯୌବନର ଅଭିଜ୍ଞତା ବିଭୀଷଣକୁ ପ୍ରୌଢ଼ କରି ପକେଇଚି । ଉତ୍ତମା ହୁଏତ ସରଳା–ଯୁବତୀ ହୋଇ ମଧ୍ୟ ବାଳିକା ।

 

ନିର୍ମଳ ? ହଁ ନିତାନ୍ତ ନିର୍ମଳ ସମ୍ପର୍କ–ପିଲାଙ୍କ ପରି । ବିଭୂଷଣ ଭାବେ ଏଇ ବୋଧହୁଏ ଦେବତ୍ୱ । ଆଉ ଉତ୍ତମା ? ସେ ହୁଏତ ଦେବତ୍ୱ, ମାନବତ୍ୱ କିମ୍ୱା ପଶୁତ୍ୱ ଭିତରୁ କେଉଁଟା ତା’ରି ନିର୍ଣ୍ଣୟ କରିବାରେ ତା’ର ଅବସର କଟିଯାଏ ।

 

ବିଭୂଷଣ କାବ୍ୟର ନାୟକ ଭଳି ସୁନ୍ଦର ନୁହେଁ । ଅଭିନୟର ଅର୍ଜୁନ ଭଳି ସୁସ୍ଥ ନୁହେଁ । କିମ୍ୱା ରାମାୟଣର ରାମଚନ୍ଦ୍ର ଭଳି କମନୀୟ ନୁହେଁ । ବରଂ ଅସୁନ୍ଦର ।

 

ଆଉ ଉତ୍ତମା ! ସୌନ୍ଦର୍ଯ୍ୟର ଲାଳିତ୍ୟରେ ବାର୍ନିସ କଲାଭଳି ଚିକ୍‌କଣ । ମେଘଯୁକ୍ତ ଦିନବଧୂ ପରି ପବିତ୍ର ।

 

ଅସାମଞ୍ଜସ୍ୟ–ଅସମ୍ଭବ । ତାରି ଭିତରେ ସମ୍ଭାବ୍ୟକୁ ନେଇ ଆକାଶର ସୌଧ ଗଢ଼ା ଚାଲିଥାଏ ।

 

ବିଭୂଷଣ ହୁଏତ ଭାବେ–ଜୀବନ ସତ୍ୟ ଜୀବନ–ସୁନ୍ଦର ।

 

ଉତ୍ତମାର ଭାବନା ! ତା’ର ସହମତ ଜଣାଏ –ଜୀବନ ସ୍ୱପ୍ନ ନୁହେଁ ।

 

ସେଦିନ ସକାଳୁ ଶୁକ୍ରତାରାଟା ଆକାଶର ପୂର୍ବପଟେ ଉଠି ଲିଭି ଲିଭି ଲିଭିଯାଇଚି । ବିଭୂଷଣ ଆସି ବହି ଖୋଲି ବସିଲା ଉତ୍ତମାର ହୋଇଗଲା ଟିକିଏ ଡେରି । ଉତ୍ତମା ଆସି ତା’ର ଡେରି କରିବାର ଅପରାଧକୁ ଏଡ଼ିବା ପାଇଁ କି କ’ଣ କହିଲା –ଆପଣ ଛବି ଦେଖିବାକୁ ଖୁବ୍‌ ଭଲ ପାଆନ୍ତି ବିଭୂଷଣବାବୁ ?

 

ଛବି ! ବିଭୂଷଣ ବୁଝିପାରୁଥିଲା । ‘‘ହଁ–ତେବେ ବିଶେଷ ନୁହେଁ । ଭଲ ଛବି ଥିଲେ ଯାଏ–ଆପଣ ?’’

 

‘‘ନା–ଠିକ୍‌ ଆପଣଙ୍କ ପରି । ମନହୁଏ । କିନ୍ତୁ କାହାସାଙ୍ଗେ ଯିବି ?’’

 

‘‘କାହିଁକି–ଆପଣ କହିବେ ତ ମୁଁ ଆସିବି ।’’

 

ଉତ୍ତମ କୃତାର୍ଥ ହେଇଯାଇଥିଲା । ବିଭୂଷଣକୁ ଲାଗିଲା ଏମିତି । ମନେହେଲା, ତା’ର ଆଉ ଉତ୍ତମା ଭିତରେ ସଂଯୋଜକ ଚିହ୍ନଟା ସରଳ ରେଖା ପରି ସିଧାସଳଖ–କୁଟୀଳତା ନାହିଁ ।

 

ସେଦିନ କ’ଣ ଭଲ ଛବିଟାଏ ଥାଏ । ବିଭୂଷଣ ପଚାରିଲା ଯିବେ ।

 

ଉତ୍ତମା ଉତ୍ତର ଦେଇନଥିଲା । ବିଭୂଷଣ ଭାବିଲା–ନୀରବତାର ସମ୍ମତି ଅଛି ।

 

ବିଭୂଷଣ ଆସିଲା ସନ୍ଧ୍ୟାପୂର୍ବରୁ । ସେ ପଟରେ ଶୁକ୍ଳ ତୃତୀୟାର ବଙ୍କା ଜହ୍ନ ଖଣ୍ଡେ କେଉଁ କୁଳବଧୂ ଅଧରର ଲଜ୍ଜାରୁ ଛିଡ଼ିକି ପଡ଼ିଚିକି ଆଉ ।

 

ଉତ୍ତମା ପ୍ରସ୍ତୁତ ହେଇନଥିଲା ।

 

ଯିବ ନାହିଁ ? ବିଭୂଷଣ ପଚାରିଲା ।

 

ମୋ ଦେହ ଭଲ ନାହିଁ ବିଭୂଷଣବାବୁ ।

 

ବିଭୂଷଣ ଧୀରେ ଧୀରେ ଫେରି ଆସିଲା ।

 

ଶ୍ୟାମଳା ଆକାଶ ମୁଖରୁ ଆବରଣ ଖୋଲି ଯାଇଥିଲା । ତାରାଗୁଡ଼ାକ ସ୍ପଷ୍ଟ ପରିସ୍କାର-

 

ତହିଁ ଆରଦିନ ସକାଳେ ଉତ୍ତମା ଖଣ୍ଡେ ଚିଠି ମାତ୍ର ପାଇଥିଲା–ମୁଁ ତମର ବିଶ୍ୱାସ ହରାଇଚି । ଆଉ ତମ ନିକଟରେ ରହିବାର ଦାବି ମୋର ନାହିଁ । –ବିଭୂଷଣ ।’’

 

ସେତିକି ।

☆☆☆

 

କବି

 

କବି–କଳାକାର–ସ୍ରଷ୍ଟା ।

 

ସେ ହସେ । ହଁ ସେ କବି, କଳାକାର, ସ୍ରଷ୍ଟା । ସୃଷ୍ଟିକି ଚାହେଁ ସେଠି ତ ତା’ରି କବିତା । କେତେ ଆଗରୁ ଲେଖିସାରିଛି କିଏ । ତା’ର ଗର୍ବକୁ ଚୂରି ଚୂରି ଚୂନା କରିଦିଏ କିଏ–ମିଶେଇଦିଏ ଧୂଳି ସାଙ୍ଗରେ । ସେ ହସେ । ସେ କ’ଣ କବି, ସେ କ’ଣ କଳାକାର, ସେ କ’ଣ ସ୍ରଷ୍ଟା ?

 

ଲୋକେ ତା’ର ଲେଖା ପଢ଼ନ୍ତି । ପଢ଼ି ଆନନ୍ଦ ପାଆନ୍ତି କିଏ କାନ୍ଦେ । ଆଖିରୁ ଲୁହ ଗଡ଼ିପଡ଼େ । ସେବି ଏକ ପ୍ରକାର ବିନୋଦନ ।

 

ବାଃ କେଡ଼େ ଚମତ୍କାର ! –କିଏ କହେ । ପ୍ରଶଂସା କରି ସେ ପାଏ ଫୂର୍ତ୍ତି ।

 

ଆଃ–ବଡ଼ କରୁଣ । –କିଏ–ସହାନୁଭୂତି କରେ । କିନ୍ତୁ କାହାକୁ ? ଲେଖକକୁ–ନା, ଲେଖାର କଳ୍ପିତ ନାୟକ ନାୟିକାଙ୍କୁ ?

 

କବି ପୁଣି ହସେ । ଶୁଖିଲା ହସ । ସେ ହସ ବଡ଼ କଠୋର–ଅଭିଶାପ ଭଳି । ସେ ହସ ମଣିଷର ହୃଦୟକୁ ପଥର କରିଦେବ ଯିମିତି ।

 

କି ବିଶ୍ୱାସ ଘାତକତା ! କବି ଭାବେ ।

 

ରାତି ରାତି ବିତିଯାଏ । ନିଦ ହୁଏ ନାହିଁ । ରୋମ ଫୁଲି ଫୁଲି ଉଠେ । ଦେହରେ ଜର । ଭିତରେ ଥର । କବି ଉଠି ଲେଖି ବସେ, ତଥାପି । ହୃଦୟକୁ ଚିପୁଡ଼ି ଦେଇ ନିଃଶେଷ କରିଦିଏ । ପୁଣି ହୃଦୟ ଭରି ଆସେ । ବେଦନାର ଝରସେ । ଯେତେ ଦେଲେ ବି ସରେ ନାହିଁ ।

 

କିନ୍ତୁ ସେ ଦୁଖ ତା’ର କେହି ବୁଝେ ନାହିଁ । କବି ନିଜେ ଦୀପର ବଳିତା ଭଳି ଜଳି ଜଳି ଯାହା ଦେଇଯାଏ ତା’ର ଆଲୋକ ପାଆନ୍ତି ସମସ୍ତେ–କିନ୍ତୁ ସଳିତାର ଜ୍ୱଳନ କେହି ଲକ୍ଷ୍ୟ କରେନାହିଁ ।

 

କବିର ମନେହୁଏ–ସେ ରାସ୍ତା କଡ଼ରେ ଠିଆ ହେଇଛି । ଏକେ ଏକେ ସମସ୍ତେ ଚାଲି ଯାଉଛନ୍ତି–ଅଣିମା, ମାନସୀ, ସବିତା, ସୁଧା, ଶୀଳା ସମସ୍ତେ । ସମସ୍ତେ ଚାଲି ଯାଇଛନ୍ତି । କାହାରି ଆଖିରେ ସେ ପଡ଼ିନାହିଁ । ସମସ୍ତଙ୍କୁ ସେ ଆଶା କରି ଚାହିଁଛି । କେହି ତାକୁ ମାଳା ଦେଇ ନାହାନ୍ତି । କାହାରିଠାରୁ ସେ ମାଳା ମୂଲେଇ ପାରିନାହିଁ । କବି ଦରିଦ୍ର–କବି ନିଃସ୍ୱ ସେ ମୂଲ କରିପାରେ ନାହିଁ-। ପୁଣି ଭାବେ–କବିତା ଦେଇ କ’ଣ ଫୁଲର ମୂଲ କରି ହବ ? କିନ୍ତୁ କବିତା ବଦଳରେ ସେ ଫୁଲ ତାକୁ ଦେବ କିଏ ?

 

ଫୁଲ ବିକି ହେଇ ଚାଲିଯାଏ ଆଦର ଦରରେ । ବଡ଼ ଲୋକ ଧନୀ ସୌଦାଗର ଗଳାରେ ସେ ଫୁଲର ହାର ଦୋଳେ । ବେଶ ଚମତ୍କାର ଦିଶେ ତ । ଅଣିମା, ମାନସୀ, ସବିତା ସମସ୍ତେ ଶୋଭାପାଆନ୍ତି ଧନୀର ପ୍ରଶସ୍ତ ହୃଦୟରେ ।

 

କିନ୍ତୁ ନୀରା !

 

ସେତ ଫୁଲର ମାଳ ଆଣି ନଥିଲା । ତା’ର ପ୍ରଣୟ ମଉଳିବାର ନୁହେଁ ଫୁଲ ପରି । ସେଥିପାଇଁ–ସେଥିପାଇଁ–

 

ନାରୀ ବି ଚାଲିଗଲା । କବିର ନିଶ୍ୱାସ ବାଜିଥିଲେ ହୁଏତ ତା’ର ପ୍ରଣୟ ଝୁଲସି ଯାଇଥାନ୍ତା । ମରୁଭୂମିର ମଝିରେ ଧାରା ଶୁଖି ଯାଇଥାନ୍ତା !

 

କିନ୍ତୁ ଭୁଲିପାରେ ନାହିଁ କବି । ନୀରା ଯେଉଁ ଭାବର ପରିଚୟ ଦେଇ ଯାଇଚି କବି ତାକୁଇ ବସି ଗୁନ୍ଥେ । ପାରେ ନାହିଁ । ଭାବନାର ଖିଅ ଛିଡ଼ିଯାଏ । ଆଖି ପାଣିରେ ହାର ଗୁନ୍ଥେ । ସେ ପୁଣି ଶୁଖିଯାଏ । କେହି ନଦେଖିବା ଆଗରୁ ଉଡ଼ିଯାଏ କୁଆଡ଼େ । କବିତା ଲେଖା ଆଉ ନାହିଁ ।

 

ଶୁଭେନ୍ଦୁ ଓ ନୀରା । ଗୋଟାଏ ନିବିଡ଼ତା ଥିଲା ଦୁହିଁଙ୍କ ଭିତରେ । କବି କ’ଣ ନୀରାକୁ ସେଭଳି ଜଡ଼ାଇ ରଖି ପାରିଥାନ୍ତା ! କବି ତ ସବୁଦିନେ ଛଡ଼ା ଛଡ଼ା–ଖାପଛଡ଼ା–ବଅ ପଡ଼ା । କବି ନୀରାର ସୁଖରେ ସୁଖୀ ହେବାକୁ ଚେଷ୍ଟା କରେ ।

 

ନୀରା କହିଯାଏ–କବି, ମୁଁ ସତ, ମୋର ପ୍ରଣୟ ସତ– ତମର ସେ ମିଛ କଳ୍ପନାର ଦୁନିଆକୁ ଯାଆନ୍ତି କିମିତି ।

 

କବି ନିଜକୁ ଚାହିଁ ଦେଖେ, ସତ ସତ ସେ ମିଛ ହେଇଯାଇଛି । ଏ ସଂସାରରେ–ଏ ସତ ସଂସାରରେ ସେ ମିଛ । କବିତା ଭଳି ମିଛ–କବିତାର ନାୟକ ଭଳି ମିଛ–କଳ୍ପନା ।

 

ସେ କୋହ ଚାପି ରଖେ । କିନ୍ତୁ କାନ୍ଦଣାର ସ୍ୱର ତାକୁ ବିଦ୍ରୂପ କରେ । କରୁଣ ରସର କବିତା ହାସ୍ୟମୟ ହୋଇ ଫୁଟିଉଠେ । ଲୁଚେଇ ନହେବା ଜିନିଷକୁ ଲୁଚେଇ ବସିଲେ ସେ ଯେମିତି କଦାକାର ହୋଇ ଦେଖାଦିଏ ସେମିତି ।

 

କିନ୍ତୁ ଏଇ ମିଛ ଭିତରେ କ’ଣ ସତ୍ୟର ଆଭାସ ନାହିଁ ? କବି ବିଚାରେ ।

 

ମରଣ ଆସି କହେ–ହଁ–ସେ ପରା ମୁଇଁ ।

 

କବି ଚାହେଁ–ଏ କିଏ ! ଏ ତ ତାରି ଭାବ, ତାରି ଭାଷାର କଥା କହୁଛି !

 

ତା’ ହାତରେ ବରଣମାଳା–ସେଇ ତ ମରଣ ।

 

କବି ହେଳା କରେନାହିଁ । କେତେ ଆପଣାର ପରି ଆସିଛି ସେ । ତାକୁ ହତାଦର କରିବ କିମିତି ।

 

କବିର ଦୁଃଖ ନାହିଁ । ଯଉଁ ଦୁନିଆକୁ ସେ ଭଲ ପାଇଥିଲା ବୋଲି, ଆଜି ତାକୁ ବାଧ୍ୟ ହୋଇ ଛାଡ଼ିଯିବାକୁ ହେଉଛି ସେ ଦୁଃଖ କରିବ କି ନାହିଁ ଠିକ୍‌ ବୁଝି ପାରୁ ନଥିଲା । ଆଗରେ ଆଉ ଏକ ଦୁନିଆ–ତାରି କବିତା ଭଳି ତ ସେ । ମିଛ ବି ହେଇପାରେ । କ’ଣ ସତ ନାହିଁ ସେଠି ?

 

ଆଶାକରେ, ଶେଷ ବେଳରେ ଥରେ ନୀରା ଆସନ୍ତା ।

 

ନୀରା ଆସେ ।

 

କବି ପଚାରେ–ନୀରା ତମେ ମୋତେ ଭଲପାଅ ?

 

କବି ଭାବେ– ନୀରା ହଁ କହିବ । ନାଁ କହିପାରିବ ନାହିଁ । ମନରେ ଯା ଥାଉ–କଥାରେ ସେ ନା କହିପାରିବ ନାହିଁ ଆଃ–ସେତିକି ଶୁଣି ସେ ନିଶ୍ଚିନ୍ତରେ ମରିପାରିବ । ସେ ତ ଆଉ କିଛି ଚାହିଁନି ନୀରାଠୁ । ତା’ର କବିତା ତ ଆଉ କିଛି ମାଗିନାହିଁ ତାଠୁଁ । ଜୀବନରେ କବି ସମସ୍ତଙ୍କୁ ଭଲ ପାଇଛି–ଯାହାକୁ ଯେମିତି ଭଲ ପାଇବାର କଥା, ଯେତିକି ଭଲ ପାଇବାର କଥା, ସେତିକି, ସେମିତି-। କିନ୍ତୁ, ଅବଶୋଷ, ଦୁଃଖ, ଖେଦ, ତାକୁ କେହି ଭଲ ପାଇନାହାନ୍ତି ପରିବର୍ତ୍ତରେ । ସେଇ ଦୁଃଖକୁ ଘେନି ସେ କ’ଣ ମରିପାରିବ !

 

‘‘କବି, ତମର ଲେଖାକୁ ମୁଁ ବଡ଼ ଭଲପାଏ ।’’

 

କବି ଭାବେ–କବି ଆଉ କବିତା କ’ଣ ଦୁଇ ? ସୃଷ୍ଟି ଆଉ ସ୍ରଷ୍ଟା କ’ଣ ଏ ନୁହେଁ ?

 

କବି କହେ–‘‘ମୋର ଲେଖା ମୁଁ ଦୁନିଆକୁ ଦେଇଯାଇଛି–ଏକା ତମର ନୁହେଁ । କିନ୍ତୁ ମୋତେ ମୁଁ କାହା ହାତରେ ଦେଇଯିବି ? ’’

 

ଶୁଭେନ୍ଦୁ ଆସି ଡାକିନିଏ ନୀରାକୁ–ଡେରି ହେଇଯାଉଛି ।

 

ସେ ଯେମିତି ଜବାବ୍ ଦେଇଯାଏ–ଯିଏ ଦୁଃଖରେ ବି ଦୁଇ କଳ ହସ ଭରି ଦୁନିଆ ଉପରେ ସିନା କାଢ଼ି ଚାଲିଯାଏ ତାକୁ ପଚାର ।

 

କବି ପଚାରେ–ସେ କ’ଣ କେବେ ହସିନାହିଁ ? ଖାଲି କାନ୍ଦିଛି ।

 

ମୁହଁର ସେଇ ଓଠ ଚିରା ଉପରେ ସରୁ ଶୁଖିଲା ହସ ଟିକିଏ ଶେଷ ହସ ।

 

କବି ମରିଛି–କବିତା ମରି ନାହିଁ ।

 

ଦୁଃଖୀ ଯାଇଛି–ଦୁଃଖ ସରିନାହିଁ ।

☆☆☆

 

ଜାନୁଆରୀ ଛବିଶ

 

ସ୍ନେହର–

 

କାଲି ଜାନୁଆରୀ ଛବିଶ ଭାରତ ଆଗରେ ସେଇ ଗୋଟାଏ ପ୍ରଶ୍ନ–ସେ ମରିବ କି ବଞ୍ଚିବ-। ଆଉ ମୋର ?

 

ମୁଁ ଭାରତରୁ ବାହାର । ଲଜ୍ଜା ବୋଧ ହେଉଚି । ଆଜି ସେଥିପାଇଁ ସ୍ଥିର କରିଚି– ଏ କଳଙ୍କ ମୋତେ ପୋଛି ଦେବାକୁଇ ହବ । ଏ କାଳି କେବଳ ମଣିଷର ରକ୍ତରେ, ଆପଣା ଲହୁରେଇ ଲିଭିପାରେ ।

 

ସହବନ୍ଦୀମାନେ ସେ କୋଣରେ ବସି ପତାକା ତିଆରି କରୁଚନ୍ତି । ଜେଲ୍‌ର କର୍ତ୍ତୃପକ୍ଷଙ୍କୁ ଲୁଚାଇ । ଜାଣିଲେ ସେ ବାଧାଦେବେ । ପତାକା ତିଆରି ଆଉ ହେବନାହିଁ । ପତାକା ତିଆରି କରିବା ବେଆଇନ । ଜେଲ୍‌ ନିୟମର ବାହାରେ । ସେଥିପାଇଁ ଲୁଚାଛପା କାମ ଚାଲିଚି । ଏ ଲୁଚାଛପା ପତାକା ତିଆରିକି ବେଆଇନ–ସତ୍ୟାଗ୍ରହୀ ପକ୍ଷରେ । ଗାନ୍ଧିଙ୍କ ନୀତିକୁ ଯେଉଁମାନେ ନିକିତିରେ ତଉଲି ବାଟ ଚାଲୁଛନ୍ତି, ସେମାନେ ଏକଥା ଶୁଣିଲେ ଜିଭ କାମୁଡ଼ି ପକାଇବେ–ପାପ ! ମୁଁ ବି ଭାବୁଛି ସେଇ କଥା । ସତ୍ୟାଗ୍ରହ ଭଳିଆ ଖୋଲା ବିପ୍ଲବରେ ପୁଣି ଲୁଚା ଚୋରା କାହିଁକି ? କିନ୍ତୁ ଯେତେବେଳେ ଦେଖୁଛି, ପରାଧୀନ ଦେଶରେ ବଞ୍ଚି ରହିବାଟା ଯେ ମିଥ୍ୟାଗ୍ରହ, ସେତେବେଳେ ଏ ସାମାନ୍ୟ କୌଶଳଟାକୁ ପାପ ବୋଲି କହିବାକୁ ମୋର ଅନ୍ତତଃ ସାହସ ହେଉନାହିଁ । ମିଛର ଆଶ୍ରୟ ନନେଇ ଲୁଚାଛପାକୁ ପ୍ରଶୟ ନଦେଇ ଏଠି ଦଣ୍ଡେ ବି ବଞ୍ଚି ହେଉ ନାହିଁ-। ଏ ଯୁକ୍ତି ସତ୍ତ୍ୱେ ମନ ବିଦ୍ରୋହ କରି ଉଠୁଛି– ନାଁ ଏ ନ୍ୟାୟ ଯୁଦ୍ଧରେ ଅନ୍ୟାୟର ସ୍ଥାନ ନାହିଁ-। ଏ ପ୍ରକୃତ ପାପ । ପୁଣି ଡର ହେଉଚି, ଏଟା ଲୁଚାଛପା କରିବାର ପାପକୁ ଭୟ, ନା ମରଣକୁ ଭୟ-

 

ତା ଛଡ଼ା ମୋ ଏ ଦେଶ ପ୍ରୀତି, ମୋର ଏ କାରାବରଣ ସବୁ କ’ଣ ସତ୍ୟ ? ତାହେଲେ ଆଜି ମୋତେ ଏ ଚିଠି ଲେଖିବାକୁ ପଡ଼ି ନଥାନ୍ତା ତୋ ପାଖକୁ–

 

କାଲି ସକାଳ ହେବାକୁ ଆଉ କେତେ ଘଣ୍ଟା ରହିଲା । ଏ ଲମ୍ବା ଗୁହାଳ ଭିତରେ ଗୋଟେ ଗୋଟେ ଖଟିଆ ପକାଇ ମଣିଷଗୁଡ଼ାକ ଗୋରୁ ଭଳି ଶୋଇଛନ୍ତି । ସମସ୍ତେ ରାଜବନ୍ଦୀ । କାଲିକି ସେମାନେ ଭୁଲି ଯାଇଛନ୍ତି । ଆହୁରି ଏମିତି କେତେ ଆଜି ‘କାଲି’ ହେଇ ଯିବ । ସେ ଚିନ୍ତା କେହି କରୁନାହିଁ । କେବେ ଯିବୁ ବୋଲି ଭାବି ଭାବି ସମସ୍ତେ ଶୋଇଛନ୍ତି । କିଏ ଶୋଇ ଶୋଇ ଘରର ସପନ ଦେଖୁଛି । ସପନରେ ପ୍ରିୟ ଲୋକଙ୍କୁ ଦେଖିବାକୁ ମୁଁ ଘୃଣା କରେ । ମନୁଷ୍ୟ ନିଜକୁ ଭୁଲାଇ ବହଲାଇ ସତ୍ୟକୁଇ ସବୁବେଳେ ଏଡ଼ି ଚାଲିଥାଏ ଦିନ ରାତି–ନିଦ ଜାଗ୍ରତରେ ।

 

ଉଆଡ଼ରଟା କାନ୍ଥ ସେପଟେ ନାଲମରା ଯୋତାମଡ଼ା ଗୋଇଠିକି ଠକ୍‌ଠକ୍‌ ବାଡ଼େଇ ଚାଲିଯାଇଛି । ରାତିର ଲମ୍ବ ଓସାରକୁ କଦମ ପଦିକାରେ ମାପିଲା ପରି । ସେ ଆମକୁ ଜଗିଛି ମନେ ମନେ । କାଲି ଯେତେବେଳେ ଏଇ ଟାଙ୍ଗର ଭୂଇଁ ଉପରେ ପତାକା ଉଡ଼ିବ–

 

ହୁଁ କାଲି । କାଲି ୨୬ ତାରିଖ ଜାନୁୟାରୀ । କେତେବର୍ଷ ତଳେ ଆଜି ଦିନରେ କଂଗ୍ରେସ ସ୍ୱାଧୀନତା ଘୋଷଣା କରିଥିଲା । ସେଠି ଜଣେ ସଙ୍ଗୀ ରାଜବନ୍ଦୀ ନିଦରେ ହାଉଳି ଖାଇ ଉଠିଲେ । ଭୟ । ମଣିଷ ଶୋଇଥିଲେ ଭୟ କରେ । ଚେଇଁଲା ମଣିଷ ଡରେ ନାହିଁ । ଆମେ ଏ ଦେଶର ଲୋକେ ଶୋଇଛୁ–ସେଥିପାଇଁ ଭୟ । ସ୍ୱାଧୀନତାରେ ଶୋଇଲା ପୁଅର ଭାଗ ନାହିଁ । ମୁଁ ସେଥିପାଇଁ ବୋଧହୁଏ ଏ ରାତିରେ ବି ନଶୋଇ ଚିଠି ଲେଖୁଛି ତୋ ପାଖକୁ । ହସ ମାଡ଼ୁଛି । ଏମିତି ବେଳରେ ହସ ବି ମାଡ଼େ । ହ ମାଡ଼େ । ମଣିଷ ନିଜେ ଯେତେବେଳେ ନିଜକୁ ଥଟା କରିପାରେ ସେତେବେଳେ ସେ ସବୁଠାରୁ ବେଶୀ ଜାଗ୍ରତ ।

 

ଗଲାବର୍ଷ ଏଇଦିନରେ ପତାକା ଉଡ଼ିଥିଲା । ଜେଲରେ ବ୍ରିଟିସ ଜେଲରେ ଜାତୀୟ ପତାକା ଉଡ଼ାଇବା ମହାପାପ । ଗଲାଥର ଲାଠି ଚାଲିଥିଲା । ଗୁଳି ଚାଲୁ ଚାଲୁ ରହିଗଲା ।

 

ସାଥୀ ବନ୍ଦୀମାନେ ହସୁଛନ୍ତି । ଜାତୀୟ ପତାକା ତିଆରି କରୁ କରୁ ବି ହସୁଛନ୍ତି । ଏଡ଼େବଡ଼ ଦାୟିତ୍ୱ କାମ ମୁଣ୍ଡେଇ, ଏଡ଼େବଡ଼ ପଦାର୍ଥ ପାଖରେ ଥାଇ ବି ହସ ମାଡ଼ୁଛି । ନ ହସିବେ କାହିଁକି ! ଏଇମାନେଇ ତ କାଲି ସକାଳେ ତା’ରି ପାଇଁ ମୁଣ୍ଡ ଦେଖେଇଦେବେ, ଛାତି ପତେଇଦେବେ ଲାଠି ଆଗରେ–ଗୁଳି ମୁହଁରେ । ଯିଏ କୌଣସି କାମ ପାଇଁ ଜୀବନ ଦେବାକୁ ଯାଏ, ସେ କାନ୍ଦିଲେ କଦାପି ମରିପାରେ ନାହିଁ । ଏ ମରଣ ମରିବାର ହେଲେ ହସି ହସି ମରିବାକୁ ହେବ ।

 

ମୁଁ ହସି ପାରୁନାହିଁ କାହିଁକି ? ତୁ ବୋଧେ ଜାଣିପାରିଥିବୁ । ସେଥିପାଇଁ ମୋତେ ଆହୁରି ଧିକ୍‌କାର କରିବାକୁ କୁଣ୍ଠିତ ହେବୁନି ବୋଧହୁଏ ।

 

କିନ୍ତୁ ମୁଁ ହସି ନପାରିବି କଥା ନୁହେଁ । ହେଇଟି ଜେଲରୁ ସାହେବ ରାଉଣ୍ଡରେ ଆସିଚନ୍ତି-। ମୁଁ ଗଳା ଖଙ୍କାର ମାରିଲି । ସାଥିମାନେ ପତାକା ଲୁଚାଇ ଦେଇ ଶୋଇପଡ଼ିଲେ–ଶୋଇବାର ଛଳ-

 

ମଣିଷ ଏମିତି ଜଳି ଚାଲୁଛି । ଅନ୍ୟକୁ ନୁହେଁ, ଆପଣାକୁ । ଆପଣା ଜୀବନକୁ । ଆଉ ଏଇ ସାଥିମାନଙ୍କ ପରି ଆପଣା ମରଣକୁ ବି । କାଲି ଏମାନେ ମରିବେ । ମରଣକୁ ଡାକିବାକୁ ଯାଉଛନ୍ତି । ଯଦି କେହି ପଚାରିବାକୁ ଆସୁଛି–ତମେ କ’ଣ ମରିବେ ? ସେ ନାହିଁ କରୁଚନ୍ତି–ନା ଆମେ ତ କିଛି ଜାଣୁ ନାହିଁ । ଚମତ୍କାର । ଜେଲରେ ଚାଲିଗଲା ଦେଖିବାର ଛଳନା କରି । ଏ ଦେଶର ସରକାର ବି ସେମିତି ଶାସନ କରୁଥିବାର ଛଳନା କରେ । ବୋଧହୁଏ ଭଗବାନ ସବୁ ଦେଖୁଚନ୍ତି, ସବୁ କରୁଛନ୍ତି ବୋଲି ଛଳନା କରନ୍ତି । ତା’ ହୋଇ ନଥିଲେ ଦୁନିଆରେ ସବଳର ଅନ୍ୟାୟ ଅତ୍ୟାଚାର ନଥାନ୍ତା ।

 

ସେ କୋଣରେ ଗୋଟିଏ ବିରହି ବନ୍ଧୁ । ଆଜି ଚିଠି ପାଇଛି ନବ ପରିଣୀତା ସ୍ତ୍ରୀ ପାଶରୁ-। ବିବାହର ୭ଦିନ ଭିତରେ ଧରି ନେଇ ଆସିଲେ ଦୁଇବର୍ଷ ବିତି ଗଲାଣି । ଅଟକ ବନ୍ଦୀ-। କେବେ ଯିବ ଠିକ୍‌ ନାହିଁ । ତାକୁ ନିଦ ନାହିଁ ରାତିରେ । ସେ ଚିଠି ଖଣ୍ଡ ସେ ଉଠି ବାରବାର ଦେଖୁଛି-। ଅନ୍ଧାରରେ ପଢ଼ି ପାରୁନାହିଁ । ଆଲୁଅ ଆଣିଲେ କିଏ କାଳେ ଦେଖିବ । ତଥାପି ସେ ଚିଠିକି ଚାହୁଁଛି-

 

ତୋରି ଚିଠି ମୁଁ ଆଜି ଚିରି ପକାଇଲି । କାରଣ ତାକୁ ଆଉ ରଖିବାର ପ୍ରୟୋଜନ ନାହିଁ-। ମୁଁ ତାକୁ ଲୁଚାଇ ରଖିଥିଲି । କାରଣ ନିଷ୍ଠୁରତାର ନିଦର୍ଶନକୁ ଲୁଚାଇ ରଖି ମଣିଷ ଟିକିଏ ଟାଣ ହୁଏ । ମଣିଷ ଆପଣାର ଭଲପାଇବା ଲୋକର ଦାନକୁ ଲୁଚାଇ ରଖିଲେ କେମିତି ଦୁର୍ବଳ ଅନୁଭବ କରେ । ସେ ଦୁର୍ବଳତାରେ ଗୋଟେ ଆନନ୍ଦ ଥାଏ । ସେଥିପାଇଁ ସେ ତାକୁ ଦୁର୍ବଳତା କହେ ନାହିଁ-

 

ଏହି ସାଙ୍ଗ ବନ୍ଦୀଙ୍କ ଭିତରୁ ଅନେକ ତାଙ୍କ ଜୀବନ କାହାଣୀ କହନ୍ତି–ବଡ଼ କରୁଣ । ଅଧିକାଂଶଙ୍କର ବିରହ ବ୍ୟଥା । ଉଭୟ ଉଭୟକୁ ଭଲ ପାଉଥିଲେ । ତା’ପରେ ଆସିଲା ବିଚ୍ଛେଦ । ସେଇ ଦୁଃଖ ସେଇ ବିରହ ତାଙ୍କୁ ଯେମିତି ପ୍ରାଣ ଦେଇଛି । ତାଙ୍କ ଭିତରେ ଜଣେ ସେଠି ପତାକା କରୁଛି । ମୋର ମନେ ଅଛି, ସେଦିନ ସେ କହିଲା–ମୋର ମରିବାକୁ ଡର ନାହିଁ । ମୁଁ ନିଶ୍ଚିନ୍ତରେ ମରି ପାରିବି । ମୁଁ ପଚାରିଲି–କାରଣ ? ସେ କହିଲା । କହିଲା–ଭାଇ, ଯାର ଜୀବନ ସାର୍ଥକ ହୋଇଥାଏ ତା’ ଜୀବନ ମୃତ୍ୟୁରେ ବି ବ୍ୟର୍ଥ ହୁଏ ନାହିଁ । କଥାଟାକୁ ମୁଁ ଭଲକରି ବୁଝିପାରିଲି ନାହିଁ ହଠାତ୍‌ କିନ୍ତୁ ଭାବି ଦେଖିଲି–ଠିକ୍‌ କହିଚି ତ । ସେ ଭଲ ପାଇଚି–ଆଉ ଭଲ ପାଇବା ପାଉଚି ! ତା’ର ଜୀବନ ସାର୍ଥକ ହେଇଯାଇଚି । ଆଉ ତା’ର ଅପୂର୍ଣ୍ଣ ରହିଛି କ’ଣ ? ସେ ମରି ନପାରିବ କାହିଁକି ?

 

କିନ୍ତୁ କେବେ କେଇ ଭଲ ପାଇବା ଦେଇ ଭଲ ପାଇବା ନ ପାଇବାର କଥା କହି ନାହିଁ ମୋ ଆଗେ । ଏମିତି ଲୋକ ଯେ ନଥିବେ ମୁଁ କହୁନାହିଁ । କିନ୍ତୁ ସେ କଥାଟା ବୋଧହୁଏ ଅନ୍ୟ କାହାରି ଆଗରେ କହିବା ଭଳି ନୁହେଁ । ସେମାନେ ତାକୁ ଇଚ୍ଛାକରି ଯତ୍ନରେ ଲୁଚାଇ ରଖେ । ତାକୁଇ ସେ ଦୁର୍ବଳ ମୁହୂର୍ତ୍ତରେ କହି ପକାଏ । କହେ–ଆଉ କାହାକୁ କହିବୁ ନାହିଁ ।

 

ମୋର ଜୀବନୀ ମୁଁ ‘‘କାହାକୁ କହିନାହିଁ’’ । ଏ ଚିଠି ଯେ ପଢ଼ିବ ସେ ହୁଏତ ତା’ର ଆଭାସ ପାଇବ । ମୁଁ ଏ ଚିଠି ନ ଲେଖିଥିଲେ ଗୋଟେ ବଡ଼ ଅନ୍ୟାୟ କରିଥାନ୍ତି । ଦେଶଯାକ ଲୋକଙ୍କ ଛଳି ଠକି ଚାଲିଥାନ୍ତି । କାଲି ଛାଡ଼ି ପହରଦିନ ମୋତେ ନିସ୍କଳଙ୍କ ସହିଦ ବୋଲି ଦେଶ ପୂଜା କରିଥାନ୍ତା । କିନ୍ତୁ ମୁଁ କ’ଣ କେବଳ ଦେଶ ପ୍ରେମପାଇଁ ମରିବାକୁ ତିଆରି ହୋଇଯାଇଛି ।

 

ସେ ପାଖ କଇଦ୍‌ ଜେଲରେ କଇଦୀ ପହରାବାଲା ଏକ, ଦୁଇ, ତିନି ଚାରି ଗଣି ଯାଉଛି ତାରି ନିଜ କଇଦୀ ଭାଇଙ୍କି । ଏ ଲୀଳା ରାତିଯାକ ଚାଲିଛି । ପହରା ଦୁଇଘଣ୍ଟାରେ ଥରେ ବଦଳି ହୁଏ । ଏଥର ବଦଳିରେ ଗୋଟେ ବଡ଼ ପାଟିଆ ପହରାବାଲା ଉଠିଛି ।

 

ରାତି ଆଉ ବେଶୀ ନାହିଁ । ଫାସି ଆସାମୀ ଉଠି ଆର୍ତ୍ତତ୍ରାଣ ଗାଇବ; ଆଉ କେତୁଟା ସକାଳ ତା’ର ପାହିବ ।

 

ପହରା ବାଲାଗଣ ବନ୍ଦନାକୁ ବୁଡ଼େଇ ପକଉଚି ପାଟିରେ । ଭଲା ଗଣି ଚାଲିଛି ଯେ । ନିଜ ମୁଣ୍ଡକୁ ଯେ ଯମ ଗଣୁଛି ସେ କଥା ତା’ର ମନେ ନାହିଁ ।

 

ସମସ୍ତଙ୍କର ସକାଳ ତ ଗଣିତ ହେଇ ରହିଛି । ଅଗଣତି ଆଉ କାହାର କି ? ଏଇ ଫାଶୀ ଆସାମୀ ପରି ସମସ୍ତେ ମରଣ ଦଣ୍ଡ ପାଇଁ ଦୁନିଆକୁ ଆସିଛନ୍ତି । ତଫାତ୍‌ ଏତିକି, ତାକୁ ବିଶ୍ୱାସ କରେଇ ଦିଆଯାଇଛି । ସେ ନିଶ୍ଚୟ ମରିବ । ତା’ର ଆଉ ଆପଣାକୁ ଛଳି ଚାଲିଥାଏ–ସେ ମରୁନାହିଁ । ମୋରି ନିଜ କଥା । ଏଇ ଅଟକ ବନ୍ଦୀଙ୍କ କଥା । କିଏ ଜାଣିଛି, କାଲି ପୁଣି ଆଉ ଥରେ ଆମର ସକାଳ ପାହିବ କି ନାହିଁ ।

 

ମୁଁ ଭାବୁଛି, ଯେ ନିରୋଳ ଭାବରେ ଦେଶପାଇଁ ମରିପାରିବ– (ଜୀବନ ସାର୍ଥକ ହେଇଛି ବୋଲି ଯେ ଦେଶ ପାଇଁ ମରୁଛି–ସେ ତ ଯେ କୌଣସି କଥା ପାଇଁ ବି ମରି ପାରେ–ଆଉ ମୋରି ପରି ଯା ଜୀବନ ବ୍ୟର୍ଥ ହେଉଛି ସେ ତ କେବଳ ହୀନ, ଭୀରୁ ଭାବରେଇ ମରିବା ଛଡ଼ା ଆଉ ବାଟ ନାହିଁ ତା’ର– ତା’ର ସେଇ ଭୀରୁ ମରଣକୁ ଗୌରବାନ୍ୱିତ କରିବାର ସହଜ ଉପାୟ ସେ ଯଦି ମୋଠୁ ଶିଖି ନଥାଏ ) କିନ୍ତୁ ଯେ ସଫଳତା ବିଫଳତା ନଜାଣି କେବଳ ଦେଶ ପାଇଁ ମରିବ–ସତେ ସେ କେଡେ ବଡ଼ ମଣିଷ ନୁହେଁ ! ସେ ଦେବତା ।

 

ମୁଁ ଏ ଚିଠି ଲେଖୁଛି ଠିକ୍‌ ତୋତେ ନୁହେଁ । ବରଂ ମୋ ଦେଶକୁ ମୋତେ ଯେମିତି ସହିଦ ବୋଲି ପୂଜା କରି ମୋ ଆତ୍ମାକୁ କେହି ଅଶାନ୍ତି ନ ଦିଅନ୍ତି, ମୁଁ ସେଥିପାଇଁ ଏ ଚିଠି ଲେଖୁଛି । ଏ ମୋର ଶେଷ ଚିଠି ।

 

ତୋ ଚିଠିଟା ଆଉ କେହି ଦେଖିନାହାନ୍ତି । ତୁ ଯେ ଚିଠିଲେଖି ଦୟା କରିଚୁ ସେ ଦୟାଟା ବୁଝିବା ପାଇଁ ନିର୍ଦ୍ଦୟ, ନିର୍ମମ ପୁଲିସ ବା ଜେଲ ଅଫିସରଙ୍କ ହୃଦୟରେ ସେ ଭଳି ଅନୁଭୂତିର ବହି ବା ଅଭିଧାନ ରହିବା ଅସମ୍ଭବ । ସେଗୁଡ଼ାକ ସରକାରୀ ଯନ୍ତ୍ରର ଗୋଟାଏ ଗୋଟାଏ ଅଂଶ । କାଗଜ ତିଆରି କରିବା କଳ ବା ଟାଇପ କରିବା ଯନ୍ତ୍ର ଭଳି ସେମାନେ ଦେଖିଥାନ୍ତି–ପଢ଼ନ୍ତି ନାହିଁ । ସେଥିପାଇଁ ତୋ ଚିଠିର ସମାଧି ମୁଁ ଏଇଠି ଦେଉଛି ।

 

ରାତି ପାହି ଆସୁଛି । ଆଉ ଟିକିଏକେ ନମ୍ବର ବା ଏଇ ରାଜ କଏଦୀ ଖୁଆଡ଼ ଖୋଲାଯିବ । ରାତିଯାକ ବନ୍ଦ ଥିଲା । ସମସ୍ତେ ନିତ୍ୟକର୍ମ ପାଇଁ ଦଉଡ଼ିବେ । ଗୋଟିଏ ଗୋଟିଏ ହେଇ ଉଠିବା ଆରମ୍ଭ କଲେଣି । କେହି କେହି ଘର ଭିତରେ ଝାଡ଼ା ଫେରିବା ଆରମ୍ଭ କରିଦେଲେଣି । ରାତିଯାକ ତ ପିସାବ ଚାଲିଥାଏ । ଜେଲଖାନାର ଏଇଟାଇ ନର୍କଭୋଗ । ଅବଶ୍ୟ ଏ ସବୁ ପାଇଁ ଘର ଭିତରେ ଗୋଟାଏ କଡ଼ରେ ପାଇଖାନା ହେଇଚି । ଗନ୍ଧ ଆଉ ଲାଗୁନାହିଁ । ନାକର ସୂକ୍ଷ୍ମ ତନ୍ତୁଗୁଡ଼ାକ ବଧିରା ପଡ଼ିଗଲାଣି । ମୁଁ ଭାବୁଛି, ନିର୍ବିକାର ହେବାର ସାଧନା ମାତ୍ର ଏ ।

 

ଆଉ ବେଳନାହିଁ ଲେଖିବାକୁ । ପତାକା କାମ ସରିଯାଇଛି । ମଲା ମଣିଷ ଉପରେ ଢଙ୍କା ଯିବ ବୋଲି ନୂଆ ଲୁଗା କିଣା ହେଲାଣି ବି ଆଉ । ମୋ ଛାତି ଶିହରିଉଠୁଛି । ବେଳେବେଳେ ବଞ୍ଚିବାକୁ ମନ ହେଉଛି । କାଳେ ତୋତେ ପାଇବି–ତୁ ମୋତେ ପୁଣି ଦିନେ ଭଲ ପାଇବୁ । ଛି, କି ଲଜ୍ଜାର କଥା ।

 

ଜଣେ ବସି ମୋହ ମୁଦ୍‌ଗର ଆରମ୍ଭ କଲେ–ଯାବତ୍‌ବିରୋ ପାର୍ଜନ ମୁକ୍ତଃ । ଉପଦେଶ-। ସମସ୍ତେ ଖାଲି ଉପଦେଶ ଦେବାରେ ଲାଗିଛନ୍ତି । ମୋତେ ରାଗ ଲାଗେ ଉପଦେଶ ଶୁଣି-। ଉପଦେଶ କେବଳ ଉପଦେଶ ହେଇ ରହିବାରେ, ଶୁଆ ଭଳି କ’ଣ ଗାଇବାରେ ଉପଦେଶର ସାର୍ଥକତା ।

 

ତୋର ଉପଦେଶ କିନ୍ତୁ–ପାଇଲି । ସେଥିରୁ ବୁଝାପଡ଼ୁଛି ମୋ ଭିତରେ ଗଲତି ରହି ଯାଇଛି । ମଣିଷ ଭୁଲ କରି ଯାଉଥାଏ ବେଶୀ ତା’ର ଅଜାଣତରେ । ସେ ଦୋଷକୁ ଦେଖେଇଦେବା ବନ୍ଧୁର କାମ । ତା’ହେଲେ ଯାଇଁ ସୁଧୁରିବାର ବାଟ ରହନ୍ତା ।

 

ଯାହା ହେଉ । କଥା ଶେଷ ହେଇଯାଉଛି । ତୋ’ ଚିଠି ମୋତେ ସେଇୟା କହିଛି । ତା’ର ଅର୍ଥ ଆଉ କିଛି ହେଉନାହିଁ ମୋ ପାଖରେ । ମୁଁ ତୋତେ ଚାରିଖଣ୍ଡ ଚିଠିଦେଲି । ସେ ବୋଧହୁଏ ଅଧବାଟରେ ହଜିଗଲା । କାରଣ ଲକ୍ଷର ଠିକଣା ମୋତେ ଜଣାନାହିଁ ।

 

ସମୟ ବଡ଼ ଆଦମ୍ଭ । ଜୀବନ ବିପଦ ଭିତରେ । ଆଉ ତ କେବେ ଦେଖା ହେବନାହିଁ । ତୋର ଶେଷ କଥା କାନରେ ବାଜୁଛି । ‘ଉଚ୍ଚ ଆଦର୍ଶ ରଖ ।’ ଭାବୁଛି ମୋତେ ଦୂରକୁ ଠେଲି ଦେବାପାଇଁ ତା’ଠାରୁ ବଡ଼ ଛଳନାମୟ ବାଣୀ ଆଉ କ’ଣ ଦେଇପାରେ ।

 

ବର୍ତ୍ତମାନ କେବଳ ଉର୍ଦ୍ଦୁ କବିଙ୍କର ଗୀତ ମନେପଡ଼ୁଛି– ‘‘ସିରିଫ୍‌ ମିଟିଜାନେକୀ ହସରତ୍‌ ଅବ୍‌ ହମାରେ ହିଲମେ ହୈ ।’’ କେବଳ ଗୋଟିଏ ଆକାଙ୍‌କ୍ଷା ଅଛି ମୋର ଆଜି ସେ ହେଇଛି ଅପଣାକୁ ଶେଷ କରିଦେବା ।

 

ୟାଠୁ ବଡ଼ ଆଦର୍ଶ ମୋ ପକ୍ଷରେ ଆଉ କ’ଣ ହେଇପାରେ । ଯିଏ ଜୀବନରେ କାହାରିଠୁ ହେଲେ ପ୍ରେମ ପାଇନାହିଁ, ଆଜି ସମସ୍ତଙ୍କ ସେବାରେ ଆପଣାକୁ ବିସର୍ଜନ ଦେଇ ମରି ମାଟି ହେଇ ଯିବାଠାରୁ ବଡ଼ କଥା କ’ଣ ଅଛି ? ଏଥିରେ ଆଉ ‘ଭୁଲ’ ହେବାର ବାଟ ନାହିଁ । ବୁଝି ବିଚାରି କାମ କରିବାର ଆବଶ୍ୟକତା ନାହିଁ । ‘ମନ ଆପଣା ବସ’ରେ ରହିଯାଏ ଆପେ ଆପେ । ଏହାର ‘ପରିଣାମ ମଧ୍ୟ ମନ୍ଦ’ ନୁହେଁ । କାହାର କହିବା ବା ଲେଖିବାକୁ ଅପେକ୍ଷା କରେନାହିଁ । ବିଦାୟ ।

 

ଆଜି ବଡ଼ ଶୁଭଦିନ । ଜାନୁଆରୀ ୨୬ । ଆଜି ମରିପାରିଲେ ନିଜର ମୁକ୍ତି–ଦେଶର ବି ମୁକ୍ତି ।

 

ତିନିବର୍ଷ ପରେ

 

ଅଗଷ୍ଟ ନଅ ତାରିକ–୧୯୪୨ ରାତି । କାମଦେବ ଅନେକ ରାତିରେ ଫେରିଲା । ବାପା ବୋଉ କଥାବାର୍ତ୍ତା ହେଉଥିଲେ କାମଦେବ କାନପାରି ଶୁଣିଲା । ଡେରିହେଲା ବୋଲି ରାଗୁନାହାନ୍ତି ତ !

 

ତା’ପରେ ଆସିଲା ଦଶ, ଏଗାର । ଗୋଟାଏ ପିଶାଚ ଯେମିତି ନାଚିଗଲା ଏ ଭାରତଭୂଇଁ ଉପରେ । ସେ ପିଶାଚକୁ ସାମନା କରିବାପାଇଁ ଯେଉଁମାନେ ଦଉଡ଼ି ଯାଇଥିଲେ ସେମାନଙ୍କ ଭିତରୁ କାମଦେବ ଜଣେ । କିନ୍ତୁ କାମଦେବର ରକତ ଭୂଇଁରେ ପଡ଼ିଲା ନାହିଁ । ମଧ୍ୟବିତ୍ତ ଶ୍ରେଣୀର ରକ୍ତ ତା’ ଦିହରେ । ପାଠ ପଢ଼ା ଇଂରାଜୀ ପଢ଼ା ରକ୍ତ–ସେତେ ଉଷୁମ୍‌ ନୁହେଁ । ସେଥିରେ ଗୋଲାମି ମିଶିଛି କି କ’ଣ । ସେଥିପାଇଁ ସେ ପିଶାଚ ଖୋଜିଲା । ତାଜା ତଟକା ମୂଲିଆ ଚାଷୀର ରକତ–ମୂର୍ଖ ହୁଣ୍ଡାଙ୍କ ରକତ । ମଲେ ଦେଶର ଅଶିକ୍ଷିତ, ମୂର୍ଖ, ଖରା ବରଷାରେ, ଶୀତ କାକରରେ ଯାହାଙ୍କ ଦିହ ତାଜା ଅଛି–ସେଇ । ରକତ ଗଲା ତାଙ୍କରି ।

 

ବାପା ବୋଉ ସେଦିନ ବସି କ’ଣ କଥାଭାଷା ହେଉଥିଲେ ତା’ର ମନେ ନାହିଁ ।

 

କାମଦେବ ଜେଲ୍‌ରେ । ଡେଟିନିଉ । ତା’ର ମାନ ଖାତିରି ବି ଅଛି । ସେ ଇଂରାଜୀ ପଢ଼ିଛି ବୋଲି ପରା ! ଆଜି ଯାହାଙ୍କ ପାଇଁ ସେ ଲଢ଼ୁଛି ଦରକାର ହେଲେ କାଲି ପୁଣି ତାଙ୍କରି ଗଳା ଚସିବାକୁ ସେ ଡରିଯିବ ନାହିଁ । ତା’ ପାଠ ତାକୁ ମଣିଷ କରିଚି ସେମିତି । ସେ ପାଠର ଛାତି ଭାରି ଶକ୍ତ–ଭାରି ବିଶ୍ୱାସଘାତକ । କାମଦେବ ସେ ନିୟମରୁ ବାହାର ହେଇପାରେ । ସେଟା ବ୍ୟତିକ୍ରମ ।

 

କାମଦେବ କିନ୍ତୁ ଗୋଟାଏ କଥା ବୋରାବୋରି ଭାବୁଥିଲା ତା’ରି ଆଗରେ ଏତେଲୋକ ମରିଗଲେ । ସେ କାହିଁକି ନ ମଲା ? ସେ କାହିଁକି ମରି ନ ପାରିଲା ?

 

ହଁ, ପୁଲିସ ତାକୁ ଆଗ ବନ୍ଦୀ କରିନେଲେ । ତାପରେ ଚଳେଇଲେ ନିରୀହ ଅବୁଝା ଲୋକଗୁଡ଼ିଙ୍କ ଉପରେ ଗୁଳି । ଶ୍ରାବଣମାସର ତାଳ ପରି ମଣିଷ ଗୁଡ଼ାକ ଢୋ ଢୋ ଗଡ଼ି ପଡ଼ିଲେ । ସେ ଦୃଶ୍ୟ ଦେଖି କାମଦେବର ଛାତି ଫାଟି ଯାଇନାହିଁ । ସେ ମୃତ୍ୟୁ ଦେଖି ବି ସେ ଦିହ ଧରି ରହିଛି-। ଧୀର ସ୍ଥିର ଭାବରେ ପୁଲିସ ପହରାରେ ଆସି ଜେଲ୍‌ରେ ଦିବ୍ୟ ଅନ୍ନଗ୍ରାସ କରୁଚି । କେତେ ମା’, ବାପ ଅପୁତ୍ରିକ ହେଲେ । କେତେ ସ୍ତ୍ରୀ ବିଧବା ହେଲେ । କେତେ ଅବୋଧ ଶିଶୁ ନିରକ୍ଷ ହୋଇଗଲେ କିନ୍ତୁ ତା’ର ହେଇଚି କ’ଣ ? କିଛି ନା । ମନେହେଉଚି ସେଇ ଯେମିତି ଏଡ଼େବଡ଼ କାଣ୍ଡଟାଏ କରି ଏଠି ଆସି ଚୁପ୍‌କିନା ବସିଯାଇଛି । ଅନୁତାପରେ ତା’ ହୃଦ ଜଳି ଯାଉଥାଏ-। ନିଶ୍ୱାସ ରୁନ୍ଧି ହେଇ ଯାଉଥାଏ । ଏତେ ଲୋକଙ୍କୁ ଗୁଳି ମୁହଁରେ ଦେଇ ଯେ ଜୀଇଚି–ଜୀଇଚି–ମରି ପାରିନାହିଁ । ଇଚ୍ଛା କରିଥିଲେ ସେ ମରିପାରିଥାନ୍ତା । କାରଣ ଜୀଇବାର ଅଧିକାର ଏ ଦେଶବାସୀଙ୍କର ନଥାଇପାରେ କିନ୍ତୁ ମରିବାର ଅଧିକାର ତ ଅଛି । ସେ ଅଧିକାର କିଏ କାହାଠୁ ଛଡ଼ାଇ ନେଇପାରେ ନାହିଁ । ତଥାପି ସେ ନମରି ବଞ୍ଚିଛି । ସେ ନିଜେ ନିଜର ଅଧିକାରକୁ ହାସଲ କରିପାରି ନାହିଁ । କାହିଁକି ? ସେ କ’ଣ ଡରିଛି ? ହଁ ଡରିଛି । ଡର ନୁହେଁତ ଆଉ କ’ଣ ? ମରିବାକୁ ସେ ଡରିଛି– ଛି ଛି, ସେ ମରିଯାଉ ନାହିଁ କାହିଁକି– ତା’ ଛାତି ଫାଟି ଯାଉନାହିଁ କିଆଁ ? କାମଦେବ କାନ୍ଦିପକାଏ ।

 

ବାପ ମାଙ୍କ କଥା ତା’ର ମନେପଡ଼େ ।

 

୪୩–୪୪–୪୫ । ତିନିବର୍ଷ । ଦୀର୍ଘ ତିନିବର୍ଷ । ପୃଥିବୀର ଜନ ଯୁଦ୍ଧ–ଜନତାର ଲଢ଼ାଇ ସରିଯାଇଛି । ପୃଥିବୀମୟ ସର୍ବ ଜାତି ସର୍ବ ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମ ସରିଯାଇଛି । ସ୍ୱାଧୀନତାର ନାମରେ କେତେଲୋକ ମରିଚନ୍ତି– କେତେ ଲୋକ ମାରିଛନ୍ତି– ହତ୍ୟା କରିଚନ୍ତି । ତା’ପରେ ଯାଇ ଆଜି ବିଜୟ ବାନା ଉଡ଼ିଛି । ସ୍ୱାଧୀନତାର ବିଜୟ ବାନା ! ମିଳିତ ଜାତିର ବିଜୟରେ ସ୍ୱାଧୀନତାର ବିଜୟ ହେଇଚି ।

 

କିନ୍ତୁ ୧୯୪୨ରେ, ଏଇ ଭାରତ ଭୂଇଁଉପରେ ଯେଉଁ ଗରିବ ମଳିମୁଣ୍ଡିଆ ନିରସ୍ତ୍ର ଲୋକଗୁଡ଼ିକ ଗୁଳି ମୁହଁରେ ମଲେ, ତାଙ୍କ ରକ୍ତ କିଛି କାମରେ ଲାଗିନାହିଁ । ଖାଲି କୁକୁର ଶିଆଳ ଚାଟିଚନ୍ତି । ୧୯୪୩ ଦୁର୍ଭିକ୍ଷରେ ଯେଉଁ ଲକ୍ଷ ଲକ୍ଷ ଲୋକ ମଶା ମାଛି ପରି ମରିଗଲେ, ସେ କାହାପାଇଁ ମଲେ, କାହିଁକି ମଲେ ତାଙ୍କୁ କେହି କିଛି କହିନାହିଁ । ତାଙ୍କ ମଡ଼ା କେବଳ ଗୃଧ୍ର ଶିଆଳଙ୍କ କଳିଭେଇ ଯାଇଛି, ସ୍ୱାଧୀନତା ଆଣିନାହିଁ । ଜେଲ ଭିତରେ ବାରବାର ଅନଶନ କରି ଯେଉଁ ରକ୍ତ ସେ ଶୁଖାଇଚି ତାକୁ ପିଇଚି ଏଇ କାରାର ପ୍ରାଚୀର । ୧୯୪୪ ସ୍ୱାଧୀନତା ଦିବସରେ ପ୍ରତିଜ୍ଞା ପାଠ କଲାବେଳେ ଯେଉଁ ଲାଠିମାଡ଼ରେ ତା’ ମୁଣ୍ଡ ଫାଟିଥିଲା ସେ ମାଡ଼ର ଦାଗ ଅବାଧ୍ୟତା ଦୁଷ୍ଟାମି ବେଆଇନ ଅନୀତିର । ଆଇନଅମାନ୍ୟର ଅପରାଧ ବୋଲି ମାର୍କାମରା ହେଲାପରି ରହିଯାଇଚି । ତା’ ଫଳରେ କୌଣସି ମୂଲକରେ କୌଣସି ଲୋକର କୌଣସି ଉପକାର ହେଇନାହିଁ– ସ୍ୱାଧୀନତା ତ ବହୁ ଦୂରର କଥା । ଆଜି ୧୯୪୫ରେ ବ୍ରିଟିଶ ସରକାର ତାକୁ ଜେଲରୁ ଖଲାସ କରି ଦେଇଚନ୍ତି ଦୟାରେ । ପୃଥିବୀର ସ୍ୱାଧୀନତା ସଂଗ୍ରାମରେ ବ୍ରିଟିଶ ସରକାରର ବିଜୟ ହୋଇଛି, ସେଥିପାଇଁ ଅନେକ ରାଜବନ୍ଦୀଙ୍କ ସାଙ୍ଗରେ କାମଦେବ ବି ଛାଡ଼ ପାଇଛି, କିନ୍ତୁ ସବୁ ରାଜବନ୍ଦୀ ଛାଡ଼ ପାଇନାହାନ୍ତି । ଲଜ୍ଜାରେ କାମଦେବର ମୁହଁ ତଳକୁ ହେଇଗଲା । ସେ କ’ଣ ଏଡ଼େ ନୀଚ ! ଶତ୍ରୁର ଦୟା ଅନୁକମ୍ପାକୁ ଗ୍ରହଣ କରି ସେ ବଞ୍ଚି ରହିପାରେ ? ଯେଉଁ ନିରୀହ ଲୋକଗୁଡ଼ିଙ୍କୁ ବୟାଳିଶ ଅଗଷ୍ଟ ଆନ୍ଦୋଳନରେ ମରେଇ ଦେଇଛି ସେ ଏ କ’ଣ ତାଙ୍କରି ଅଭିଶାପ !

 

ଜେଲରୁ ବାହାରି ସେ ଘରକୁ ଯିବ । ବାପା ବୋଉଙ୍କ କଥା ତା’ର ମନେ ପଡ଼ିଲା । ଜେଲରେ ବି ଅନେକଥର ମନେ ପଡ଼ିଚି । ମଝିରେ ମଝିରେ ସରକାର ଦୟାକରି ଖଣ୍ଡେ ଅଧେ ଚିଠି ବି ବାପା ବୋଉଙ୍କ ପାଖରୁ ଆଣିଦେଇ ମନେ ପକାଇବାର ସୁଯୋଗ ଦେଇଥିଲେ । ଆଜି ସେ ତାଙ୍କରି– ସେଇ ବାପା ବୋଉଙ୍କ ପାଖକୁ ଯାଉଚି । କିନ୍ତୁ ଅଗଷ୍ଟ ନଅ ତାରିକ–ଯେଉଁଦିନ ଭାରତର ଇତିହାସକୁ ଭାରତର ଭବିଷ୍ୟତ ନୂଆ କଲମ ନୂଆ କାଳିରେ ଲେଖି ବସିଥିଲା, ସେଦିନ ରାତିରେ ତା’ର ବାପା ବୋଉ କ’ଣ କଥାଭାଷା ହେଉଥିଲେ ତା’ର ଇତିହାସ ଆଉ ଲେଖିବାର ନୁହେଁ–ସେ ଭୁଲିଗଲାଣି ସେ କଥା । ମନେ ପକେଇବାର ଆବଶ୍ୟକତା ମଧ୍ୟ ନାହିଁ ।

 

କାମଦେବ ଘରକୁ ଫେରିଆସିଲା । ଘରେ ସମସ୍ତେ ଅଛନ୍ତି–ବାପା, ବୋଉ, ମୃଦୁଳା–ସମସ୍ତେ । କେହି ମରି ହଜି ଯାଇନାହାନ୍ତି । ସେ ଯେମିତି ମରି ହଜି ଯାଇନାହିଁ ସେମିତି । ମରିଚନ୍ତି ଖାଲି ମଳି ମୁଣ୍ଡିଆ ଗରିବ ଚାଷୀ–କେବଳ ଅଗଷ୍ଟ ମାସର ପୁଲିସ ଗୁଳିରେ ନୁହେଁ, ମଡ଼କରେ ନୁହେଁ–ଅନାହାରରେ ଅନାଟନରେ । ସେ କାନ୍ଦି ପକାଇଲା । ବାପା ବୋଉ କାନ୍ଦୁଥିଲେ । ସେଥିପାଇଁ ସେ କାନ୍ଦି ନାହିଁ । କାରଣ ବାପା ବୋଉଙ୍କର କାନ୍ଦଣାରେ ଥିଲା ଫେରିପାଇବାର ଆନନ୍ଦ ଆଉ ତା’ ପ୍ରାଣ ଭିତରେ ଥିଲା କି ଗୋଟାଏ ଦାମିକା ଚିଜ ହରାଇବାର ଦୁଃଖ ।

 

ଅବସର ସମୟରେ କାମଦେବର ଭଉଣୀ ମୃଦୁଳା ଆସି ପାଖରେ ବସିଲା । କହିଲା ଭାଇ– ‘‘ସରଳା କଥା ମନେ ଅଛି ?’’

 

‘‘ସରଳା ? –ନା ସର ? ଯା ଭାଇ ଗୁଳି ଖାଇ ମରିଥିଲା ? ସେ ବି ତ ଖାଇବାକୁ ନପାଇ ୪୩ ଦୁର୍ଭିକ୍ଷରେ ମରିଯାଇଚି । ହଁ, ମୁଁ ଖବରକାଗଜରେ ପଢ଼ିଥିଲି । ବଡ଼ କଷ୍ଟ ହେଲା ମୋର । ତା’ରି କଥା କହୁଚୁ ତ ?’’

 

‘‘ନା–ନା–ବୃନ୍ଦାବନବାବୁଙ୍କ ଝିଅ ସରଳା ମ ! ମନେ ନାହିଁ ? ବୋଉ ମନ କରିଥିଲା ତାକୁ ଆମର ନୂଆବୋଉ କରିବାପାଇଁ । ବାପା କଥା ଦେଇଥିଲେ–’’

 

୧୯୪୨ ନଅତାରିକ ରାତି । ବାପା ବୋଉ କଥା ହେଉଥିଲେ କାମଦେବର ମନେ ପଡ଼ିଲା–ଛାଇ ଛାଇ ପରି ।

 

‘‘ତମେ ଜେଲ ଚାଲିଗଲ–ପଢ଼ାପଢ଼ି ଛାଡ଼ିଦେଲ । ସେଥିପାଇଁ ବୃନ୍ଦାବନବାବୁ ସରଳାକୁ ଆଉଠି ବାହା ଦେଇଦେଲେ । ଆଉ କେତେଦିନ ବାଡ଼ୁଅ ଝିଅ ଘରେ ରଖନ୍ତେ ? ଜାଣିଚ, ସରଳା ବାହା ହେଇଚି ଗୋଟେ ମିଲିଟାରୀକି । କିନ୍ତୁ ସରଳାର ମନ ନଥିଲା । ବାହାଘରକୁ ଆମେ ତାଙ୍କ ଘରକୁ ଯାଇଥିଲୁ । ସରଳା ବୋଉକୁ ଧରି ଯେତେ ବାହୁନିଚି ।’’

 

କାମଦେବ ହସିଲା ।

 

ଭାବିଲା– କାନ୍ଦିବାଟା ଭାରି ସହଜ । ହଁ, ସେଦିନ ବି ସେଇ ନିରୀହ ଲୋକଗୁଡ଼ିକ ପାଇଁ କାନ୍ଦିଥିଲା । କିନ୍ତୁ ହେଲା କ’ଣ ? କାନ୍ଦି ସେ କରିଚି କ’ଣ ? ଅନ୍ୟ ଲୋକଙ୍କୁ ମରେଇ ଦେଇ ନିଜେ ବଞ୍ଚିଚି । ଯେଉଁମାନେ ତାରି ଆଗରେ ତାରି ପାଇଁ ପ୍ରାଣ ଦେଲେ, ସେ ତାଙ୍କ ପାଇଁ ମରି ପାରିନାହିଁ– କାନ୍ଦି କାନ୍ଦି ତା’ ଛାତି ଫାଟିଗଲା ନାହିଁ, କାନ୍ଦିବା ତା’ର ଛଳନା, ଆତ୍ମ ପ୍ରତାରଣା, ଆତ୍ମ ସାନ୍ତ୍ୱନା ।

 

ସରଳା ବି କାନ୍ଦି କାନ୍ଦି ବାହାହେଇ ଯାଇଚି–ଅନ୍ୟ ଜଣକୁ ।

☆☆☆

 

ରଜା କଥା

 

‘‘ଗୋଟିଏ ଥିଲା ରଜା !’’

 

‘‘ଆଉ ଗୋଟେ ଥିଲା ତା’ର ରାଣୀ’’ ବିନୋଦ କହିଲା ।

 

‘‘ଉହୁଁ–ଆଉ ଗୋଟେ ଥିଲା ତା’ର କୁଣ୍ଢେଇ ।’’

 

‘‘ତା’ପରେ ?’’ ଏଥର ବିନୋଦର କଥା ଶୁଣିବାକୁ ମନ ଲାଗିଲା ।

 

‘‘ଦେଖିଲୁ ବିନୋଦ ? ଜଗତରେ ଯାହା ନିହାତି ସାଧାରଣ, ସବୁଦିନେ ଦେଖୁଚେଁ କେବଳ ସେତକ ଉତ୍ତାରି ଥୋଇଦେଲେ କଳା ହୁଏନାହିଁ । ଯଉଁଟା ଅତି ସାଧାରଣ–ଅସାଧାରଣ କହିବି ? ସେଇଟା କଳା ।’’

 

‘‘ଚୁପ୍‌ଚୁପ୍‌, ପୁଣି ତୋର ପାଗଳାମି ବାହାରିଲା ।’’

 

‘‘ପାଗଳ ଦୁନିଆରେ ଯଦି ଗୋଟାଏ ଲୋକ ଭଲ ବାହାରେ ତେବେ ତାକୁଇ କହିବେ ପାଗଳ ।’’

 

‘‘ରକ୍ଷାକର ବାବା ତୋ ଦର୍ଶନ ଦାଉରୁ– ଗପଟା ଆରମ୍ଭ କରିଦେ ।’’ ବିନୋଦ ବିରକ୍ତ ହେଲା ।

 

‘‘ଆଚ୍ଛା ଶୁଣ୍‌ । କୁଣ୍ଢେଇଟି ଥାଏ, କାଚ ଉହ୍ମେଇ ଭିତରେ । କେତେ ସାଜ ସଜା, ଲୁଗା ଗହଣା, ଅତର, ସାବୁନ, ସ୍ନୋ ପାଉଡ଼ର ଆଧୁନିକ ରଜାର ଆଧୁନିକ କୁଣ୍ଢେଇ । ଆଚ୍ଛା ଧର, ସେ ପୁରାକାଳର ରଜା–କୁଣ୍ଢେଇ ପାଖରେ ଗନ୍ଧ ଚନ୍ଦନ ଚୁଆ ଅଗୁରୁ ଧୂପ ଦୀପ ଇତ୍ୟାଦି ଇତ୍ୟାଦି ।’’

 

‘‘କେଉଁଟା ପୁଣି ଠିକ୍‌ ?’’ ବିନୋଦ ପଚାରିଲା–‘‘ପୁରୁଣା କାଳିଆ ନା ଆଧୁନିକା ।’’

 

‘‘ତୁ ତାହେଲେ ନଶୁଣ । କଳାର ଏଇ ବାହାର ପୋଷାକଟାକୁ ଯେ ଦେଖେ ସେ କଳା ବୁଝେନାହିଁ । ତୋତେ କହି କିଛି ଲାଭ ନାହିଁ । ପୁରୁଣା ଆଉ ଆଧୁନିକ ଭିତରେ ବାହାରର ପୋଷାକ ଛଡ଼ା ଆଉ କ’ଣ ତଫାତ୍‌ ମୋତେ କହିଲୁ ।’’

 

‘‘ମୁଁ ତୋର ଏକଥା ଗ୍ରହଣ କରିପାରିବି ନାହିଁ । ବିନୋଦ ପ୍ରତିବାଦ କଲା । ଆଧୁନିକତା ଅର୍ଥ ପ୍ରକୃତି ଉପରେ ମନୁଷ୍ୟର ବିଜୟ ଆଧୁନିକ ପୋଷାକ ତା’ର ଜୟ ପତାକା– ଆଧୁନିକ ପ୍ରସାଧନ ତା’ର ବିଜୟ ଟୀକା ।’’

 

‘‘ଯଦି ସେଇଟାଇ ରାଜା ରାଣୀ ଭିତରେ, ପୁରୁଷ ନାରୀ ଭିତରେ ଯେଉଁ ସମ୍ପର୍କ ତାକୁ ଠିକ୍‌ କରେ, ଭଲ ପାଇବାର ମାପକାଠି ଯଦି ସେଇ ତେବେ ବୁଝିନେବା ଉଚିତ ଯେ, ରଜା ରାଣୀ ଆଧୁନିକ ଥିଲେ ରାଣୀ ନଥିଲେ– ଥିଲା ଗୋଟେ ସଖି କୁଣ୍ଢେଇ ।’’

 

‘‘ତୁ କହିବାକୁ ଚାହୁଁ ଆଧୁନିକ ସ୍ତ୍ରୀ ମାନେ ସଖି କୁଣ୍ଢେଇ ? ବରଂ–’’

 

‘‘ଠିକ୍‌ । ବରଂ ପୁରୁଣା ଝିଅ ବହୂ ଥିଲେ ସଖି କୁଣ୍ଢେଇ । ତଫାତ୍‌ ଏତିକି, ଆଗ ସେମାନେ ସ୍ୱାମୀ ହାତରେ ନିଜକୁ ସାଜୁଥିଲେ ଆଉ ଆଜିକାଲି ଆଧୁନିକା ନିଜ ହାତରେ ନିଜକୁ ସାଜୁଚନ୍ତି ।’’

 

‘‘ତାହେଲେ ବି ଟିକିଏ ସ୍ୱାଧୀନତା ତ ମିଳିଲା ।’’ ବିନୋଦ କହିଲା ।

 

‘‘ହଁ କାରଣ, ସେତେବେଳେ ଗୋଟିକର ମନ ନେବାକୁ ପଡ଼ୁଥିଲା–ଆଉ ଆଜିକାଲି ଅନେକଙ୍କର ମନ ନେବାକୁ ପଡ଼ୁଛି ।’’

 

ବିନୋଦ ଜବାବ ଆଜି ପାଇଲା ନାହିଁ । କ’ଣ ଭାବିଲା ।

 

ବିନୋଦ ବିଭା ହେଇଛି । ହେଇଛି–ଧରାଯାଉ, ବିନୋଦିନୀକୁ ଆଧୁନିକା । ପ୍ରେମ ବିବାହ । ଅର୍ଥାତ୍‌ ବିଭା ପୂର୍ବରୁ ବି ପ୍ରେମ ଥିଲା । ତା’ର ଗର୍ବ ସେ ନୂଆ ଧରଣର ବିଭା କରିଚି । ବାପା ମା’ କେହି ରାଜି ନଥିଲେ । ତଥାପି ସେ ବିଭା ହେଇଚି । ବିଭା ହେବାଟାର ଗୌରବକୁ ଶିଖରି ଉପରେ ଥୋଇଦେଇଚି ।

 

‘‘ବିନୋଦ, କ’ଣ ହେଲା ଜାଣୁ ? ଦିନେ ହଠାତ୍‌ ରାଜା ସକାଳୁ ଉଠିଦେଖିଲେ–ତାଙ୍କ କୁଣ୍ଢେଇଟି ଆଉ କାଚ ଉହ୍ମେଇରେ ନାହିଁ । ଖୋଜା ପଡ଼ିଲା । ଦେଖ୍‌ଦେଖ୍‌, ଦେଖାଗଲା ରଜାଙ୍କ ଘୋଡ଼ା ସଇସ ବି ନାହିଁ ।’’

 

‘‘ଯାଃ ଅସମ୍ଭବ–ଅସମ୍ଭବ !’’ ବିନୋଦ ବିରକ୍ତି ହୋଇ ଉଠି ଚାଲିଗଲା ।

 

ଦିନ ଚାଲିଗଲା–ଦିନ ତ ଯାଏ–ଯିବାର କଥା ଗଲା । ଏ ଭିତରେ ବିନୋଦିନୀ ବି ଚାଲି ଯାଇଚନ୍ତି । ବିନୋଦ ଗର୍ବ କରେ–‘‘ବଡ଼ ଆନନ୍ଦର କଥା, ମୋ ସ୍ତ୍ରୀ ତା’ର ସ୍ୱାଧୀନ ମତ ବ୍ୟକ୍ତ କରିପାରିଲା । ଏଭଳି ସ୍ତ୍ରୀ ପାଇଥିଲି ବୋଲି ମୋର ଗର୍ବ ହେଉଛି– ମୋରି ମନୋନୟନ ଥିଲା ସେ-।’’

 

‘‘ବିନୋଦ, ସେଦିନ ଗପଟା ସେଠୁ ଖଣ୍ଡିଆ ହୋଇଥିଲା–ଶୁଣ ।’’

 

‘‘କହ !’’ ବିନୋଦ ବସିଲା ।

 

‘‘କଣ୍ଢେଇ କହିଲା– ସଇସରେ, ତୁ ମୋତେ ଥରେ ତୋ ପୋଷାକ ପିନ୍ଧାଇ ଦେଲୁ– ତୋ ଘରଣୀ ଯେମିତି ପିନ୍ଧେ । ମୋତେ ଏ ରଜାରାଣୀ ଭେଶ ନାଇ ନାଇ ଚିଟା ଲାଗିଲାଣି ।’’

 

ବିନୋଦ ପୁଣି ରାଗିଗଲା । ଉଠି ପଳେଇଲା । ଦିନେ ହଠାତ୍‌ ବିନୋଦ ଆସି ସଞ୍ଜବେଳର ଧୂଆଁଳି ଅନ୍ଧାରରେ ଭୂତ ପରି ଠିଆ ହୋଇ ପଚାରିଲା–‘‘ଭାଇ, ବିନୋଦିନୀ ଫେରି ଆସିଛି– ମୁଁ ତାକୁ ଗ୍ରହଣ କରିବି ?’’

 

‘‘ସେ ଗପଟା ରହିଚି–ଶୁଣ ।’’

 

‘‘ଅସମ୍ଭବ ଲୋକ ତୁ । କଥାର ଆଗ ଜବାବ୍‌ଦେ ।’’

 

‘‘ତୁ ମୋପାଇଁ ଗୋଟେ କନିଆ କରିଦେଇ ପାରିବୁ ?’’

 

‘‘ତୁ ବାହାହବୁ ?’’ ବିନୋଦ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

‘‘କି– ବାହା ହବାଟା କ’ଣ ତୋରି ଏକଚାଟିଆ ।’’

 

‘‘ନା–ନା–ମୁଁ ପଚାରୁଛି– ତୁ ପରା ପଣ କରିଚୁ ବାହା ହବୁନାହିଁ ବୋଲି ?’’

 

‘‘ବାହା ହେବି ନାହିଁ ବୋଲି ପଣ କରିନାହିଁ ତ–ଆଉ ଥରେ ବାହା ହେବି ନାହିଁ ବୋଲି ପଣ କରିଥିଲି ।’’

 

‘‘ତୁ ବାହା ହେଇଚୁ ? କ’ଣ କହୁଚୁ ?’’

 

‘‘ବାଃ ଆଶ୍ଚର୍ଯ୍ୟ ହେଲୁ ଯେ ! ବୟସ ଆସି ଚାଳିଶ ଧରିଲା । ବାହା ନହୋଇ ମଣିଷ ଏତେଦିନ ଯାଏ ରହିପାରେ ?’’

 

‘‘ତୁ ତେବେ ବାହା ହେଇଚୁ ?’’ ‘‘ବାହା ହୋଇଥିଲି କହ ।’’

 

‘‘ସେ ତେବେ–’’ ‘‘ମରିନାହିଁ । ସେ ଏବେ ବି ବଞ୍ଚିଛି– ମୋ ଭିତରେ ସେ ଏବେ ବି ଜୀବନ୍ତ ।’’ ‘‘ତୋର ପୁଣି ସେ ଦର୍ଶନ ସେ କବିତା ବାହାରିଲା ।’’

 

‘‘ଦର୍ଶନ ତ ସବୁ । ବିନୋଦିନୀକି ବିଭା ହେବାଟା ଗୋଟାଏ ଦର୍ଶନ– ବିନୋଦିନୀର ଅଦର୍ଶନ ଆଉ ଏକ ଦିଗରୁ ଦର୍ଶନ–ବିନୋଦିନୀର ପୁନଃ ପ୍ରବେଶ ପୁଣି ଏକ ନିରାଦର୍ଶନ ।’’

 

‘‘ତୋର ଦର୍ଶନଟା କେଉଁଠି କହ !’’ ବିନୋଦ ମୁହଁରେ ହସ ଥିଲା । ବିନୋଦିନୀକି ଫେରିପାଇବାରେ ସେ ଖୁସି । ବିନୋଦ ଜଣେ ଖେଳୁଆଡ଼ । ହାରିଗଲେ ଦୁଃଖ ନାହିଁ । ଜିତିଲେ ଆନନ୍ଦ ଅଛି ।

 

‘‘ମୋର ଅନ୍ତଃଦର୍ଶନ । ତୋର ବହିର– । ସେଦିନ ସେ ସଇସ କହିଲା– ନା ରାଣୀ, ତମକୁ ମୁଁ ସଇରାଣୀ ବେଶ ପିନ୍ଧାଇପାରିବି ନାହିଁ । ତମେ ମୋ ମନର ରାଣୀ । ତମକୁ ରାଣୀ ବେଶ ପିନ୍ଧାଇବାକୁ ହେବ । ପିନ୍ଧ, ପିନ୍ଧ, ମୋ ରାଣଟି ! ତମେ ହେବ ରାଣୀ । ଆଉ ମୁଁ ତମର ଦାସୀ ।

 

‘‘ତା’ପରେ– ତା’ପରେ–’’

 

‘‘କି ଏତେ ବ୍ୟାକୁଳ କାହିଁକି ? ବିନୋଦିନୀ ଫେରିଆସିଚି, ନା ? ସେ କୁଣ୍ଢେଇ ବି ସଇସକୁ ଛାଡ଼ି ପଳେଇ ଆସିଲା ।

 

‘‘ରାଜା ତାକୁ ନେଲେ ?’’

 

‘‘କି, ତୁ ତ ପଚାରିଲୁ ନାହିଁ, ମୁଁ କାହାକୁ ବାହାହେଇଚି ।’’

 

‘‘ହଁ ସତେ କାହାକୁ ବାହା ହୋଇଚୁ ?’’

 

‘‘ଯାହାକୁ ମୁଁ ପାଇ ନାହିଁ ।’’

 

‘‘ପୁଣି ସେଇ ଦର୍ଶନ ।’’

 

‘‘ଆରେ ପାଗଳା, ଯାହାକୁ ମଣିଷ ଭଲପାଏ, ସେ କ’ଣ ତାକୁ ଅଧିକାର କରିବାକୁ ଚାହେଁ ! ସେ ଭଲପାଇବା ପଦାର୍ଥକୁ ଆପଣାର ସମ୍ପତ୍ତି କରିବାକୁ ଚାହେଁ ସେ ଆପଣା ସ୍ୱାର୍ଥକୁ ଭଲପାଏ, ଆପଣା ସମ୍ପତ୍ତିକି ପାଇବାରେ ତା’ର ଆନନ୍ଦ–ଯାହାକୁ ଭଲପାଏ ବୋଲି ସେ ଛଳନା କରେ ସେ ଲୋକଟି ତା’ର ଅସ୍ଥାବର ସ୍ୱାର୍ଥକୁ ଯଉମୁଦା ସିନ୍ଦୁକ, ସେ ବାହାଘରଟା ଛପା ଶିଲ୍‌କ ମୋହର ।’’

 

‘‘ତମେ ତେବେ ଆଉ ଗୋଟେ ବିଭା ହେବାକୁ କହୁଚ ଯେ ।’’

 

‘‘କାରଣ ତାକୁ ବି ମୁଁ ଭଲପାଏ ।’’

 

‘‘ଭଲପାଇ ପୁଣି ବାହାହବ କିମିତି ?’’

 

‘‘ନିଶ୍ଚୟ ! ନହେବ କିଆଁ ? ଟେନିସ୍‌ ରେକେଟ୍‌ଟାକୁ ମୁଁ କେତେ ଭଲ ନପାଏ କହିଲୁ ! ତୁ ନେଇ ଖେଳିଲେ ମୋର ଦୁଃଖ ହେବ । ଖେଳିସାରି ତୁ ଫେରେଇଦେଲେ ମୁଁ ତ ତାକୁ ଫିଙ୍ଗି ଦେବିନାହିଁ ଆଉରି ଯତ୍ନରେ ରଖିବି ।’’

 

‘‘ତା’ ପରେ– ?’’ ବିନୋଦ ବୋକାଙ୍କ ଭଳି ପଚାରିଲା ।

 

‘‘ତା’ ପରେ ରାଜା ପୁଣି ସେ କୁଣ୍ଢେଇକି ରଖିଲେ ।’’

 

‘‘ବିପିନ !’’ ବିନୋଦ ଡାକିଲା ।

 

‘‘ମୁଁ ଆସେ ।’’ କହି ବିପିନ ଧୀରେ ଧୀରେ ଚାଲିଗଲା । ବିନୋଦ ଆଉ ଡାକି ପାରିଲା ନାହିଁ ।

☆☆☆

 

କ୍ଷଣିକା

 

ସ୍ନେହର କ୍ଷଣିକା,

 

ସେଦିନ ମୁଁ ତମର ନାଁଟି ବି ପଚାରି ପାରିଲି ନାହିଁ । ସେଥିପାଇଁ ଆଜି ଏ ସମ୍ବୋଧନ । ଆକାଶରେ ମେଘ ଘୋଟି ଆସିଲାଣି । ପୁଣି ବିଜୁଳି । ମୁଁ ଚମକି ପଡ଼ୁଛି ବେଳେବେଳେ । ତମେ ଠିକ୍ ସେମିତି ଆସିଥିଲ । ସେଦିନ ବି ମୁଁ ଏମିତି ଚମକି ପଡ଼ିଥିଲି । ସେଦିନ ଆଉ ଆଜି ଭିତରେ ଏତିକି ତଫାତ୍‌ ଆଜି ମୁଁ ଜାଣୁଛି ଏ ବିଜୁଳି କ୍ଷଣିକ–ସେଥିପାଇଁ ଧରିବାକୁ ଇଚ୍ଛା ନାହିଁ–ସେଦିନ ମୁଁ ଜାଣିଥିଲେ ବି ଆଜିଯାଏ ଧରିବାର ଇଚ୍ଛା ମରିଯାଇ ନାହିଁ ମୋର–

 

କେତେବର୍ଷ ଗଲାଣି । ଦିନ ଦିନ ମାସ ମାସ ବର୍ଷ ବର୍ଷ ଗଡ଼ି ଯାଇଛି–ସବୁଦିନେ ଚିଠି ଦେବାକୁ ବସେ–କିନ୍ତୁ ଲେଖି ହୁଏନାହିଁ–କାହାକୁ ଲେଖିବି ? –କେଉଁଠିକି ଲେଖିବି ? –କ’ଣ ଲେଖିବି ?

 

ଆଜି ଏତେଦିନେକେ ଲେଖି ଆରମ୍ଭିଲି । ଏ ଚିଠି ଏକାବେଳେକେ ନୂଆ । ଏମିତି ଚିଠି ଦୁନିଆରେ କେହି କାହାକୁ ଲେଖି ନଥିବ । ଏଇଟାଇ ନୂତନତ୍ୱ ।

 

କେତେଥର ମୁଁ ଗାଡ଼ିରେ ଚଢ଼ିଲିଣି ତାପରେ । ଗଣି ନାହିଁ । ଗଣି ହୁଅନ୍ତା ନାହିଁ । କିନ୍ତୁ ସେଥର ଗାଡ଼ି ଚଢ଼ା ଜୀବନରେ ସେଇ ଥରକ । ମନକରି ବେମାର ହୋଇ, ଚିକିତ୍ସା ପାଇଁ ଅନ୍ୟ ଜାଗାକୁ ଯିବାର ହେଲେ ରେଳରେ ଚଢ଼ି, ତେବେ କ’ଣ ସେଦିନର ସେଇ ଗାଡ଼ିଚଢ଼ାଟା ଫେରି ଆସିବ ଜୀବନରେ ? ଦୈବାତ୍‌ ଯଦି ତମ ସାଙ୍ଗରେ ଦେଖା ବି ହୁଏ– ସେ କିଭଳି ଦେଖାହବ–ସେ ଦେଖାର ଅର୍ଥ କ’ଣ ହେବ– ଫଳ କ’ଣ ହେବ ।

 

ସର୍ଦ୍ଦି ଅନେକଥର ହେଇଚି । କାଶ ଅନେକଥର ମୋତେ ଅଣନିଶ୍ୱାସୀ କରିଛି । ରାତି ରାତି ଉଜାଗରରେ ପାହିଯାଇଚି–କାଶ ଦାଉରେ ଯେତେ ନୁହେଁ– ସେଇ ସ୍ମୃତିଟାର ଅତ୍ୟାଚାରରେ ତାଠୁଁ ବେଶୀ । ଥକାରେ ନିଦ ହୁଏ ବେଳେବେଳେ– ଛାଇ ନିଦ । ସେ ନିଦରେ ସପନ ଆସେ– ସେ ସ୍ୱପ୍ନ ନୁହେଁ । ସେ ତ ସ୍ୱପ୍ନ ନଥିଲା–ସେ ସତ–ଜୀବନ୍ତ । ଆଜି ସିନା ମୋତେ ସପନପରି ଲାଗୁଚି ।

 

ଚାରିବର୍ଷ ନିର୍ଜନବାସ କାରାରେ ରହି ସଂସାର ଛଡ଼ା ହେଲାପରି ସେଦିନ ଦୁନିଆ ସାଙ୍ଗରେ ମୋର କେଉଁଠି ଅମେଳ ରହିଯାଉଚି; ସେଇତକ ବାରୁ ବାରୁ ଯେତେବେଳେ ମୋର ବେଳ କୁଳଉ ନଥିଲା ସେତେବେଳେ ତମେ ଆସିଥିଲ ମୋତେ କହିଦେବାକୁ, ‘ନିଜକୁ ସେମିତି ପରଖ କରି ହେବନାହିଁ– ଦୁନିଆ ସାଙ୍ଗରେ ମେଳ କଉଁଠି ଦେଖିବାକୁ ହେବ–ଅମେଳ ତ ଅନେକ-।’

 

ସେଇଦିନଠୁ ମୁଁ ସବୁଠି ନିଜକୁ ମେଳେଇ ଆସୁଛି– ସବୁଠି ବାହାରିପଡ଼ୁଛି ଅମେଳ । ତମେ ହୁଏତ ପାଖରେ ଥିଲେ ଅନ୍ୟପ୍ରକାର ଅଭିଜ୍ଞତା ହୁଅନ୍ତା ।

 

ଲୋକେ କହିବେ ତମ ପ୍ରତି ମୋର ଏହି ମାୟାଟା ବହୁଦିନ ବନ୍ଦୀ ଜୀବନରେ ମୁକ୍ତିର ଉଚ୍ଛୃଙ୍ଖଳତା । ମୁଁ ଜାଣେ, ବନ୍ଦୀ ଜୀବନରେ ଦୁଇଟି ନିର୍ମମତା ମୋତେ ବାସ୍ତବିକ୍‌ ବଡ଼ ବାଧେ । ସୃଷ୍ଟିର ଦୁଇଟି କମନୀୟ ହୃଦୟବାନ ବସ୍ତୁ ସେଠି ସବୁଦିନେ ଅଭାବ । ଗୋଟିଏ ନାରୀ, ଅନ୍ୟଟି ଶିଶୁ । ତଥାପି ନାରୀ ମୂର୍ତ୍ତି ଦେଖିବାର ରୁଦ୍ଧ କାମନା ଯେ ମୋର ଆଉ କେଉଁଠି ନଫିଟି ତମରି ପାଖରେ କାହିଁକି ମୁକ୍ତିଲାଭ କଲା ତା’ କାରଣ ବୋଧହୁଏ ତମେଇ ଜାଣିଥିବ ।

 

ଆଜି ମୁଁ ଶୋଇଚି–ଆଜି ବି ମୋତେ କାଶ, ସର୍ଦ୍ଦି–ଟ୍ରେନ ଚାଲିଚି । ମୁଁ ଏକୁଟିଆ । ପାଖରେ କେହି ନାହିଁ । ଚାକରଟି ସରଭେଣ୍ଟରେ ବସିଚି । ଦୁଇ ତିନ୍‌ ଷ୍ଟେସନ ପରେ ଥରେ ମୁହଁ ମାରି ଦେଇଯାଏ । ସେ ଯେତିକି ପଇସା ପାଏ ସେତିକି ତା’ର ଦେବାର କଥା । ତାଠୁ ସେ ଯାହା ବେଶୀ ଦିଏ ସେଥିପାଇଁ ତାଠାରେ ମୁଁ ଋଣୀ । ମୋପରି ରୋଗୀର ସେବା କରିବା ଅର୍ଥ ଜୀବନକୁ ସବୁବେଳେ ପାଣି ଛଡ଼େଇ ଚାଲିବା । ସେ ଆଉ କେଉଁଠି ଚାକିରି ବି କରିପାରନ୍ତା ମୋତେ ଛାଡ଼ି । କିନ୍ତୁ କରିନାହିଁ । ଏତିକି ତା’ର ଦାନ । ତା’ର ସେତିକି ଦାନ ନେଇ ମୁଁ ସଂସାରରୁ ଚାଲିଯିବି ।

 

ସେଦିନ ସରକାର ମୋତେ ଜେଲରୁ ଛାଡ଼ିଦେଲେ ଭଲ ଜଳବାୟୁରେ ରହି ସୁସ୍ଥ ହେବାପାଇଁ । ମୁଁ ତ କହିଥିଲି ସେ କଥା ତମକୁ ? ମୁଁ ଭଲ ହେଇ ବି ଗଲି । ଆଜି ବୋଧହୁଏ ଭଲ ହେଇ ବୁଲୁଥାନ୍ତି, ଯଦି ସେଦିନ ସେଇ କ୍ଷଣକ ଲାଗି ତମ ସାଙ୍ଗରେ ଦେଖା ହେଇନଥାନ୍ତା ।

 

ଜାଣିଚ ? –ମା’ ଚାଲିଗଲେଣି ମୋ ଆଗରୁ, ସେଇ ଭଲ ଜଳବାୟୁକୁ–ଯେଉଁଠିକି ମୁଁ ଭଲ ହେବାପାଇଁ ଯିବି ଏ ସଂସାର ଜେଲଖାନାରୁ ଖଲାସ ହେଇ ।

 

ଦିନେ ମୁଁ ଶୋଇଥାଏ । ସେଦିନ ଗାଡ଼ିରେ ତମେ ମୋତେ ଯେମିତି ଶୋଇବାର ଦେଖିଥିଲ ଠିକ୍‌ ସେମିତି ମୁଁ ଶୋଇଥାଏ । ଚିତ୍‌ହୋଇ । ନିଦ ଥାଏ ମୋ ଆଖିରେ । କିନ୍ତୁ ମୋର ଚେତନା ଚାହିଁଥାଏ ଅଧ ଚେତାରେ । ମେଘ ଘୋଟି ଆସିଥାଏ । ପବନ ଟିକିଏ ଥଣ୍ଡା । ମୋ ଛାତିରୁ ଲୁଗା ବାହାରି ଯାଇଥାଏ । ହଁ ସେଇ ଛାତି । ଆଜି ବି ଅଛି ସେ ଛାତି । ଜଖମ୍‌ । ସେଠି ବଡ଼ ଜଖମ୍‌ । ଖାଲି କାଶି କାଶି । ଆଉ କିଛି ନୁହେଁ । ନା–ନା–ଆଉ କିଛି ନୁହେଁ ।

 

କିଏ ଆସି ଧୀରେ ଧୀରେ ମୋ ଛାତିରେ ଲୁଗା ଢାଙ୍କି ଦେଲାପରି ମନେହେଲେ । ମୁଁ ଚମକି ପଡ଼ି ଡାକିଲି–ମା’ ! ଠିକ୍‌ ସେଦିନ ପରି ଚମକି ପଡ଼ିଲି ।

 

ମା’ କାହିଁ ? ବୋଧହୁଏ ସେହି ଖିଡ଼ିକି ବାଟେ ବଳପଶା ପବନଟାର ଦୟା ହେଇଥିଲା–ତମରି ଦୟା ପରି ।

 

ସେଦିନ ମୁଁ ଭାରି କାଶିଲି । ମନେହେଲା ସେଇଦିନଠୁ ଛାତିରେ ଏ ଜଖମଟା ରହିଯାଇଛି । ଛାଡ଼ୁନାହିଁ । ମଲେ ଛାଡ଼ିଯିବ ନାହିଁ ତ ?

 

ସେଦିନର ସେଇ ସ୍ୱପ୍ନଟାକୁଇ ବୋରାବୋରି ଦେଖିଆସୁଛି– ନିଦରେ ନୁହେଁ– ଚାହାନ୍ତାରେ । ତମେ ଧୀରେ ଧୀରେ ଆସ । ତମର ବାପା ବୋଉ ଆଉ ଦୁଇଟି ବେଞ୍ଚରେ ଶୋଇଥାନ୍ତି । ମୁଁ ଜାଣି ନଥାଏ ରାତି ଗଭୀର ହେଇଯାଏ । ରାତିର ଜୀବନ ଥିଲା ପରି ଗାଡ଼ିର ଧକ୍‌ଧକ୍‌ଟା କେବଳ କାନକୁ କ୍ଳାନ୍ତ କରି ନିଦ ଅଣାଇ ଦେଉଚି । ଅଜାଣତରେ ଛାତିରୁ ଲୁଗା ବାହାରିଯାଇଚି । ତମେ ଧୀରେ ଧୀରେ ଉଠୁଚ । ଅତି ଆସ୍ତେ–ଖୁବ୍‌ ଆସ୍ତେ–କାଳେ ମୋ ନିଦ ଭାଙ୍ଗିଯିବ ଏଇ ଡରେ, ଯେତେ ଧୀରେ ହେଇପାରେ ଆସୁଚ–ଧୀରେ ଧୀରେ ମୋ ଖୋଲା ଛାତିରେ ଚାଦର ଖଣ୍ଡ ଢାଙ୍କି–ମୁଁ ଚମକି ପଡ଼ୁଚି । ମା’ ନୁହେଁ ତମେ–

 

ତମେ ଲାଜରେ ସଢ଼ିଯାଉଚ । ସେତକ, ସେତକ ମୋ ଜୀବନର ସମ୍ପଦ ।

 

ସେଦିନ ତମେ ଖୋଲା ଛାତି ଉପରେ ଲୁଗା ଢାଙ୍କି ଦେଇ ଯାଇଚ । ସେଠି ଆଜି ବଡ଼ ଜଖମ୍‌ । ମୁଁ ସେଠି ପଟି ବାନ୍ଧିଦେଲିଣି । ତାକୁ ଆଉ ଖୋଲି କେହି ଦେଖିବେ ନାହିଁ । ଦେଖିପାରିବେ ନାହିଁ କି ଦେଖିବାକୁ ଚାହିଁବେ ନାହିଁ କିଜାଣି ।

 

ଆଉ ଗୋଟାଏ ନିଦ ଆସୁଛି । ଓଃ, ସେଦିନ କି ଶାନ୍ତି । ତମେ ନଥିବ । ହୁଏତ ଥିବ ଏଇ ଚାକର ଟୋକାଟା । ମୁଁ ସେଦିନପରି ଧୀରେ ଧୀରେ ଶୋଇପଡ଼ିବି । ଚାକର ଟୋକାଟା ମୋତେ ଚାହିଁବ । ହୁଏତ ଖାଲି ଗୋଟାଏ ଦୀର୍ଘଶ୍ୱାସ । ସେତିକିରେ ତା’ର ଦେଣ ସରିଗଲା । ସେ ଲୁଗାଟାକୁ ଢଙ୍କା ଛାତି ଉପରୁ ଆଉ ଟିକିଏ ଟାଣି ଆଣି ମୁହଁରେ ଢାଙ୍କି ଦେଇ ଚାଲିଯିବ । ସେଦିନ ମୁଁ ଆଉ ଚମକିବି ନାହିଁ ।

 

ଆକାଶରେ ହୁଏତ ମେଘ ଥିବ–ଥଣ୍ଡା ପବନ ଦେଉଥିବ ଆଉ କ୍ଷଣିକ ଜୀବନର କଳା ଘେନି କ୍ଷଣିକା ବିଜୁଳି ।

 

ତମ ବାପା କହିଥିଲେ, ମା’ କହିଥିଲେ–ସମସ୍ତେ କହିଥିଲେ ଚିଠି ଦେବାପାଇଁ । ମୁଁ ବିଶ୍ୱାସ କରିଥିଲି । କ୍ଷଣକର ଦେଖା ସେଇ ଡବା ଭିତରେ । ସେଦିନ ସକାଳ ହେଲା ବେଳକୁ ଆମେ କେତେ ନିଜର ହେଇ ଯାଇଥିଲେ ପରସ୍ପର । ଯେତେ ଚଞ୍ଚଳ ନିଜର ହେଇପାରିଥିଲେ ସେତିକି ଚଞ୍ଚଳ ଭୁଲିଗଲ କ’ଣ ସମସ୍ତେ ?

 

ମନେପଡ଼େ ? ସାଙ୍ଗ ହେଇ ଖାଇଲେ–ତମେ ମୋତେ ନିଜ ହାତରେ–ଥାଉ–ସେ କଥା ଲେଖି ଲାଭ ନାହିଁ ।

 

ତମର ଷ୍ଟେସନଟା ଆସିଲା । ତମେ ମୋ ଠିକଣାଟା ନେଲ । ପଚାରିଲ–ଚିଠି ଦେବେ-? ମୁଁ କହିଲି– ସେ ତ ତମ ଉପରେ ନିର୍ଭର କରେ । ଭାବିଥିଲି ତମେ ଆଗେ ଚିଠି ଦବ-। ସେଇ ଠିକଣାରେ ମୁଁ ତମକୁ ଉତ୍ତର ଦେବି ।

 

କିନ୍ତୁ ସେ ଚିଠି ଆସିଲା ନାହିଁ । ମୁଁ ମୋର ମନେ ମନେ ଯେଉଁ ଜବାବ ଦେଇଥିଲି ତାକୁଇ ପୂର୍ଣ୍ଣ କରୁଚି ଏଇ ଗାଡ଼ିରେ । ଗାଡ଼ି ଚାଲୁଚି । ଲେଖି ହେଉନାହିଁ । ଥରୁଚି ହାତଟା । ହଉ, ଥରୁ । କିଏ ଦେଖିବ ଯେ ଏ ଚିଠିକି । ଏଇତ ବିଶେଷତ୍ୱ ଏ ଚିଠିର । ଖାଲି ଲେଖିବା–ଦେବା–ଆଉ ଉତ୍ତର ପାଇବାର ଆଶା ନାହିଁ ।

 

ତମେ ଓହ୍ଲେଇଗଲ । ମନେପଡ଼େ ! ଓଃ, ଆଉ ନା–ନା–ଥାଉ ।

 

ଏଟା ଏତେ ସାମାନ୍ୟ କଥାଟେ । ପ୍ରତିଦିନର କଥା । ତଥାପି ଏବେ କେବଳ ମୋରି ଯିବାକୁ ବାକି ରହିଲା ।

 

ତମର

ମୁଁ

Image